ରଣପୁର: ଆଗରୁ ମଣିଷ ପାଇଁ ମଣିଷ କରୁଥିଲା କଙ୍ଗାରୁ କୋର୍ଟ। ହେଲେ ସେଇ ମଣିଷ ଦେବତାଙ୍କୁ ବି ଛାଡ଼ିନି। ଟଙ୍କା ପାଇଁ ବନ୍ଧା ପଡ଼ିଛନ୍ତି ଠାକୁର। ଯିଏ ମଣିଷର ହର୍ତ୍ତାକର୍ତ୍ତା ଦୈବ ବିଧାତା ସେ ଆଜି କାଠଗଡ଼ାରେ ଫସିଯାଇଛନ୍ତି। ୫ ଲକ୍ଷ ଟଙ୍କା ପାଇଁ ବନ୍ଧା ପଡିଛନ୍ତି ଠାକୁର। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ପାଟବେରଣା ଗାଁରେ ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ବେଲେଶ୍ୱର ଦେବ ଏବଂ ଗ୍ରାମଦେବୀ ମା’ ତାରିଣୀ ବର୍ଷ ବର୍ଷ ଧରି ପୂଜା ପାଇ ଆସୁଥିଲେ। ହେଲେ ଗତ ୮ ତାରିଖ ବୁଧବାରଠାରୁ ଆଜି ଯାଏଁ ଉପବାସରେ ରହିଛନ୍ତି। କଂକ୍ରିଟ ପିଲାର ସହ ଲୁହା ତାର ବାଡ଼ରେ ବନ୍ଦୀ ହୋଇଛନ୍ତି ଠାକୁର।
ମନ୍ଦିର ଥିବା ସ୍ଥାନଟି ଦେବୋତ୍ତର ବିଭାଗ ନାମରେ ଥିବାବେଳେ ଏହାର ମାର୍ଫତଦାର ହେଉଛନ୍ତି ରଣପୁର ତହସିଲଦାର। ହେଲେ ଲେଖନପୁର ଗାଁ ନୀଳକଣ୍ଠେଶ୍ୱର ଦେବ ମାଳିଙ୍କ ପାଖରେ ରହିଛି ଠାକୁରଙ୍କ ସେବା ଦାୟିତ୍ୱ। ତେଣୁ ଲେଖନପୁରବାସୀ ଏକ ସଭା କରି ପାଟବେରଣାବାସୀଙ୍କୁ ଏହି ସ୍ଥାନ ପାଇଁ ୫ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।ମାତ୍ର ଦେବୋତ୍ତର ଜାଗା ପାଇଁ ଟଙ୍କା ଦେବାକୁ ମନା କରି ଦେଇଥିଲେ ପାଟବେରଣା ଗାଁଲୋକେ। ଶେଷରେ ବାବା ବେଲେଶ୍ୱର ଏବଂ ତାରିଣୀଙ୍କ ମନ୍ଦିର ଚାରିପଟେ ତାରବାଡ଼ ବୁଲାଇବାକୁ କଙ୍ଗାରୁ କୋର୍ଟରେ ନିଷ୍ପତ୍ତି ନେଇଥିଲେ ଲେଖନପୁରବାସୀ । ପାଟବେରଣା ବାସିନ୍ଦା ଏ ସମ୍ପର୍କରେ ରଣପୁର ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ହେଲେ ଏଯାଏଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଅଭିଯୋଗ ହୋଇଛି। ଏନେଇ ତହସିଲଦାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Comments are closed, but trackbacks and pingbacks are open.