ନକଲି ଭିଜିଲାନ୍ସ ଅଫିସର ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): କେତେବେଳେ ଭିଜିଲାନ୍ସ ଅଫିସର ତ’ ପୁଣି କେବେ ରେଳବାଇର ଡିଜିଏମ୍ । ଏମିତି ହାଇଫାଇ ଅଫିସରଙ୍କ ପରିଚୟ ଦେଇ ଲୋକଙ୍କୁ ଠକୁଥିଲା । ଦାମୀ ବେଶଭୂଷା ସହିତ କାର ବି ଚଢ଼ୁଥିଲା । ଚାକିରି କରାଇ ଦେବ କହି ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଥିଲା । ଏମିତି ଜଣେ ଠକକୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି । ସେ ହେଲେ ଝାଡ଼ଖଣ୍ଡ ରାଞ୍ଚିର ଧୁରୱାର ଆଶିଷ ରଞ୍ଜନ ସିଂ(୨୮) ।
ପୁଲିସ ସୂଚନା ମୁତାବକ, ୟୁନିଟ୍-୮ ଗୋପବନ୍ଧୁ ନଗରରେ ରହୁଥିବା ଶୁଭେନ୍ଦୁ କୁମାର ବେହେରା(୨୨) ନାମକ ଯୁବକଙ୍କୁ ୨ ମାସ ତଳେ ଆଶିଷ ଭେଟିଥିଲେ । ନିଜକୁ ପୂର୍ବତଟ ରେଳବାଇର ଡିଜିଏମ୍ ବୋଲି ପରିଚୟ ଦେଇଥିଲେ । ରେଳବାଇରେ କମର୍ସିଆଲ୍ କ୍ଲର୍କ ପଦବୀରେ ଚାକିରି କରାଇଦେବାକୁ କହି ୧୫ ଲକ୍ଷ ଟଙ୍କା ମାଗିଥିଲେ । ଏଥିରେ ବିଶ୍ୱାସ କରି ଶୁଭେନ୍ଦୁ ତାଙ୍କୁ ଜୁଲାଇ ମାସରେ ୫ ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିଲେ । ଟଙ୍କା ପାଇବା ପରେ ଆଶିଷ ଶୁଭେନ୍ଦୁଙ୍କୁ ଏକ ରେଳବାଇ ଅଫିସିଆଲ୍ ଚିଠି ମଧ୍ୟ ଧରାଇଥିଲେ । ସେଥିରେ ରେଳବାଇର ବରିଷ୍ଠ ଅଧିକାରୀଙ୍କ ଷ୍ଟାମ୍ପ ବସିଥିଲା । ଉକ୍ତ ଚିଠିର ଲେଖା ଓ ଷ୍ଟାମ୍ପ ଦେଖି ଶୁଭେନ୍ଦୁଙ୍କ ସନ୍ଦେହ ହୋଇଥିଲା । ତୁରନ୍ତ ସେ ଉକ୍ତ ଚିଠିକୁ ନେଇ ପୂର୍ବତଟ ରେଳବାଇ ଅଫିସରେ ଯାଞ୍ଚ କରିଥିଲେ । ସେଠାରେ ଉକ୍ତ ଚିଠି ନକଲି ଜଣାପଡ଼ିଥିଲା । ଠକାମିର ଶିକାର ହୋଇଥିବା ଜାଣି ଶୁଭେନ୍ଦୁ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ।
ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଖଣ୍ଡଗିରି ନିକଟରେ ଆଶିଷ ରହୁଥିବା ଫ୍ଲାଟ୍ରେ ପୁଲିସ ଚଢ଼ଉ କରିଥିଲା । ଖାନତଲାସ ବେଳେ ତାଙ୍କ ଘରୁ ପୁଳାପୁଳା ନକଲି ରବର ଷ୍ଟାମ୍ପ, ଫେକ୍ ସାର୍ଟିଫିକେଟ୍, ଚିଠି ଆଦି ମିଳିଥିଲା । ଏସବୁ ବେଆଇନ୍ ସାମଗ୍ରୀ ସହ ଏକ ଦାମୀ କାର ମଧ୍ୟ ପୁଲିସ ଜବତ କରିଛି । ଆଇପିସି ଧାରା ୪୧୯, ୪୨୦, ୪୬୮, ୪୭୧ ବଳରେ ତାଙ୍କୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଛି । ଶୁଭେନ୍ଦୁ ପୂର୍ବରୁ ପାରାଦୀପ, ଜଗତସିଂହପୁରରେ ଏମିତି ଉପାୟରେ ଲୋକଙ୍କୁ ଠକିଥିବା ପୁଲିସ ସୁରାକ ପାଇଛି । ଏନେଇ ସେଠାକାର ଥାନାଗୁଡିକୁ ଜଣାଇ ଦିଆଯାଇଛି । ସେପଟେ ରାଞ୍ଚିରେ ମଧ୍ୟ ଶୁଭେନ୍ଦୁ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ଭୁବନେଶ୍ୱର ପଳାଇ ଆସିଥିବା ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons