ଦେଶରେ ଅଛନ୍ତି ୨,୯୬୭ ବାଘ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବାଘ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସର୍ବଭାରତୀୟ ବାଘ ଗଣନା ରିପୋର୍ଟ ୨୦୧୮ଉନ୍ମୋଚନ କରିଛନ୍ତି । ରିପୋର୍ଟ ଅନୁସାରେ ବର୍ତ୍ତମାନ ଦେଶରେ ୨,୯୬୭ଟି ବାଘ ଅଛନ୍ତି । ଦେଶର ବାଘ ସଂଖ୍ୟା ବଢ଼ାଇବାକୁ ସରକାର ଯେଉଁ ଲକ୍ଷ ରଖିଥିଲେ ତାହା ସଫଳ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ରିପୋର୍ଟ ଅନୁସାରେ ୨୦୧୪ରେ ଦେଶରେ ୨,୨୨୬ଟି ବାଘ ରହିଥିଲା ବେଳେ ୨୦୧୯ରେ ଏହି ସଂଖ୍ୟା ୨,୯୬୭କୁ ବୃଦ୍ଧି ପାଇଛି । ଯାହାଫଳରେ ସମଗ୍ର ବିଶ୍ୱରେ ଭାରତ ବାଘମାନଙ୍କ ପାଇଁ ସବୁଠାରୁ ବଡ ତଥା ନିରାପଦ ଆଶ୍ରୟସ୍ଥଳରେ ପରିଣତ ହୋଇଛି । ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ବାଘ ବଂଶର ସୁରକ୍ଷା ତଥା ସଂରକ୍ଷଣ ସହ ଜଡିତ ପ୍ରତ୍ୟେକ ଅନୁଷ୍ଠାନ ଓ ବ୍ୟକ୍ତବିଶେଷଙ୍କୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୯ ବର୍ଷ ତଳେ ରୁଷର ସେଣ୍ଟ ପିଟର୍ସବର୍ଗରେ ୨୦୨୨ ସୁଦ୍ଧା ବାଘବଂଶ ଦୁଇଗୁଣ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଭାରତ ୪ ବର୍ଷ ପୂର୍ବରୁ ଏହି ଟାର୍ଗେଟ ହାସଲ କରିପାରିଛି । ସଙ୍କଳ୍ପରୁ ସିଦ୍ଧିର ଏହା ଉତ୍ତମ ଉଦାହରଣ । ବ୍ୟାଘ୍ର ସଂରକ୍ଷଣ ପ୍ରୟାସକୁ ପରିବ୍ୟାପ୍ତ ଓ ସୁଦୃଢ଼ କରିବା ଲାଗି ମୋଦି ଦୁଇଟି ବଲିଉଡ ମୁଭି ଟାଇଟଲର ଅବତାରଣା କରିଥିଲେ । କହିଥିଲେ ବାଘ ସୁରକ୍ଷାର କାହାଣୀ ‘ଏକ୍ ଥା ଟାଇଗର’ରୁ ଆରମ୍ଭ ହୋଇ ‘ଟାଇଗର ଜିନ୍ଦା ହୈ’ରେ ପହଞ୍ôଚ ପାରିଛି । କିନ୍ତୁ ଏହା ଏତିକିରେ ଅଟକିବା ଉଚିତ ନୁହେଁ । ସଂରକ୍ଷଣ ପ୍ରୟାସକୁ ଆହୁରି ସମ୍ପ୍ରସାରଣ ଓ ତ୍ୱରାନ୍ୱିତ କରାଯିବା ଆବଶ୍ୟକ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୫ ବର୍ଷ ଭିତରେ ପରବର୍ତ୍ତୀ ପିଢ଼ି ପାଇଁ ଭିତ୍ତିଭୂମିର ବିକାଶକୁ ଅଗ୍ରାଧିକାର ଦିଆଯାଉଥିଲେ ମଧ୍ୟ ତାହା ଭିତରେ ଜଙ୍ଗଲ ବଢ଼ିଛି ଓ ସଂରକ୍ଷିତ ଅଞ୍ଚଳ ମଧ୍ୟ ବୃଦ୍ଧି ପାଇଛି । ୨୦୧୪ରେ ୬୯୨ଟି ସଂରକ୍ଷିତ ଅଞ୍ଚଳ ରହିଥିଲା । କିନ୍ତୁ ୨୦୧୯ ବେଳକୁ ତାହା ୮୬୦କୁ ବୃଦ୍ଧି ପାଇଛି । ସେହିଭଳି ୨୦୧୪ରେ ୪୩ଟି ଗୋଷ୍ଠୀ ସଂରକ୍ଷିତ ଅଞ୍ଚଳ ଥିଲା ବେଳେ ତାହା ୨୦୧୯ରେ ୧୦୦କୁ ବୃଦ୍ଧି ପାଇଛି । ସମାନ ସମୟରେ ଭାରତ ଲେକମାନଙ୍କ ପାଇଁ ଯେତିକି ଘର ନିର୍ମାଣ କରିଛି ବନ୍ୟଜୀବଙ୍କ ପାଇଁ ମଧ୍ୟ ଅନୁରୂପ ଭାବେ ଆଶ୍ରୟସ୍ଥଳ ସୃଷ୍ଟି କରିପାରିଛି । ରିପୋର୍ଟ ଅନୁସାରେ ମଧ୍ୟପ୍ରଦେଶରେ ସର୍ବାଧିକ ୫୨୬ଟି ବାଘ ରହିଥିଲା ବେଳେ କର୍ଣ୍ଣାଟକରେ ୫୨୪ ଓ ଉତ୍ତରାଖଣ୍ଡରେ ୪୪୨ଟି ବାଘ ରହିଛନ୍ତି । ଓଡ଼ିଶାରେ ବାଘ ସଂଖ୍ୟା ସ୍ଥିର ରହିଥିଲା ବେଳେ ଛତିଶଗଡ ଓ ମିଜୋରାମରେ ବାଘ ସଂଖ୍ୟା ହ୍ରାସ ପାଇଛି । ୨୦୦୬ରେ ଦେଶରେ ସବୁଠାରୁ କମ୍ ୧,୪୧୧ଟି ବାଘ ରହିଥିଲେ । ଯାହା ଚିନ୍ତାର ବିଷୟ ପାଲଟିଥିଲା । କିନ୍ତୁ ଦୃଢ଼ ଇଚ୍ଛାଶକ୍ତି, ସଙ୍କଳ୍ପ ଓ ପ୍ରୟାସ ଯୋଗୁ ଭାରତ ଏଭଳି ସଫଳତା ହାସଲ କରିପାରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons