ନଦୀକୁ ଡେଇଁ ଦିବ୍ୟାଙ୍ଗ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

Get real time updates directly on you device, subscribe now.

ବଲାଙ୍ଗୀର,(ବି.ବି.ନୁ୍ୟଜ): ଗତ ଅକ୍ଟୋବର ମାସ ୧୫ ତାରିଖରେ ଗୁଡଭେଲାର ଦୁଇ ଭଉଣୀ ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ । ଏହି ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଆଜି ଜଣେ ଦିବ୍ୟାଙ୍ଗ ଯୁବକ ଧାନଘରାସ୍ଥିତ ତେଲନଦୀ ବ୍ରିଜରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସୌଭାଗ୍ୟକୁ ନଦୀରେ ଗାଧୋଉଥିବା ଧାନଘରା ଗାଁର ଲୋକେ ତାଙ୍କୁ ଉଦ୍ଧାର କରି ତୁଷୁରା ହସପିଟାଲରେ ଭର୍ତ୍ତି କରାଇଥିଲେ । ଫଳରେ ତାଙ୍କ ଜୀବନ ରକ୍ଷା ପାଇଯାଇଥିଲା । ଏକ ପ୍ରେମ ବ୍ୟାପାର ପାଇଁ ଦିବ୍ୟାଙ୍ଗ ଯୁବକଙ୍କୁ ହତ୍ୟା ଧମକ ଦିଆଯିବାରୁ ସେ ଭୟରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି ।
ବଲାଙ୍ଗିର ଜିଲ୍ଲା ବେଲପଡ଼ାସ୍ଥିତ ବାସୁଦେବପଡ଼ାର ହରିବୋଲ ମିଶ୍ରଙ୍କ ପୋଲିଓ ଆକ୍ରାନ୍ତ ପୁଅ ସନ୍ତୋଷ(୨୮) ସହ ଭବନୀପାଟଣାର ଜନୈକ ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ିଉଠିଥିଲା । ଫଳରେ ଦୁହେଁ ବହୁ ସମୟରେ ଫୋନରେ କଥାବାର୍ତ୍ତା ହେଉଥିଲେ । ଦୁଇଜଣଙ୍କ ପ୍ରେମ ସଂପର୍କରେ ଝିଅର ଭିଣୋଇ ଜାଣିପାରିଥିଲେ । ଏଣୁ ଯୁବତୀଙ୍କ ସହ କଥାବାର୍ତ୍ତା ନହେବା ପାଇଁ ତାକୁ ତାଗିଦ କରିବା ସହ ବିଭିନ୍ନ ସମୟରେ ଲୋକ ଲଗାଇ ହତ୍ୟା ଧମକ ଦେଉଥିଲା ବୋଲି ତୁଷୁରା ପୁଲିସ ଆଗରେ ଯୁବକ ଜଣକ ଅଭିଯୋଗ କରିଛନ୍ତି ।
ଯୁବକଙ୍କ କହିବା ଅନୁଯାୟୀ ଆଜି ସକାଳେ ସେ ବଲାଙ୍ଗିର ଯିବାବେଳେ ୨ଜଣ ଯୁବକ ତାଙ୍କୁ ପିଛା କରିଥିଲେ । ସେମାନେ କାଳେ ତାଙ୍କୁ ମାରିଦେବେ ସେହି ଭୟରେ ତୁଷୁରା ବାଟଦେଇ ପଳାଇଯିବାକୁ ଚେଷ୍ଟା କରିଥିଲେ । ହେଲେ ତୁଷୁରା ସହର ଡେଇଁଲା ପରେ ସେମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ସେ ବ୍ରିଜ ଉପରେ ନିଜର ଚାରି ଚକିଆ ଦିବ୍ୟାଙ୍କ ବାଇକ ରଖି ତଳକୁ ଡେଇଁ ପଡ଼ିଥିଲେ ।
ଡେଇଁବା ବେଳେ ଯୁବକଙ୍କ ଗଳାରେ ପ୍ରେମିକା ସହ ଯୁବକଙ୍କ ଏକ ଫଟୋ ଲାଗିଥିଲା । ତୁଷୁରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ଥାନାଧିକାରୀ ଯଶୋବନ୍ତ ପ୍ରଧାନୀ ପ୍ରକାଶ କରିଛନ୍ତି । ସନ୍ତୋଷ ବ୍ରିଜ ଉପରୁ ତଳକୁ ଡେଉଁଥିବା ବେଳେ ସେହି ବାଟଦେଇ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସ ଯାଉଥିଲା । ଆମ୍ବୁଲାନ୍ସରେ ଥିବା ଏଟେନଣ୍ଡାଣ୍ଟ ସୁଶାନ୍ତ ସାହୁ ଏହା ଦେଖିବାକୁ ପାଇ ତୁରନ୍ତ ଗାଡ଼ିରୁ ଓହ୍ଲାଇ ଯୁବକକୁ ଧରିବାକୁ ଚେଷ୍ଟା କରୁଥିଲେ । ହେଲେ ତାକୁ ଧରିନପାରିବାରୁ ଉକ୍ତ ଯୁବକ ନଦୀରେ ପଡ଼ି ଯାଇଥିଲେ । ଏହାପରେ ସୁଶାନ୍ତ ନଦୀରେ ଗାଧୋଉଥିବା ଲୋକଙ୍କୁ ଯୁବକଙ୍କୁ ବଞ୍ଚାଇବା ପାଇଁ ପାଟି କରିବାରୁ ଲୋକେ ଉଦ୍ଧାର କରିଥିଲେ । ଏହାପରେ ଆମ୍ବୁଲାନ୍ସ କର୍ମଚାରୀ ତୁରନ୍ତ ଷ୍ଟେ୍ରଚର ଆଣି ଯୁବକକୁ ଉଦ୍ଧାର କରି ତୁଷୁରା ପୁଲିିସକୁ ଖବର ଦେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସୁଶାନ୍ତଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଜଣେ ଦିବ୍ୟାଙ୍ଗ ଯୁବକଙ୍କ ଜୀବନ ରକ୍ଷା ପାଇଥିବାରୁ ସ୍ଥାନୀୟ ଲୋକେ ବେଶ ପ୍ରଶଂସା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons