ଦେଶରେ ବେଆଇନ ନିରୀକ୍ଷଣ ଅସମ୍ଭବ: ଅଶ୍ୱିନୀ

Get real time updates directly on you device, subscribe now.

ନୂଆଦିଲ୍ଲୀ: ‘ପେଗାସସ୍ ସ୍ପାଇୱେର’ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ସଦ୍ୟ ପ୍ରକାଶିତ ରିପୋର୍ଟ ଅମୂଳକ । ଏଥିରେ ତିଳେମାତ୍ର ସତ୍ୟତା ନାହିଁ । ଭାରତୀୟ ଗଣତନ୍ତ୍ର ଏବଂ ଏହାର ସୁପ୍ରତିÂିତ ସଂସ୍ଥାନଗୁଡ଼ିକର ଛବି ବିକୃତ ପାଇଁ ଏଭଳି ଉଦ୍ୟମ କରାଯାଇଛି । କେନ୍ଦ୍ର ଇଲେକ୍ଟେ୍ରାନିକ୍ସ ତଥା ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଲୋକସଭାରେ ଏଭଳି କହିଛନ୍ତି ।
ସଂସଦର ମୌସୁମୀ ଅଧିବେଶନ ସୋମବାର ଆରମ୍ଭ ହୋଇଛି । ଏହା ପୂର୍ବରୁ ରବିବାର ପେଗାସସ୍ ସ୍ପାଇୱେର ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇଥିଲା । ଭାରତର ମନ୍ତ୍ରୀ, ନେତା, ଓକିଲ, ସାମ୍ବାଦିକଙ୍କ ଫୋନ୍ ହ୍ୟାକ୍ କରାଯାଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ ହୋଇଥିବା ନେଇ ରିପୋର୍ଟରେ ଦାବି କରାଯାଇଥିଲା । ଏହାକୁ ନେଇ ଆଜି ବିରୋଧୀମାନେ ସଂସଦରେ ହଙ୍ଗାମା କରିଥିଲେ । ବିତର୍କ ପାଇଁ ଦାବି କରିଥିଲେ । ଏହାପରେ ନୂଆ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ଥିତି ସ୍ପଷ୍ଟ କରିଛନ୍ତି ।
ଲୋକସଭାରେ ସେ କହିଛନ୍ତି, ଇସ୍ରାଏଲୀ ସ୍ପାଇୱେର ପେଗାସସ୍କୁ ଭାରତ ବ୍ୟବହାର କରିଥିବା ନେଇ ଯେଉଁ ରିପୋର୍ଟ ଜାରି ହୋଇଛି, ତାହାର କୌଣସି ଆଧାର ନାହିଁ । ପୂର୍ବରୁ ମଧ୍ୟ ଏଭଳି ରିପୋର୍ଟ ପ୍ରକାଶ ପାଇଛି ଏବଂ ଏହାର ନିର୍ମାତା ଇସ୍ରାଏଲ୍ର ଏନ୍ଏସ୍ଓ ଗ୍ରୁପ୍ ବାରମ୍ବାର ଖଣ୍ଡନ କରିଛି । ଅତୀତରେ ପେଗାସସ୍ ବ୍ୟବହାର ନେଇ ହ୍ୱାଟ୍ସଆପ୍ରେ ସମାନ ଅଭିଯୋଗ ଉଠିଥିଲା । ଏହା ସେତେବେଳେ ଭିତ୍ତିହୀନ ପ୍ରମାଣିତ ହୋଇଥିଲା ।
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଆହୁରି କହିଛନ୍ତି ଯେ କେବଳ ଲୋକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏଭଳି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଏଥିରେ ଆଦୌ ଦମ୍ ନାହିଁ । ତା’ଛଡ଼ା ଏଭଳି ପ୍ରକାର ନିରୀକ୍ଷଣ ବା ଗତିରୋଧ (ଇଣ୍ଟରସେପ୍ଟ) ପାଇଁ ଦେଶରେ ସ୍ପଷ୍ଟ ପ୍ରକ୍ରି୍ରୟା ରହିଛି । ବେଆଇନ ନିରୀକ୍ଷଣ (ସର୍ଭେଲାନ୍ସ) ଏଠାରେ ସମ୍ପୂର୍ଣ୍ଣ ଅସମ୍ଭବ । ତେଣୁ ପେଗାସସ୍ ସ୍ପାଇୱେର୍ର କୌଣସି ଆବଶ୍ୟକତା ନାହିଁ ।
ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରେ ହୋଇଥିବା ଦାବି ମୁତାବକ ପେଗାସସ୍ ସ୍ପାଇୱେର ବ୍ୟବହାର ଦ୍ୱାରା ଭାରତର ଅନେକ ସାମ୍ବାଦିକ, ନେତା, ମନ୍ତ୍ରୀ ଏବଂ ଓକିଲ ପ୍ରମୁଖଙ୍କ ଫୋନ୍ ହ୍ୟାକ୍ କରାଯାଇଛି । ସରକାରଙ୍କ ଦ୍ୱାରା ଏଭଳି କରାଯାଇଥିବା କୁହାଯାଇଥିଲା । ଦ ଗାର୍ଡିଆନ୍, ଦ ୱାଶିଂଟନ ପୋଷ୍ଟ, ଡାଏ ଜିଟ୍ ସମେତ ୧୭ଟି ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ମିଳିତ ଭାବେ ଅନୁସନ୍ଧାନ କରି ଏହି ରିପୋର୍ଟ ଜାରି କରିଥିଲେ । ଏହାର ପ୍ରଥମ ଭାଗ ପ୍ରକାଶ ପାଇଛି । ଏଥିରେ ଅନେକ ଭାରତୀୟଙ୍କ ନାମ ସାମିଲ ଅଛି । ଭାରତର ନୁ୍ୟଜ୍ ୱେବ୍ସାଇଟ୍ ଦ ୱେୟାର ମଧ୍ୟ ଏହି ୧୭ ଗଣମାଧ୍ୟମ ସଂସ୍ଥାରେ ଅନ୍ତର୍ଭୁକ୍ତ ।
ରିପୋର୍ଟରେ ସ୍ଥାନ ପାଇଥିବା ତାଲିକାରେ ବିଶ୍ୱର ୧୮୦ ସାମ୍ବାଦିକଙ୍କ ନାମ ରହିଛି । ଏଥିରେ ଭାରତରୁ ୪୦ ବରିÂ ସାମ୍ବାଦିକ ଓ ସାମାଜିକ କର୍ମୀ ଅନ୍ତର୍ଭୁକ୍ତ । ଏହାବ୍ୟତୀତ କେନ୍ଦ୍ରମନ୍ତ୍ରୀ, ରାଜନେତାଙ୍କ ନାମ ବି ରହିଛି । ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ଓ ପ୍ୟାରିସଭିତ୍ତିକ ଫର୍ବିଡିନ୍ ଷ୍ଟୋରିଜ୍ ଦ୍ୱାରା ହାସଲ କରାଯାଇଥିବା ୫୦,୦୦୦ ଫୋନ୍ ନମ୍ବରର ଲିକ୍ ତଥ୍ୟକୁ ଆଧାର କରାଯାଇ ଏହି ଅନୁସନ୍ଧାନ କରାଯାଇଥିଲା ।
ଇସ୍ରାଏଲ୍ର ଏନ୍ଏସ୍ଓ ଗ୍ରୁପ୍ (ପେଗାସସ୍ର ପ୍ରସ୍ତୁତକର୍ତ୍ତା) ମଧ୍ୟ ରିପୋର୍ଟକୁ ଖଣ୍ଡନ କରିଛି । ପେଗାସସ୍କୁ ବ୍ୟବହାର କରୁଥିବା ଯେଉଁ ଦେଶଗୁଡ଼ିକର ନାମ ପ୍ରକାଶ ପାଇଛି, ତାହା ସମ୍ପୂର୍ଣ୍ଣ ଭୁଲ ବୋଲି ଗ୍ରୁପ୍ କହିଥିବା ଆଇଟି ମନ୍ତ୍ରୀ କହିଛନ୍ତି ।
ପେଗାସସ୍ ସ୍ପାଇୱେର ସଂକ୍ରାନ୍ତ ଭାରତୀୟଙ୍କ ତାଲିକା ଲମ୍ବିବାରେ ଲାଗିଛି । ଏଥିରେ ଖୋଦ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରହିଛନ୍ତି । ଆଉଜଣେ ମନ୍ତ୍ରୀ ବି ତାଲିକାରେ ଅଛନ୍ତି ।
ଏହାବ୍ୟତୀତ ଇସ୍ରାଏଲୀ ସ୍ପାଇୱେର୍ ଟାର୍ଗେଟ୍ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର, ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀ ମଧ୍ୟ ରହିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ତାଲିକାରେ ଭାରତର ୩୦୦ ମୋବାଇଲ ନମ୍ବର ରହିଥିବା ବେଳେ ଏଥିରେ ରାହୁଲ ଗାନ୍ଧୀଙ୍କ ଦ୍ୱାରା ବ୍ୟବହୃତ ଦୁଇଟି ମୋବାଇଲ ନମ୍ବର ସାମିଲ ରହିଛି ।
ସେତିକି ନୁହେଁ, ପୂର୍ବତନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା କର୍ମଚାରୀଙ୍କ ନାମ ବି ଏହି ‘ସ୍ନୁପ୍ ଲିଷ୍ଟ’ରେ ରହିଛି । ପୂର୍ବତନ ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କ ନାମ ବି ଏଥିରେ ରହିଛି ।
ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳଗୁଡ଼ିକ ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଅନ୍ୟ କୌଣସି ଦଳ ଏଭଳି ଆଦୌ କରିନାହାନ୍ତି ବୋଲି କଂଗ୍ରେସ କହିଛି । କଂଗ୍ରେସ ନେତା ରଣଦୀପ ସୁର୍ଜେୱାଲ କହିଛନ୍ତି, ବିଜେପି ଏବେ ‘ଭାରତୀୟ ଜାସୁସ୍ ପାର୍ଟି’ରେ ପରିଣତ ହୋଇଛି । ଅନ୍ୟପକ୍ଷରେ ବିଜେପି ନେତା ରବିଶଙ୍କର ପ୍ରସାଦ କଂଗ୍ରେସକୁ ଜବାବ ଦେଇଛନ୍ତି । ସେ କହିଛନ୍ତି, ଫୋନ୍ ଟ୍ୟାପିଙ୍ଗ୍ ନେଇ କଂଗ୍ରେସର ଲମ୍ବା ଇତିହାସ ରହିଛି । ଏବେ ଏହା ଭିତ୍ତିହୀନ ଅଭିଯୋଗ ଆଣିବା ଲଜ୍ଜାଜନକ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons