ଭୁବନେଶ୍ୱର,(ବି.ବି.ବ୍ୟୁରୋ): ସରକାର ୫-ଟି (ଟ୍ରାନ୍ସପରେନ୍ସି, ଟିମ୍ୱାର୍କ, ଟେକ୍ନୋଲୋଜି, ଟାଇମ ଓ ଟ୍ରାନ୍ସଫର୍ମେସନ) ମନ୍ତ୍ର ଆଣିଛନ୍ତି । ନବନିଯୁକ୍ତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବା ଏଏସ୍ଓମାନେ ଏହାକୁ ଆପଣାନ୍ତୁ । ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ଭାବେ କାମ କରନ୍ତୁ । ନବନିଯୁକ୍ତ ଏଏସ୍ଓଙ୍କୁ ଏହି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଶୁକ୍ରବାର ରବୀନ୍ଦ୍ର ମଣ୍ଡପରେ ଏଏସ୍ଓଙ୍କ ପ୍ରବେଶ ପ୍ରଶିକ୍ଷଣ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ନିିଯୁକ୍ତି ଫଳରେ ଜନସେବା ଆହୁରି ତ୍ୱରିତ୍ ଓ ସୁବିଧାଜନକ ହେବ ।
ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଥିଲେ, କିଛି ବର୍ଷ ତଳେ ସେ ଏୟାରଫୋର୍ସ ଏକାଡେମୀରେ ବିମାନ ଉଡ଼ାଣ କରୁଥିଲେ । ସେବେ ତାଙ୍କୁ ଓଡ଼ିଶା ଆକାଶରେ ରାତି ବେଳା ବିମାନ ଉଡ଼ାଣ କରିବାକୁ ଏକାଡେମୀ ପକ୍ଷରୁ ବାରଣ କରାଯାଉଥିଲା । ରାଜ୍ୟର ଅଧିକାଂଶ ସ୍ଥାନ ଅନ୍ଧାର ରହୁଥିବାରୁ ବିମାନ ଉଡ଼ାଣରେ ସମସ୍ୟା ହେଉଥିଲା । କିନ୍ତୁ ଏବେ ଏହାର କିଛି ବର୍ଷ ପରେ ସେ ଯେବେ ବିମାନ ଉଡ଼ାଣ କଲେ ସେବେ ରାତିରେ ଅନେକ ସ୍ଥାନରେ ହାଇମାଷ୍ଟ ଲାଇଟ୍ ଝଲସୁଛି । ଉଭୟ ଦିନ ଓ ରାତିରେ ଏବେ ବିକାଶର ଚିତ୍ର ପ୍ରତିଫଳିତ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେୃତୃତ୍ୱରେ ଓଡ଼ିଶା ବିକାଶ ଦୌଡ଼ରେ ଆଗେଇ ଚାଲିଛି । ନବନିଯୁକ୍ତ ଏଏସ୍ଓମାନେ ଦାୟିତ୍ୱବାନ ହୋଇ ପ୍ରାଶାସନିକ କାର୍ଯ୍ୟରେ ସେମାନଙ୍କ ସର୍ବୋକୃଷ୍ଟ ପ୍ରତିଭା ପ୍ରଦର୍ଶନ କରନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅସିତ କୁମାର ତ୍ରିପାଠୀ କହିଥିଲେ, ରାଜ୍ୟ ସରକାର ପୂର୍ବରୁ ଜୁନିଅର ଆସିଷ୍ଟାଣ୍ଟ ନିଯୁକ୍ତି ଦେଉଥିଲେ । କିଛି ବର୍ଷ ତଳେ ଓଡ଼ିଶା ସଚିବାଳୟ ସେବା ଅଧୀନରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦରେ ନିଯୁକ୍ତି ଦେବାକୁ ସରକାର ଏକ ପ୍ରଗତିଶୀଳ ନିଷ୍ପତ୍ତି ନେଇଥିଲେ । କେନ୍ଦ୍ର ସରକାରଙ୍କ ଢାଞ୍ଚାରେ ଏହି ପଦବି ସୃଷ୍ଟି କରାଯାଇଥିଲା । ପୂର୍ବରୁ ୨୦୧୫ରେ ମୋଟ ୮୦୦ ଜଣ ଏଏସ୍ଓଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏବେ ୫୦୦ ଏଏସ୍ଓଙ୍କୁ ନିଯୁକ୍ତି ଦିଆଯାଇଛି । ଏହାଦ୍ୱାରା ରାଜ୍ୟ ସଚିବାଳୟରେ ଆବଶ୍ୟକତା ଥିବା ଭଲ ଓ ଗୁଣାତ୍ମକ ମାନର ଅଫିସର ଅଭାବ ପୂରଣ ହୋଇପାରିବ । ଗତ ୫ ବର୍ଷରେ ରାଜ୍ୟ ସରକାର ସରକାରୀ ସ୍ତରରେ ୬୫ ହଜାର ନିଯୁକ୍ତି ଦେଇଥିଲେ । ଆଗକୁ ସରକାରୀ ସ୍ତରରେ ୫୦ ହଜାର ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛନ୍ତି । ଏବେ ପ୍ରାଶାସନିକ କାର୍ଯ୍ୟରେ ଟେକ୍ନୋଲୋଜିକୁ ଗୁରୁତ୍ୱ ଦିଆଯାଉଛି । ସମସ୍ତ ଫାଇଲ ଓସ୍ୱାସ ସଫ୍ଟଓୟାରରେ ମଜହୁଦ ହୋଇ ରହୁଛି । ଏଣୁ ସମସ୍ତେ ଟେକ୍ନୋଲୋଜିକୁ ଆପଣାଇବାକୁ ସେ ପରାମର୍ଶ ଦେଇଛନ୍ତି । ଶେଷରେ ମୁଖ୍ୟମନ୍ତ୍ରୀ କିଛି ଏଏସ୍ଓଙ୍କୁ ନିଯୁକ୍ତିପତ୍ର ବାଣ୍ଟିଥିଲେ । ପରେ ମୋଟ ୫୦୦ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା ।
Comments are closed, but trackbacks and pingbacks are open.