ଦେଶବ୍ୟାପୀ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଟିକାକରଣ କେନ୍ଦ୍ର ପ୍ରସ୍ତୁତ । ଟିକାଦାନ ପାଇଁ ନିୟୋଜିତ ଟିମ୍ ବି ତୟାର । ଆଉ ଟିକା ନେବାକୁ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି ସ୍ୱାସ୍ଥ୍ୟକର୍ମୀ । ଶନିବାର ସକାଳ ସାଢେ ୧୦ଟାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରାଦେଶ ପାଇଁ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏହାସହ ଆରମ୍ଭ ହୋଇଯିବ କୋଭିଡ୍ ବିରୋଧରେ ଶେଷ ଲଢେଇ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାହ୍ନ ୧୦ଟା ୩୦ରେ ଭିଡିଓ କନ୍ଫରେନ୍ସିଂ ଯୋଗେ ଏହାର ଶୁଭାରମ୍ଭ କରିବେ । ଏହି ଅବସରରେ ସେ ଟିକା ନେଇଥିବା କିଛି ସ୍ୱାସ୍ଥ୍ୟକର୍ମୀଙ୍କ ସହ ମତ ବିନିମୟ କରିବେ । ଦିଲ୍ଲୀ ଏମ୍ସ ସମେତ ଦେଶର ୬୦ଟି ହସ୍ପିଟାଲରେ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥା କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ଦେଶର ୩୦୦୬ଟି କେନ୍ଦ୍ରରେ ଟିକାକରଣ ଆରମ୍ଭ ହେବ । ପ୍ରତି କେନ୍ଦ୍ରରେ ଦିନକୁ ୧୦୦ ଜଣଙ୍କୁ ଟିକା ଦିଆଯିବାକୁ ଯୋଜନା କରାଯାଇଛି । ପ୍ରତି ସପ୍ତାହରେ ୫ ଦିନ ଟିକା ଦେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି ।
ଟିକାକରଣ ଲାଗି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଭାରତରେ ପ୍ରସ୍ତୁତ ଦୁଇଟି କରୋନା ପ୍ରତିଷେଧକ ଟିକା ‘କୋଭିସିଲ୍ଡ’ ଓ ‘କୋଭାକ୍ସିନ’ର ଡୋଜ୍ ପହଞ୍ଚôଯାଇଛି । ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଏହି ଦୁଇ ଟିକାକୁ ଜରୁରିକାଳୀନ ବ୍ୟବହାର ଲାଗି ଅନୁମତି ପ୍ରଦାନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧ କୋଟି ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ପ୍ରତିଷେଧକ ଟିକା ପ୍ରଦାନ କରାଯିବ । ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ (ଡାକ୍ତର, ନର୍ସ, ଟେକ୍ନିସିଆନ, ଲ୍ୟାବ ଆସିଷ୍ଟାଣ୍ଟ) ଏବଂ ସମନ୍ୱିତ ଶିଶୁ ବିକାଶ ସେବା (ଆଇସିଡିଏସ୍) ଯୋଜନାରେ ସାମିଲ କର୍ମୀଙ୍କୁ ଟିକା ଦିଆଯିବ । କେନ୍ଦ୍ର ସରକାର ଟିକାକରଣ ବାବଦ ସବୁ ଖର୍ଚ୍ଚ ବହନ କରିବେ ।
ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ଓଡ଼ିଶାରେ ୧୬୧ ଟିକାଦାନ କେନ୍ଦ୍ରରେ ସବୁ ପ୍ରସ୍ତୁତି ସରିଛି । ପୂର୍ବରୁ ୧୬୦ କେନ୍ଦ୍ର ଚିହ୍ନଟ ହୋଇଥିବା ବେଳେ ଏଥିରେ ଭୁବନେଶ୍ୱର ଏମ୍ସକୁ ଯୋଡ଼ା ଯାଇଛି । ଏ ସବୁ କେନ୍ଦ୍ରରେ ପ୍ରଥମ ଦିନରେ ୧୬ ହଜାର ୧୦୦ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାଦେବାକୁ ତାଲିକା ପ୍ରସ୍ତୁତ ହୋଇଛି । ଯେଉଁମାନେ ଟିକାନେବେ, ସେମାନଙ୍କ ମୋବାଇଲ୍କୁ ଏସ୍ଏମଏସ୍ରେ ସୂଚନା ଦିଆ ସରିଛି । ବୟସ୍କ ସ୍ୱାସ୍ଥ୍ୟକର୍ମୀଙ୍କୁ ଆଗେ ଟିକାଦେବାକୁ ସ୍ଥିର ହୋଇଛି । ପ୍ରଥମ ରବିବାର ଅର୍ଥାତ ୧୭ ତାରିଖ ଦିନ ରାଜ୍ୟରେ ଟିକାକରଣ ବନ୍ଦ ରହିବ । ତେବେ ସୋମବାରଠୁ ଏହା ଜାରି ରହିବ ।
ଏପଟେ ଆଜି ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର ସରକାର ଜାରି କରିଥିବା ଗାଇଡ଼ଲାଇନ ପାଳନ ପାଇଁ ସାନି ନିଦେ୍ର୍ଧଶ ଦେଇଛି । ୧୮ ବର୍ଷରୁ ଅଧିକ ଲୋକଙ୍କୁ କେବଳ ସାମିଲ୍ କରିବାକୁ ଥିବା ବେଳେ ଗର୍ଭବତୀଙ୍କୁ ଟିକା ଦିଆଯିବନି । ପାଶ୍ୱର୍ ପ୍ରତିକ୍ରିୟା ହେଲେ, ଏହାର ମୁକାବିଲା ପାଇଁ ଏଇଏଫ୍ଆଇ କିଟ୍ ପ୍ରସ୍ତୁତ ରଖାଯାଇଛି । ସବୁ ଜିଲ୍ଲାରେ ଟିକାକରଣ କେନ୍ଦ୍ରର ପ୍ରସ୍ତୁତି ଜିଲ୍ଲାପାଳ ଦେଖିଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ କେନ୍ଦ୍ରର ତଦାରଖ କରିଛନ୍ତି ବିଏମ୍ସି କମିଶନର ପ୍ରେମଚାନ୍ଦ ଚୌଧୁରୀ ।
ଭୁବନେଶ୍ୱରରେ କୋଭାକ୍ସିନ୍ର ଟିକା ଦିଆଯିବାକୁ ଥିବାବେଳେ ଟିକାଦାନ ପୂର୍ବରୁ ହିତାଧିକାରୀଙ୍କଠୁ ଲିଖିତ ଅନୁମତି ନେବାକୁ ହେବ । ଉଭୟ ଓଡ଼ିଆ ଓ ଇଂରାଜୀରେ ଲିଖିତ ଅନୁମତି ଫର୍ମ ରହିବ । ଭାରତ ବାୟୋଟେକ ପକ୍ଷରୁ ଏଥିପାଇଁ ଫର୍ମ ଯୋଗାଇ ଦିଆଯାଇଛି । ଏହି ଲିଖିତ ଫର୍ମକୁ ସାଇତି ରଖିବା ସହ ସବୁଦିନର ଅନୁମତି ଫର୍ମ କୋଲ୍ଡଚେନ୍ ପଏଣ୍ଟରେ ଦାଖଲ କରିବାକୁ ହେବ ।
ଟିକାକରଣରେ ରାଜସ୍ୱ ବିଭାଗର ଅଧିକାରୀଙ୍କୁ ମଧ୍ୟ ସାମିଲ କରାଯିବ । କୋଭିଡ୍-୧୯ ମହାମାରୀ ସମୟରେ କାମ କରିଥିବା ଅଗଧାଡ଼ିର ଅଧିକାରୀଙ୍କୁ ସାମିଲ କରାଯିବ । ଏଥିପାଇଁ ଡାଟାବେସ୍ ପ୍ରସ୍ତୁତ କରିବା ସହ କୋ-ୱିନ୍ ପୋର୍ଟାଲରେ ନାମ ପଞ୍ଜିକୃତ କରିବାକୁ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛି । ଜିଲ୍ଲା ସବ୍ ରେଜିଷ୍ଟ୍ରୀ ଅଫିସ ଓ ତାଙ୍କ ଅଫିସ୍ କର୍ମଚାରୀ, ଆର୍ଟିଓ/ଏମ୍ଭିଆଇ ଓ ତାଙ୍କ ଷ୍ଟାଫ୍, ସିଏସ୍ଓ,ଏମ୍ଆଇ ଅଫିସ କର୍ମଚାରୀ ଓ ଯୋଗାଣ ସହାୟକଙ୍କ ମଧ୍ୟ ତାଲିକା ହେବ । ଜିଲ୍ଲା ଅବକାରୀ ଅଫିସର ଓ କର୍ମଚାରୀ, ଜିଲ୍ଲା ଜନମଙ୍ଗଳ ଅଧିକାରୀ ଓ ଅତିରିକ୍ତ ଜିଲ୍ଲା ଜନମଙ୍ଗଳ ଅଧିକାରୀ ଓ ଷ୍ଟାଫ୍, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଓ ଷ୍ଟାଫ୍, ଟିଆର୍ଓଙ୍କ ସହ ସ୍ଥାୟୀ, ଅସ୍ଥାୟୀ ଓ ଠିକାରେ ନିଯୁକ୍ତି ହୋଇଥିବା ଡ୍ରାଇଭରଙ୍କୁ ସାମିଲ୍ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons