ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ । ୭୪ ବର୍ଷରେ ପାଦ ଥାପିବେ ନବୀନ । ଏଥିପାଇଁ ବିଜେଡି କର୍ମକର୍ତ୍ତା ଓ ନବୀନ ପ୍ରେମୀମାନେ ବେଶ୍ ଉତ୍ସାହିତ । ନବୀନଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ପାଇଁ ଫୁଲ ବରାଦ ଦେଇ ସାରିଥିଲେ ଅନେକ । ହେଲେ ନବୀନ ଆଜି ସ୍ୱତନ୍ତ୍ର ବାର୍ତ୍ତା ଜରିଆରେ ଜଣାଇ ଦେଇଛନ୍ତି, ଏଥର ସେ ଜନ୍ମ ଦିନ ପାଳିବେ ନାହିଁ । ବାତ୍ୟା ‘ଫୋନି’ ରାଜ୍ୟର ବିପୁଳ କ୍ଷତି କରିଛି । ସେଥିପାଇଁ ସେ ଜନ୍ମଦିନ ପାଳନ ନ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ।
ନବୀନ କହିଛନ୍ତି, ଓଡ଼ିଶାବାସୀ ହେଉଛନ୍ତି ମୋର ପରିବାର । ଓଡ଼ିଶାବାସୀଙ୍କ ସ୍ନେହ ଓ ଭଲ ପାଇବା ମୋତେ ଋଣୀ କରିଛି । ଜନସାଧାରଣଙ୍କ ଆଶୀର୍ବାଦ ସବୁଠାରୁ ବଡ଼ ପ୍ରେରଣା । ମୁଁ ବହୁତ ଖୁସି ଯେ ଆସନ୍ତାକାଲି ସାରା ରାଜ୍ୟରେ ଜୀବନ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
ଏହି ବାର୍ତ୍ତା ଜରିଆରେ ନବୀନ ନିଜ ଶୁଭେଚ୍ଛୁ ଓ ଦଳୀୟ କର୍ମୀଙ୍କୁ ନିବେଦନ କରି କହିଛନ୍ତି, ମୋତେ ଜନ୍ମ ଦିନ ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସ ଆସନ୍ତୁ ନାହିଁ । ଏହା ପରିବର୍ତ୍ତେ ନିକଟସ୍ଥ ଅନାଥ ଆଶ୍ରମ ଓ ଭିନ୍ନକ୍ଷମ ପିଲାଙ୍କ ସ୍କୁଲକୁ ଯାଆନ୍ତୁ । ସେମାନଙ୍କ ଭଲ ପାଇଁ କିଛି କାମ କରନ୍ତୁ ।
ସେ କହିଛନ୍ତି, କେବଳ ମୋର ଜନ୍ମଦିନ ନୁହେଁ, ଆପଣଙ୍କ ଜୀବନର ସବୁ ସ୍ମରଣୀୟ ଦିନ ଯେମିତିକି ଆପଣଙ୍କ ଜନ୍ମ ଦିନ, ପିଲାମାନଙ୍କ ଜନ୍ମ ଦିନ, ବିବାହ ବାର୍ଷିକୀ ଆଦି ଦିନଗୁଡ଼ିକରେ ଏହି ପିଲାମାନଙ୍କ ପାଖକୁ ଯାଆନ୍ତୁ । ସେମାନଙ୍କ ପାଇଁ କିଛି କରନ୍ତୁ । ଯେତେବେଳେ ଆପଣ ଅନାଥ ଆଶ୍ରମ ଓ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ବିଦ୍ୟାଳୟକୁ ଯାଉଛନ୍ତି, ସେତେବେଳେ ସାଥୀରେ ନିଜ ପରିବାର ଓ ପିଲାଙ୍କୁ ନେଇ ଯାଆନ୍ତୁ । ପିଲାମାନେ ହେଉଛନ୍ତି ଆମର ଭବିଷ୍ୟତ । ସେମାନଙ୍କ ଭଲ ପାଇଁ ଆପଣ ଯାହା କିଛି କରିବେ, ତାହା ସବୁଠାରୁ ଅଧିକ ଆନନ୍ଦ ଦେବ ବୋଲି ନବୀନ କହିଛନ୍ତି ।
Comments are closed, but trackbacks and pingbacks are open.