ଦେଶରେ ପ୍ରଥମ :କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ମାମଲା

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପାଇଁ ଜଣେ କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ଏକ ମାମଲା ଦାୟର ହେବାକୁ ଯାଉଛି । ଆହ୍ଲାବାଦ ହାଇକୋର୍ଟର ବିଚାରପତି ଏସ ଏନ ଶୁକ୍ଲାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଅଧୀନରେ ମାମଲା ଦାୟର କରିବାକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ସିବିଆଇକୁ ଅନୁମତି ପ୍ରଦାନ କରିଛନ୍ତି । ସିବିଆଇ ଖୁବଶୀଘ୍ର ଏନେଇ ଜଷ୍ଟିସ ଶୁକ୍ଲାଙ୍କ ବିରୋଧରେ ଏକ ମାମଲା ଦାୟର କରିବ ।
ଶୁକ୍ଲାଙ୍କ ବିରୋଧରେ କରାଯାଇଥିବା ଅଭିଯୋଗ ଅନୁଯାୟୀ, ସେ ୟୁପିର ଏକ ଘରୋଇ ମେଡିକାଲ କଲେଜକୁ ଫାଇଦା ପହଞ୍ଚାଇବା ଉଦ୍ଦେଶ୍ୟରେ ରାୟ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ କରି ସେ ୨୦୧୭-୧୮ ମସିହା ପାଇଁ ଉକ୍ତ କଲେଜରେ ଏମବିବିଏସ ସିଟରେ ନାମ ଲେଖାଇବାର ତାରିଖ ବଢ଼ାଇ ଦେଇଥିଲେ । ରାଜ୍ୟର ଆଡଭୋକେଟ ଜେନେରାଲ ତାଙ୍କ ବିରୋଧରେ ଅଭିଯୋଗ କଲା ପରେ ତକ୍ରାଳୀନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ର ଏହାର ଯାଞ୍ଚ ପାଇଁ ବିଚାରପତିମାନଙ୍କର ଏକ କମିଟି ଗଠନ କରିଥିଲେ । କମିଟି ଜଷ୍ଟିସ ଶୁକ୍ଲାଙ୍କ ବିରୋଧରେ ହୋଇଥିବା ଅଭିଯୋଗରେ ସତ୍ୟତା ଥିବାର ରିପୋର୍ଟ ଦେଇଥିଲା । ଏହାପରେ ୨୦୧୮ ଜାନୁଆରୀରେ ତାଙ୍କ ଠାରୁ ସମସ୍ତ ଦାୟିତ୍ୱ କାଢି ନିଆଯାଇଥିଲା ଏବଂ ସେ କୌଣସି ମାମଲାର ଶୁଣାଣି କରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । କିଛି ମାସ ତଳେ ସେ ପ୍ରଧାନ ବିଚାରପତି ଗୋଗୋଇ ଙ୍କୁ ପତ୍ର ଲେଖି ତାଙ୍କ କ୍ଷମତା ଫେରାଇବାକୁ ନିବେଦନ କରିଥିଲେ । ମାତ୍ର ତାହା ପ୍ରତ୍ୟାଖ୍ୟାନ କରାଯାଇଥିଲା । ଏମିତିକି ପ୍ରଧାନ ବିଚାରପତି ତାଙ୍କୁ ମହାଭିଯୋଗ ପ୍ରସ୍ତାବ ମାଧ୍ୟମରେ ବରଖାସ୍ତ କରିବା ପାଇଁ ସରକାର ପଦକ୍ଷେପ ନେବା ଉଚିତ୍ ବୋଲି ମତ ଦେଇ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖିଥିଲେ । ପୂର୍ବତନ ପ୍ରଧାନ ବିଚାରପତି ଦୀପକ ମିଶ୍ର ମଧ୍ୟ ଏଭଳି ନିବେଦନ କରି ପୂର୍ବରୁ ଏକ ପତ୍ର ଲେଖିଥିଲେ ।
ଏହା ଉପରେ ସରକାର କିଛି ନିଷ୍ପତ୍ତି ନେଇନଥିଲାବେଳେ ଏବେ ଜଷ୍ଟିସ ଶୁକ୍ଲାଙ୍କ ବିରୋଧରେ ମାମଲା ଦାୟର କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ୧୯୯୧ ମସିହାରେ ସୁପ୍ରିମକୋର୍ଟ ଦେଇଥିବା ଏକ ରାୟ ଅନୁଯାୟୀ, ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟର କୌଣସି କାର୍ଯ୍ୟରତ ବିଚାରପତିଙ୍କ ବିରୋଧରେ କୌଣସି ଏଜେନ୍ସି ପ୍ରଧାନ ବିଚାରପତିଙ୍କୁ ପ୍ରମାଣ ନଦେଖାଇ ଏବଂ ତାଙ୍କ ଅନୁମତି ନନେଇ ମାମଲା ଦାୟର କରିପାରିବେ ନାହିଁ । ତେଣୁ ଗତ ୨୮ ବର୍ଷ ଭିତରେ ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟ ଏବେ ଜଣେ କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ମାମଲା ଦାୟର କରିବାକୁ ଅନୁମତି ଦେଇଛନ୍ତି ।
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତିଙ୍କ ସଂଖ୍ୟା
ଖୁବଶୀଘ୍ର ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ବଢ଼ିବାକୁ ଯାଉଛି । ଏନେଇ କିଛି ଦିନ ତଳେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି । ସରକାର ଏନେଇ ଏକ ବିଲ୍ ଆଗତ କରିବେ । ଏହାଯୋଗୁ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୧ରୁ ୩୪କୁ ( ପ୍ରଧାନ ବିଚାରପତିଙ୍କୁ ମିଶାଇ) ବୃଦ୍ଧି ପାଇବ । ୨୦୦୯ରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟାକୁ ୨୬ରୁ ୩୧କୁ ବୃଦ୍ଧି କରିଥିଲେ ।
ନିକଟରେ ପ୍ରଧାନ ବିଚାରପତି ଗୋଗୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପତ୍ର ଲେଖି ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା ବଢ଼ାଇବାକୁ ନିବେଦନ କରିଥିଲେ । ସେ ଦର୍ଶାଇଥିଲେ କି ଏବେ ସୁପ୍ରିମକୋର୍ଟରେ ୫୮,୦୦୦ ମାମଲା ବିଚାରାଧୀନ ରହିଛି । ବିଚାରପତିଙ୍କ ସଂଖ୍ୟା ବଢ଼ିଲେ ମାମଲାଗୁଡିକର ତ୍ୱରିତ ଶୁଣାଣି କରାଯାଇପାରିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons