ନବରଙ୍ଗପୁର, ମାଲକାନଗିରିରେ ମେଡିକାଲ୍ କଲେଜ ଖୋଲ:ସାଂସଦ ରମେଶ ମାଝି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ନବରଙ୍ଗପୁର ଓ ମାଲକାନଗିରିରେ ନୂଆ ମେଡିକାଲ୍ କଲେଜ ଖୋଲିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଭେଟି ଅନୁରୋଧ କରିଛନ୍ତି ନବରଙ୍ଗପୁର ସାଂସଦ ରମେଶ ମାଝି । ଶ୍ରୀ ମାଝି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ଦର୍ଶାଇଛନ୍ତି ଯେ, ନବରଙ୍ଗପୁର ଓ ମାଲକାନଗିରି ଦୁଇଟି ଜିଲ୍ଲା ହେଉଛି ଆଦିବାସୀ ବହୁଳ ଅଞ୍ଚଳ । ଏହି ଜିଲ୍ଲାଗୁଡ଼ିକ ମାଓପ୍ରବଣ । ଉଭୟ ଜିଲ୍ଲାରେ ଗରିବ, ପଛୁଆ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଲୋକମାନେ ରହୁଛନ୍ତି । ମାତ୍ର ଏହି ଅଞ୍ଚଳବାସିନ୍ଦା ବଡ଼ ସ୍ୱାସ୍ଥ୍ୟ ସମସ୍ୟା ହେଲେ ନାନାଦି ଅସୁବିଧା ଭୋଗୁଛନ୍ତି । ନିକଟରେ କୌଣସି ବଡ଼ ହସ୍ପିଟାଲ୍ କିମ୍ବା ମେଡିକାଲ୍ କଲେଜ ନାହିଁ । ତେଣୁ ରୋଗୀମାନଙ୍କୁ ଭୁବନେଶ୍ୱର କିମ୍ବା ବିଶାଖାପାଟଣା ନେବାକୁ ପଡ଼ୁଛି । ଯାହା ଉଭୟ ନବରଙ୍ଗପୁର ଓ ମାଲକାନଗିରିରୁ ବହୁ ଦୁରରେ ଅବସ୍ଥିତ । ଏପରିକି ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇଁ ସ୍ଥାନୀୟ ଗରିବ ବାସିନ୍ଦାମାନଙ୍କୁ ବହୁତ ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ୁଛି । ତେଣୁ ଉଭୟ ଜିଲ୍ଲାରେ ପୃଥକ ପୃଥକ ଭାବେ ଗୋଟିଏ ଲେଖାଏଁ ମେଡିକାଲ୍ କଲେଜ ପ୍ରତିଷ୍ଠା କରିବାକୁ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଶ୍ରୀ ମାଝି ଅନୁରୋଧ କରିଛନ୍ତି । ଏହି ଜିଲ୍ଲାଗୁଡ଼ିକରେ ମେଡିକାଲ୍ କଲେଜ ପ୍ରତିଷ୍ଠା ହେଲେ ଗରିବ, ପଛୁଆ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଲୋକମାନେ ଉପକୃତ ହୋଇପାରିବେ ବୋଲି ସାଂସଦ ଶ୍ରୀ ମାଝି କହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଭେଟିବା ଅବସରରେ ସାଂସଦ ଶ୍ରୀ ମାଝିଙ୍କ ସମେତ ଢେଙ୍କାନାଳ ସାଂସଦ ମହେଶ ସାହୁ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons