ଦ୍ୱିତୀୟ ଏନ୍କାଉଣ୍ଟର: ପୁଲିସ ପଞ୍ଝାରେ ଅପରାଧୀ ପ୍ରମୋଦ

Get real time updates directly on you device, subscribe now.

ଛତ୍ରପୁର,(ବି.ବି.ନୁ୍ୟଜ୍): ଚବିଶ ଘଣ୍ଟା ନପୂରୁଣୁ ଗଞ୍ଜାମ ପୁଲିସର ଦ୍ୱିତୀୟ ଏନ୍କାଉଣ୍ଟର । ଗଞ୍ଜାମ ଥାନା ପୁଇଁତୋଳା ଗ୍ରାମର ପ୍ରମୋଦ ବାରିକି (୨୯) ପୁଲିସ ଗୁଳିରେ ଆହତ ହୋଇଛି । ରମ୍ଭା ଥାନା ପାଲୁର କୃଷ୍ଣପ୍ରସାଦ ରୋଡ଼ରେ ରବିବାର ଭୋର୍ ୩ଟା ୫୦ରେ ହୋଇଛି ଗୁଳି ବିନିମୟ । ପ୍ରମୋଦ ଡାହାଣ ଗୋଡ଼ରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ପ୍ରଥମେ ଛତ୍ରପୁର ଡାକ୍ତରଖାନା ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତା’ଠାରୁ ଗୋଟିଏ ମାଉଜର, ୨ଟି ଗୁଳି ଓ ବାଇକ୍ ଜବତ ହୋଇଥିବା ରମ୍ଭା ଆଇଆଇସି କୃଷ୍ଣଚନ୍ଦ୍ର ସେଠୀ ପ୍ରକାଶ କରିଛନ୍ତି । ଗଞ୍ଜାମ ପୁଲିସ ୨୦୧୫ରୁ ଆରମ୍ଭ କରିଥିବା ‘ଅପରେସନ୍ କ୍ଲିନ୍: କ୍ରାଇମ୍ ଆଣ୍ଡ୍ କ୍ରିମିନାଲ୍’ ଅଭିଯାନରେ ଏହା ୫୮ତମ ଏନ୍କାଉଣ୍ଟର । ଆଜିର ଘଟଣା ପରେ ପ୍ରମୋଦ ବାରିକିଙ୍କୁ ମିଶାଇ ୭୨ ଜଣଙ୍କୁ ଏନ୍କାଉଣ୍ଟର୍ ହେଲାଣି ।
ଆଇଆଇସିଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗଞ୍ଜାମ ସହରର ବିଜେଡି ଯୁବନେତା ସୁଧୀର କୁମାର ପାଢୀ ଏବଂ ଡ୍ରାଇଭର ଗଣପତି ବାରିକିଙ୍କୁ ବୋମା ମାଡ଼ ଘଟଣାରେ ପ୍ରମୋଦ ବାରିକିର ସଂପୃକ୍ତି ଅଭିଯୋଗ ଅଛି । ଆଜି ଭୋର୍ରେ ପ୍ରମୋଦ ପାଲୁର କୃଷ୍ଣପ୍ରସାଦ ରାସ୍ତାରେ ଯାଉଥିବା ସୂଚନା ମିଳିଥିଲା । ରମ୍ଭା ଥାନା ଆଇଆଇସି କୃଷ୍ଣଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ସଦଳବଳ ଟିମ୍ ତାଙ୍କୁ ଧରିବାକୁ ଏହି ରାସ୍ତାରେ ଜଗି ରହିଥିଲେ । ବାଇକ୍ରେ ସେ ଯାଉଥିବା ଦେଖି ପୁଲିସ ପିଛା କରିଥିଲା । ପୁଲିସକୁ ଦେଖି ଖସିଯିବାକୁ ଉଦ୍ୟମ କରିଥିଲା ପ୍ରମୋଦ । ପୁଲିସକୁ ଲକ୍ଷ୍ୟ କରି ଗୁଳି ଫୁଟାଇଥିଲା । ପ୍ରମୋଦ ଗୁଳି ମାଡ଼ରେ ଦୁଇଜଣ କନେଷ୍ଟବଳ ଆହତ ହୋଇଥିବା ଆଇଆଇସି ସେଠୀ କହିଛନ୍ତି ।
ଗତକାଲି ଭୋରରେ ଗଞ୍ଜାମ ଜୟଶ୍ରୀ କେମିକାଲ୍ସ ଛକରେ ପୁଲିସ ଏନ୍କାଉଣ୍ଟରରେ ସୁଶାନ୍ତ ବେହେରା ଓରଫ୍ କୋକ ଆହତ ହୋଇଥିଲା । ସେ ମଧ୍ୟ ସୁଧୀର ପାଢୀଙ୍କୁ ବୋମା ମାଡ଼ ମାମଲାରେ ସଂପୃକ୍ତ ଥିବା ପୁଲିସ କହିଥିଲା । ଗତ ୨୨ ତାରିଖରେ ସୁଧୀର ପାଢୀ ଏବଂ ତାଙ୍କ ଡ୍ରାଇଭର ଗଣପତି ବାରିକିଙ୍କୁ ଗଞ୍ଜାମ ସାନବଜାର ଛକରେ ଦୃର୍ବୃତ୍ତମାନେ ବୋମା ଫିଙ୍ଗି ଚମ୍ପଟ୍ ମାରିଥିଲେ । ଏହି ଘଟଣାରେ ଥାନା କେସ୍ ୮୬/୧୯ରେ ବ୍ରହ୍ମପୁର ଗୋଷାଇଁନୂଆଗାଁ ଥାନା ଖଜୁରିଆର ସମୀର ସାସମଲ ଓ ଗଞ୍ଜାମ ଥାନା ଅନ୍ତର୍ଗତ ସୂର୍ଯ୍ୟନାରାୟଣପୁର ଗ୍ରାମର ଅନୂପ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଗଞ୍ଜାମ ଥାନା ଆଇଆଇସି ସୁଦମ ଚରଣ ମଲ୍ଲିକ କହିଛନ୍ତି । ଏମାନଙ୍କୁ ଥାନାରେ ଅଟକ ରଖି ଜେରା କରିବା ପରେ ଆଜି ଗିରଫ ହୋଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons