ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଶିକ୍ଷା, ସ୍ୱାସ୍ଥ୍ୟ, ମୌଳିକ ଆବଶ୍ୟକତା, ଦକ୍ଷତା ଓ ଆର୍ଥିକ ବିକାଶ ଉପରେ ଗୁରୁତ୍ୱାରୋପ କରିବା ନିମନ୍ତେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ କରିଛନ୍ତି । ସମଗ୍ର ଦେଶରେ ୧୧୫ଟି ପଛୁଆ ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ଖୋଦ୍ ଆକାଂକ୍ଷୀ ଜିଲ୍ଲା ଭାବେ ପରିଗଣିତ କରିଥିବା ବେଳେ ରୋଟାରୀ ସଂଗଠନ ଏସବୁ ପଛୁଆ ଜିଲ୍ଲାର ଦାୟିତ୍ୱ ନେବା ସହ ବିକାଶ କରିବା କାମକରୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତର ରୋଟାରୀ ସଂଗଠନକୁ ଆହ୍ୱାନ ଦେଇଛନ୍ତି ।
ଭାରତ ସମେତ ଶ୍ରୀଲଙ୍କା, ପାକିସ୍ତାନ, ବାଲାଂଦେଶ ଓ ଅନେକ ଦେଶର ରୋଟାରୀ ସଂଗଠନର ୫୦୦ରୁ ଅଧିକ ପ୍ରତିନିଧିଙ୍କ ସହ ଭିଡିଓ କନ୍ଫରେନ୍ସିଂ ଯୋଗେ ଆଲୋଚନା କରିବା ବେଳେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ବିଶ୍ୱର କୋଭିଡ୍-୧୯ ସଂକଟ ସମୟରେ ସ୍ୱଚ୍ଛାସେବୀ ସଂଗଠନ ପରି ରୋଟାରୀ ସମାଜ ଭାରତରେ ଯେଉଁଭଳି ଭାବେ ଲୋକମାନଙ୍କ ପାଇଁ କାମ କରୁଛନ୍ତି ତାହା ପ୍ରଶଂସନୀୟ ।
ସେ କହିଛନ୍ତି ଯେ ଏହି ସଂକଟ ସମୟରେ ଦେଶରେ ରୋଟାରୀ ସଂଗଠନ ପକ୍ଷରୁ ଲୋକଙ୍କୁ ମାସ୍କ, ସାନିଟାଇଜର୍, ପିପିଇ କିଟ୍ ବଂଟନ କରାଯିବା ସହ ସ୍ୱାସ୍ଥ୍ୟ ଶିବିର, ଖାଦ୍ୟ ମଧ୍ୟ ଅସହାୟ ଲୋକଙ୍କୁ ଯୋଗାଇ ଦିଆଯାଇଛି । ଏପରିକି କରୋନା ମୁକାବିଲାରେ ଦେଶକୁ ମଜବୁତ୍ କରିବା ପାଇଁ ପିଏମ୍ କେୟାର୍ସ ଫଣ୍ଡକୁ ମଧ୍ୟ ସଂଗଠନ ପକ୍ଷରୁ ଦାନ କରାଯାଇଛି । ବିଗତ ଦୁଇ ମାସରେ ସଂଗଠନ ପକ୍ଷରୁ କରୋନା ମୁକାବିଲା ପାଇଁ ପାଖାପାଖି ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ବିଶେଷ ଭାବରେ ଭାରତ କରୋନା ମୁକାବିଲାରେ ରୋଟାରୀ ସଂଗଠନର ନିରନ୍ତର କାର୍ଯ୍ୟ ଓ ଉଦ୍ୟମ ପ୍ରଂଶସନୀୟ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ଦକ୍ଷତା ଏବଂ ଅର୍ଥନୀତି ସେତେ ପର୍ଯ୍ୟନ୍ତ ବିକାଶ ହେବନାହିଁ ଯେ ପର୍ଯ୍ୟନ୍ତ ୧୮ରୁ ୬୦ ବର୍ଷ ବୟସ ଗ୍ରୁପର ଲୋକମାନେ ନିଜର କାମରେ ଭଲ ଦକ୍ଷତାର ପରିପ୍ରକାଶ କରିବେ ନାହିଁ । ଛୋଟ ବେଳେ ସ୍କୁଲରୁ ଆରମ୍ଭ କରି କର୍ମକ୍ଷେତ୍ରରେ ସମସ୍ତଙ୍କ ଦକ୍ଷତା ରହିବା ଦରକାର । ଏଭଳି ରୋଟାରୀ ସଂଗଠନ ମଧ୍ୟ ଦକ୍ଷତାର ନୂଆ ଅଭିନବ ପଦକ୍ଷେପ ମାଧ୍ୟମରେ ଲୋକଙ୍କ ବିକାଶ କରିବା କାମରେ ଲାଗୁ । ସେହିପରି ପିଲାଙ୍କ ଇ-ଶିକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ରୋଟାରୀ ସଂଗଠନକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ ।
୧୯୧୮ ମସିହା ସ୍ପାନିଶ ଫ୍ଲୁ ସମୟରେ ଯେଉଁ ଦେଶ ଅର୍ଥନୀତିକୁ ଧ୍ୟାନ ନଦେଇ ଲୋକଙ୍କ ଜୀବନ ରଖିବାକୁ ପ୍ରଧାନ୍ୟ ଦେଇଥିଲେ ପରବର୍ତ୍ତୀ ସମୟରେ ସେ ଦେଶର ଅର୍ଥନୀତି ଦୃଢ ହୋଇଥିଲା । ସେହି ପରିପ୍ରେକ୍ଷୀରେ ମୋଦି ସରକାର ମଧ୍ୟ ଲୋକଙ୍କ ଜୀବନ ବଂଚାଇବାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ କରୋନା ମୁକାବିଲା ଭାରତକୁ ଲାଭ ଦେଇଛି । ପ୍ରଧାନମନ୍ତ୍ରୀ ଦେଶର ଲୋକଙ୍କ ସୁରକ୍ଷାକୁ ପ୍ରଥମେ ଗରିବ କଲ୍ୟାଣ ପ୍ୟାକେଜ୍ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଅର୍ଥନୀତିକୁ ପୁନର୍ବାର ମଜବୁତ କରିବା ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣାରେ ହିତାଧିକାରୀଙ୍କୁ ତିନି ମାସ ପାଇଁ ମାଗଣାରେ ତିନୋଟି ଗ୍ୟାସ୍ ସିଲିଣ୍ଡର ଯୋଗା ଯାଉଛି । ଚାଷୀ, ଦିବ୍ୟାଙ୍ଗଙ୍କୁ ଟଙ୍କା ଓ ଡିବିଟି ମାଧ୍ୟମରେ ଜନଧନ ଆକାଉଣ୍ଟଧାରୀ ମହିଳାଙ୍କୁ ସିଧାସଳଖ ଟଙ୍କା ପଠା ଯାଉଛି । ସମସ୍ତେ ମିଶି ଏହି କରୋନା ରୂପୀ ବିପଦକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ଏହି ଅବସରରେ ରୋଟାରୀ କ୍ଲବର ପ୍ରତିନିଧିମାନଙ୍କୁ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବା ସହ ଅନ୍ୟଙ୍କୁ ମଧ୍ୟ ସଚେତନତା କରିବା ପାଇଁ ପରାମର୍ଶ ଦେଇଥିଲେ ।ଉଲ୍ଲେଖନୀୟ, ଭାରତ ରୋଟାରୀ ସଂଗଠନର ପ୍ରମୁଖ ଶେଖର ମେହେତା ଓ ରମେଶ ଅଗ୍ରୱାଲ କରୋନା ମୁକାବିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ । ଅନ୍ୟ ରାଷ୍ଟ୍ର ଅପେକ୍ଷା ଭାରତ ଭଲ ସ୍ଥିତିରେ ଅଛି ଏବଂ ଭାରତ ସରକାରଙ୍କ ଉତ୍ତମ ପରିଚାଳନା ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।
Comments are closed, but trackbacks and pingbacks are open.