ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦ ଦେଖାଯାଇଥିବା ବେଳେ ଏହି ସଂକଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବୀର ସୈନିକମାନଙ୍କ ମନୋବଳକୁ ଦୃଢ଼ କରିଛନ୍ତି । ଦେଶର ଅଖଣ୍ଡତାକୁ ସୁରକ୍ଷା ଦେବା ପାଇଁ ପ୍ରଧାନମନ୍ତ୍ରୀ ସୈନିକମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରବିବାର ବିଜେପି ପକ୍ଷରୁ ଆୟୋଜିତ ଝାଡ଼ଖଣ୍ଡ ଜନସମ୍ବାଦ ଭର୍ଚୁଆଲ ରାଲିରେ ନୂଆଦିଲ୍ଲୀରୁ ଭିଡିଓ କନ୍ଫରେନ୍ସିଂରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି ।
ମୋଦି ସରକାରର ଦ୍ୱିତୀୟ ବର୍ଷ କାର୍ଯ୍ୟକାଳର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସବ୍କା ସାଥ୍ ସବ୍କା ବିକାଶ ମନ୍ତ୍ର ନେଇ ଚାଲୁଥିବା ମୋଦି ସରକାର ପୂର୍ବ ଭାରତର ବିକାଶ କରିବା କେବଳ ଏକ ସ୍ଲୋଗାନ ନୁହେଁ ଗୋଟେ ଦାୟିତ୍ୱ । ପୂର୍ବ ଭାରତକୁ ବିକାଶ କରିବା ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତା । ସେ କହିଛନ୍ତି, ଦିଲ୍ଲୀରେ ଅନେକ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିଲେ । ମୋଦି ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯେ ପୂର୍ବ ଭାରତର ବିକାଶ କରିବା କଥା ଅଧିକ ଚିନ୍ତା କରୁଛନ୍ତି । ପୂର୍ବ ଭାରତର ବିକାଶ ବିନା ଦେଶର ସନ୍ତୁଳିତ ବିକାଶ କରିବା ଅସମ୍ଭବ ବୋଲି ସେ କହିଛନ୍ତି । ମୋଦି ସରକାରରେ ଜାତୀୟ ରାଜପଥ, ରେଳ, କୃଷି ତଥା ସମସ୍ତ କ୍ଷେତ୍ରର ବିକାଶ ହୋଇଛି । ଓଡ଼ିଶାର ବନ୍ଦ ପଡ଼ିଥିବା ତାଳଚେର ସାର କାରଖାନା ସମେତ ଝାଡ଼ଖଣ୍ଡର ଅନେକ ବନ୍ଦ କାରଖାନାକୁ ପୁନର୍ବାର କାର୍ଯ୍ୟକ୍ଷମ କରାଯାଇଛି ।
ଝାଡ଼ଖଣ୍ଡରେ ଗରିବଙ୍କୁ ସବୁ ପ୍ରକାର ମୌଳିକ ସୁବିଧା ଯୋଗାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନ କାଳରେ ପକ୍କା ଘର ପାଇଁ ଝାଡ଼ଖଣ୍ଡକୁ ଯେତିକି ଅନୁଦାନ ଦିଆଯାଇଛି କଂଗ୍ରେସର ଗତ ୧୦ ବର୍ଷ ଶାସନରେ ଝାଡ଼ଖଣ୍ଡକୁ ସେତେ ଅନୁଦାନ ମିଳିନଥିଲା । ସେହିପରି ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ ନିର୍ମାଣ, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା, ବେଟି ବଚାଓ ଏବଂ ବେଟି ପଢ଼ାଓ ଭଳି କାର୍ଯ୍ୟକ୍ରମରେ ପୂର୍ବ ଭାରତ ତଥା ଝାଡ଼ଖଣ୍ଡ ଭଳି ରାଜ୍ୟ ଅଧିକ ଲାଭ ପାଇଛି । ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗାରେ ପାଇପ୍ ଲାଇନ କାମ ମଧ୍ୟ ଏଠାରେ ହେଉଛି । କୋଇଲା କ୍ଷେତ୍ରରେ ସଂସ୍କାର ଅଣାଯିବା କାରଣରୁ ଝାଡ଼ଖଣ୍ଡରେ ସ୍ଥାନୀୟ ଅର୍ଥନୀତି ଅଧିକ ସୁଦୃଢ଼ ହେବ ବୋଲି ମତବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ ।
ଗ୍ରାମୀଣ ବିକାଶ ବିଭାଗ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ୫୦ ହଜାର କୋଟି ଟଙ୍କା ବ୍ୟୟରେ ଝାଡ଼ଖଣ୍ଡ ଏବଂ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ମାଧ୍ୟମରେ ଦେଶର ୧୧୬ ଗ୍ରାମୀଣ ଜିଲ୍ଲାରେ ପ୍ରବାସୀ ଶ୍ରମିକମାନେ ୨୫ଟି ଭିନ୍ନଭିନ୍ନ କାର୍ଯ୍ୟକ୍ରମରେ କାମ ପାଇପାରିବେ ।
ଆଜି ବିଶ୍ୱ କରୋନା ବିଭୀଷିକା ଦେଇ ଗତି କରୁଛି । ମାତ୍ର ଏହି ସମୟରେ କରୋନାକୁ ପରାସ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ ଦେଶ ଏକଜୁଟ୍ ହୋଇଛି । ଭାରତ ବିଶ୍ୱରେ ସ୍ୱାସ୍ଥ୍ୟବସ୍ଥାରେ ଭିନ୍ନ ଢାଞ୍ଚା ତିଆରି କରିଛି । କରୋନା ମହାମାରୀରେ ଭାରତ ବିଶ୍ୱର ୧୫୦ ଦେଶକୁ ମେଡିସିନ୍ ଯୋଗାଇଛି । ଏହା ସବୁ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ କାରଣରୁ ସମ୍ଭବ ହୋଇପାରିଛି । ଦେଶରେ ସାଧାରଣ ଲୋକଙ୍କ ଭରସା ମୋଦିଙ୍କ ପ୍ରତି ବଢ଼ିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
Comments are closed, but trackbacks and pingbacks are open.