ନୂଆଦିଲ୍ଲୀ:ଆମ୍ରପଲ୍ଲୀ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଗୃହକ୍ରେତାଙ୍କ ଟଙ୍କାକୁ ବେଆଇନ ଭାବେ ରିତି ସ୍ପୋର୍ଟସ ମ୍ୟାନେଜ୍ମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍କୁ ସ୍ଥାନାନ୍ତର କରାଯାଇଥିବା ସୁପ୍ରିମ୍କୋର୍ଟ ହୃଦୟଙ୍ଗମ କରିଛନ୍ତି । ସୂଚନାଯୋଗ୍ୟ, ରିତି ସ୍ପୋର୍ଟସ ମ୍ୟାନେଜ୍ମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ଦ୍ୱାରା ପରିଚାଳିତ ଏକ କମ୍ପାନି ।
ମଙ୍ଗଳବାର ହୋଇଥିବା ଶୁଣାଣିରେ ବିଚାରପତି ଅରୁଣ ମିଶ୍ରା ଏବଂ ୟୁ. ୟୁ. ଲଲିତଙ୍କୁ ନେଇ ଗଠିତ ଖଣ୍ଡପୀଠ ଆମ୍ରପଲ୍ଲୀ ଗ୍ରୁପ୍ର ରେରା ଲାଇସେନ୍ସ ରଦ୍ଦ କରିଦେଇଛନ୍ତି । ଏହାର ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡିକୁ ସମ୍ପୂର୍ଣ୍ଣ କରିବାର ଦାୟିତ୍ୱ ରାଷ୍ଟ୍ରାୟତ୍ତ ନ୍ୟାସ୍ନାଲ ବିଲ୍ଡିଂସ କନ୍ଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡ୍(ଏନ୍ବିସିସି)କୁ ଦିଆଯାଇଛି ।
ଖଣ୍ଡପୀଠ ପ୍ରକାଶ କରିଛନ୍ତି ଯେ, ୨୦୦୯ରୁ ୨୦୧୫ ମଧ୍ୟରେ ଆମ୍ରପଲ୍ଲୀ ଗ୍ରୁପ୍ ଅଫ୍ କମ୍ପାନିଜ୍ ଧୋନିଙ୍କ କମ୍ପାନି ରିତି ସ୍ପୋର୍ଟସ ମ୍ୟାନେଜ୍ମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍କୁ ୪୨.୨୨ କୋଟି ଟଙ୍କା ପ୍ରଦାନ କରିଛି । ଏଥିମଧ୍ୟରୁ ୬.୫୨ କୋଟି ଆମ୍ରପଲ୍ଲୀ ସାଫାୟାର ଡେଭଲପର୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ପେମେଣ୍ଟ ହୋଇଛି । ଆମ୍ରପଲ୍ଲୀ ଗ୍ରୁପ୍ ଅଫ୍ କମ୍ପାନିଜ୍ ଏବଂ ରିତି ସ୍ପୋର୍ଟସ ମ୍ୟାନେଜ୍ମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ସ୍ୱାକ୍ଷର ହୋଇଥିବା ଚୁକ୍ତି ଅନୁସାରେ ଏହି ପେମେଣ୍ଟ ହୋଇଛି ।
ଚୁକ୍ତି ଅନୁସାରେ ଆଇପିଏଲ୍ ୨୦୧୫ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଆମ୍ରପଲ୍ଲୀ ଗ୍ରୁପ୍ ଅଫ୍ କମ୍ପାନିଜ୍ ବିଭନ୍ନ ସ୍ଥାନରେ ବିଜ୍ଞାପନ ପ୍ରଦର୍ଶନ କରିବାର ଯୋଗ୍ୟତା ଲାଭ କରିଥିଲା । ଏହା ଜାଣିବାକୁ ମିଳିଛି ଯେ, ସାଧା କାଗଜରେ ଚୁକ୍ତି ହୋଇଥିଲା । କେବଳ ଆମ୍ରପଲ୍ଲୀ ଏବଂ ରିତି ସ୍ପୋର୍ଟସ ମ୍ୟାନେଜ୍ମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା । ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ କେହି ଉତ୍ତରଦାୟୀ ନଥିଲେ । କେବଳ ରିତି ସ୍ପୋର୍ଟସକୁ ଏହି ଅର୍ଥ ଦେବା ପାଇଁ ହିଁ ଏସବୁ ଚୁକ୍ତି ଏକ ବାହାନା ଥିିଲା ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।
ଗ୍ରାହକଙ୍କ ଟଙ୍କାକୁ ବେଆଇନ ଭାବେ ରିତି ସ୍ପୋର୍ଟସ ମ୍ୟାନେଜ୍ମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍କୁ ସ୍ଥାନାନ୍ତର କରାଯାଇଥିବା କୋର୍ଟ କହିଛନ୍ତି । ୩ ବର୍ଷ ଯାଏ ଧୋନି ଆମ୍ରପଲ୍ଲୀ ଗ୍ରୁପ୍ର ବ୍ରାଣ୍ଡ ଆମ୍ବାସାଡର ଥିଲେ । ଧୋନିଙ୍କ ପତ୍ନୀ ସାକ୍ଷୀ ସିଂହ ସେତେବେଳେ ଆମ୍ରପଲ୍ଲୀ ମାହି ଡେଭଲପର୍ସ ପ୍ରାଇଭେଟ୍ ଲିମିଟେଡରେ ଜଣେ ନିର୍ଦ୍ଦେଶକ ଥିଲେ । କୋର୍ଟ କହିଛନ୍ତି ଯେ, ଆମ୍ରପଲ୍ଲୀ ସାଫାୟାର ଡେଭଲପର୍ସ ଲିମିଟେଡ୍ରେ ଏକ ଫ୍ଲାଟ୍ ରିତି ସ୍ପୋର୍ଟସ ନାମରେ ବୁକ୍ ହୋଇଥିଲା ।
Comments are closed, but trackbacks and pingbacks are open.