ଧାରା ୩୭୦ ପ୍ରତ୍ୟାହାର :ମୁକାବିଲା ପାଇଁ ପାକ୍ର ସଜବାଜ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ଏବେ ପ୍ରବଳ ମାତ୍ରାରେ ଆଭ୍ୟନ୍ତରୀଣ ଚାପର ସମ୍ମୁଖୀନ ହେଉଥିବା ପାକ୍ ସେନା ଏଥିରୁ ମୁକୁଳିବାକୁ ଭାରତ ବିରୋଧରେ ବଡ଼ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଥିବାର ସଂକେତ ମିଳୁଛି । ଯଦିଓ ପାକ୍ ସରକାର କହୁଛନ୍ତି କି ଦେଶ ଏବେ ଯୁଦ୍ଧକୁ ଏକ ବିକଳ୍ପ ଭାବେ ବିବେଚନା କରୁନାହିଁ, କିନ୍ତୁ ପାକ୍ ସେନା ଗୋପନୀୟ ଭାବେ ଏଥିପାଇଁ ପ୍ରସ୍ତୁତି ଜାରି ରଖିଛି ।
ଗୁଇନ୍ଦା ଉପଗ୍ରହ ଚିତ୍ରରୁ ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନର ତିନୋଟି ନୌସେନା ଘାଟି କରାଚୀ, ଗ୍ୱାଦର ଓ ଓରମାରା ଏବେ ପୂରା ଖାଲି ହୋଇଯାଇଛି । ଅଗଷ୍ଟ ୭ରେ ଉଠାଯାଇଥିବା ଏହି ଫଟୋରେ ଓରମାରା ସ୍ଥିତ ଜିନ୍ନା ନୌସେନା ଘାଟି ଏବଂ ଗ୍ୱାଦରରେ ଗୋଟିଏ ବି ଯୁଦ୍ଧ ଜାହାଜ ରଖାଯାଇଥିବାର ଦେଖାଯାଉନାହିଁ । କିନ୍ତୁ କରାଚୀରେ ମାତ୍ର ତିନୋଟି ଯୁଦ୍ଧଜାହାଜ ରଖାଯାଇଥିବା ଜଣାପଡୁଛି । ପାକିସ୍ତାନ ସମସ୍ତ ଯୁଦ୍ଧଜାହାଜ ଓ ବୁଡାଜାହାଜକୁ ଏବେ ଆରବ ସାଗରରେ ମୁତୟନ କରିଥିବା ଅନୁମାନ କରାଯାଇଛି ।
ସେହିପରି ନିୟନ୍ତ୍ରଣ ରେଖା ସଂଲଗ୍ନ ଚକଲାଲା(ରାୱଲପିଣ୍ଡି)ରେ ଥିବା ପାକ୍ ବାୟୁସେନାର ନୁର ଖାନ ଘାଟିରେ ଶୁକ୍ରବାର ସକାଳ ସୁଦ୍ଧା ମାତ୍ର ଦୁଇଟି ସି-୧୩୦ ସାମରିକ ପରିବହନ ବିମାନ ରଖାଯାଇଥିଲା । ପାକିସ୍ତାନ ନିକଟରେ ଥିବା ସି-୧୩୦ ଶ୍ରେଣୀର ସମସ୍ତ ପରିବହନ ବିମାନ ଏହି ଷ୍ଟେସନରେ ରଖାଯାଇଥାଏ । ଏବେ କିନ୍ତୁ ସେଠାରେ ମାତ୍ର ଦୁଇଟି ବିମାନ ଥିବାରୁ ଏଥିରୁ ମନେ ହେଉଛି କି ପାକ୍ ସେନା ଏବେ ଏଧରଣର ବିମାନଗୁଡ଼ିକୁ କେଉଁଠି ନା କେଉଁଠି ବ୍ୟବହାର କରୁଛି ଏବଂ ତା’ ବି ବ୍ୟାପକ ମାତ୍ରାରେ । ଏହା ସାହାଯ୍ୟରେ ଦେଶର ଅନ୍ୟ ଭାଗରୁ ଭାରତ ସୀମାକୁ ସୈନ୍ୟ ଓ ଯୁଦ୍ଧ ସରଞ୍ଜାମ ପରିବହନ ହେଉଥିବା ସନ୍ଦେହ କରାଯାଉଛି ।
ଅପରପକ୍ଷେ, କିଛି ଦିନ ଭିତରେ ପିଓକେକୁ ପାକ୍ ସେନାର ଭିଭିଆଇପି ବିମାନର ଉଡ଼ାଣ ହଠାତ୍ ବୃଦ୍ଧି ପାଇଛି । ଗତ ୪ ତାରିଖରୁ ଦିନକୁ ଦୁଇଟି ଲେଖାଏଁ ବିମାନ ସେଠାକୁ ଯାଉଛି । ସେଥିରେ ଗୋଟିଏ ଭିଭିଆଇପି ଗଲଫଷ୍ଟ୍ରିମ୍ ୪ ବିମାନ ବି ଅନ୍ତର୍ଭୁକ୍ତ । ଏହି ବିମାନକୁ ବ୍ୟବହାର କରି ପାକ୍ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ସେଠାକୁ ଯାଇଥିବାର ଅନୁମାନ କରାଯାଉଛି । ପାକିସ୍ତାନୀ ସେନାର ଏକ ଭିଭିଆଇପି ବିମାନ ମଧ୍ୟ ଚୀନ୍କୁ ଯାଇଥିବାର ଲକ୍ଷ୍ୟ କରାଯାଇଛି । ତେଣୁ ପାକ୍ ସେନାର କିଛି ଅଧିକାରୀ ଚୀନ୍ ଯାଇ ଏହି ପ୍ରସଙ୍ଗରେ ସହଯୋଗ ଲୋଡ଼ିଥିବାର ସନ୍ଦେହ କରାଯାଉଛି । କେବଳ ସେତିକି ନୁହେଁ, ପାକିସ୍ତାନର କରାଚୀ ଓ ଇସଲାମାବାଦ ସହର ଉପରେ ପାକ୍ ବାୟୁସେନାର ଯୁଦ୍ଧବିମାନ ଓ ଆୱାକ୍ସ ବିମାନଗୁଡିକ ନିୟମିତ ଉଡ଼ାଣ ଭରୁଛନ୍ତି ।
ପାକିସ୍ତାନର ଅନେକ ଲୋକ ସୋସିଆଲ ମିଡିଆରେ ବି ଏସମ୍ପର୍କରେ କିଛି କିଛି ସୂଚନା ଦେଉଛନ୍ତି । ଏ ପ୍ରକାର ସୂଚନା ସହ ଗୁଇନ୍ଦା ଉପଗ୍ରହରୁ ସଂଗୃହୀତ ତଥ୍ୟ ମେଳ ଖାଉଛି । ତେଣୁ ପାକ୍ ସେନା ଭାରତ ବିରୋଧରେ କିଛି ବଡ଼ଧରଣର କାଣ୍ଡ ଘଟାଇବାକୁ ଷଡ଼ଯନ୍ତ୍ର କରୁଥିବାର ସ୍ପଷ୍ଟ ହେଉଛି । ଯଦିଓ ଭାରତୀୟ ସେନାର ତିନିଟି ଯାକ ଅଙ୍ଗ ପୂର୍ବରୁ ଏଭଳି ହରକତର ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି, ତେବେ ପାକିସ୍ତାନର ଚାଲବାଜି ଦେଖି ଏଥିପ୍ରତି ଅଧିକ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ଦେଉଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons