ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓବିସି ଓ ଏସଇବିସିବର୍ଗ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କର । ରାଜ୍ୟରେ ତୁରନ୍ତ ପଛୁଆବର୍ଗ କମିଶନ ଗଠନ କରି ସେମାନଙ୍କ କଲ୍ୟାଣ ପାଇଁ ଉଦ୍ଧିଷ୍ଟ ସାମ୍ବିଧାନିକ ଅଧିକାର ପ୍ରଦାନ କର । ଏମିତି ଦାବି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣି ଚିଠି ଲେଖି ଓବିସି ଓ ଏସଇବିସି ବର୍ଗଙ୍କୁ ସଂରକ୍ଷଣ ସୁବିଧା ଦେବାକୁ ଦୃଢ଼ ଦାବି ଜଣାଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି,ମହାରାଷ୍ଟ୍ର ବିଧାନସଭାର ପ୍ରସ୍ତାବ ପରିପ୍ରେକ୍ଷୀରେ ରାଜ୍ୟ କ୍ୟାବିନେଟ୍ ୨୦୨୧ ଜନଗଣନା ସହ ଓଡ଼ିଶାର ଏସ୍ଇବିସି ବର୍ଗ ଅନ୍ତର୍ଭୁକ୍ତ ଜାତିଙ୍କର ଗଣନା ପାଇଁ ପ୍ରସ୍ତାବ ଦେଇଛନ୍ତି । ରାଜ୍ୟ ସରକାର ଦୀର୍ଘବର୍ଷ ହେବ ଓବିସି ଓ ଏସ୍ଇବିସି ବର୍ଗର ଲୋକଙ୍କୁ ଉପଯୁକ୍ତ ସଂରକ୍ଷଣ ଅଧିକାର ଦେଇନଥିଲା ବେଳେ ନିଜର ଅପାରଗତା ଲୁଚାଇବାକୁ ଏଭଳି ନୂଆ ଉଦ୍ୟମ କରିଛନ୍ତି । ଏ ପ୍ରସଙ୍ଗକୁ ବିଚାର କରିବା ପାଇଁ ଉଦ୍ଧିଷ୍ଟ ରାଜ୍ୟରେ ପଛୁଆବର୍ଗ କମିଶନ ଏଯାଏ ଗଠନ ହୋଇନାହିଁ । ଏହା ନକରି ଜନଗଣନାରେ ପଛୁଆ ଜାତି ଗଣନା କଥା କହିବା ରାଜ୍ୟ ସରକାରଙ୍କର ଓବିସି ଓ ଏସଇବିସି ବର୍ଗ ପାଇଁ ଆଦୌ ପ୍ରତିବଦ୍ଧତା ଯେ ନାହିଁ ତାହା ଜଳଜଳ ।
ଶ୍ରୀ ପ୍ରଧାନ ଚିଠିରେ ଦର୍ଶାଇଛନ୍ତି, ୨୦୯ଟି ଜାତି ରାଜ୍ୟର ଏସ୍ଇବିସି ବର୍ଗରେ ସାମିଲ ଅଛନ୍ତି । ଦାରିଦ୍ର୍ୟ ଓ ଅଶିକ୍ଷାରେ ପୀଡ଼ିତ ରାଜ୍ୟର ମୋଟ ଜନସଂଖ୍ୟାର ପ୍ରମୁଖ ଅଂଶ ହେଉଛନ୍ତି ଓବିସି ଏବଂ ଏସ୍ଇବିସିବର୍ଗ । ସମ୍ବିଧାନର ଧାରା ୧୫(୪) ଓ ୧୬(୪) ବଳରେ କେନ୍ଦ୍ର ସରକାର ଓବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭% ସଂରକ୍ଷଣ ସୁବିଧା ଦେଇଛନ୍ତି । ଏହାକୁ ଉଚ୍ଚତମ ନ୍ୟାୟାଳୟ ମଧ୍ୟ ବୈଧ ଘୋଷଣା କରିଛନ୍ତି । ଦେଶରେ ଦୀର୍ଘ ୩୦ ବର୍ଷ ଧରି ଏହା ଲାଗୁ ହେଲା ପରେ ମଧ୍ୟ ଓଡ଼ିଶା ସରକାର ଓବିସିଙ୍କୁ ନିଯୁକ୍ତି ଓ ଶିକ୍ଷାକ୍ଷେତ୍ରରେ ଏବଂ ଏସ୍ଇବିସିଙ୍କୁ ଶିକ୍ଷା କ୍ଷେତ୍ରରେ କ’ଣ ପାଇଁ ସଂରକ୍ଷଣ ଦେଉନାହାନ୍ତି? ଦେଶର ସବୁ ରାଜ୍ୟ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅନୁ୍ୟନ ୨୭% ସଂରକ୍ଷଣ ଲାଗୁ କରିଥିବାବେଳେ କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ବିହାର ଆଦି ରାଜ୍ୟରେ ପଛୁଆ ଜାତିଙ୍କ ସଂଖ୍ୟା ଜନସଂଖ୍ୟାରେ ଅଧିକ ଭାଗ କାରଣରୁ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି । ତାମିଲନାଡୁ ଭଳି ରାଜ୍ୟରେ ୫୯% ସ୍ଥାନ ସଂରକ୍ଷିତ ଥିବାବେଳେ ଏଥିରୁ ୫୦% ପଛୁଆ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ମାତ୍ର ଓଡ଼ିଶା ଜନସଂଖ୍ୟାରେ ଓବିସି ଓ ଏସ୍ଇବିସି ସଂଖ୍ୟା ଯଥେଷ୍ଟ ଅଧିକ ଥିବାବେଳେ ଜନସଂଖ୍ୟା ଅନୁସାରେ ସେମାନେ ସଂରକ୍ଷଣ ସୁବିଧାରୁ ବଂଚିତ ଅଛନ୍ତି ।
ଶ୍ରୀ ପ୍ରଧାନ ତାଙ୍କ ଚିଠିରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରସଙ୍ଗରେ ଉଲ୍ଲେଖ କରି ଅଧିକ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ପ୍ରତିବନ୍ଧକ ନଥିବା ସ୍ପଷ୍ଟ କରିଛନ୍ତି । ଇନ୍ଦ୍ରାସ୍ୱହନୀ ଓ ଭାରତ ସରକାରଙ୍କ କେସ୍ ମାମଲାରେ ସୁପ୍ରିମକୋର୍ଟ ବିଶେଷ ପରିସ୍ଥିତିରେ ସ୍ଥାନ ସଂରକ୍ଷଣ ନିର୍ଦ୍ଧିଷ୍ଟ ସୀମାଠାରୁ ଅଧିକ ହୋଇପାରିବ ବୋଲି ରାୟ ଦେଇଛନ୍ତି । ମହାରାଷ୍ଟ୍ରର ଦେବେନ୍ଦ୍ର ଫଡ୍ନାବିସ ସରକାର ମରଠା ଜାତି ପାଇଁ ନିଯୁକ୍ତି ଓ ଶିକ୍ଷାରେ ୧୬ଧ ସଂରକ୍ଷଣ ବ୍ୟବସ୍ଥା କରିବା ପରେ ମହାରାଷ୍ଟ୍ରର ସ୍ଥାନ ସଂରକ୍ଷଣ ୬୩ଧକୁ ବୃଦ୍ଧି ପାଇଥିଲା । ରାଜ୍ୟ ସରକାର ବିଶେଷ କାରଣ ଯୋଗୁଁ ସଂରକ୍ଷଣ ବଢ଼ାଇପାରିବେ ଏବଂ ମହାରାଷ୍ଟ୍ର ସରକାରଙ୍କ ଅଧିକାରକୁ ବମ୍ବେ ହାଇକୋର୍ଟ ଗ୍ରହଣ କରିଥିଲେ । ରାଜ୍ୟରେ ୧୯୯୩ ମସିହାଠାରୁ ଓଡ଼ିଶା ଷ୍ଟେଟ୍ କମିଶନ ଫର୍ ବ୍ୟାକୱାର୍ଡ କ୍ଲାସେସ୍ ଆକ୍ଟ ପାସ୍ ହୋଇଛି । ମାତ୍ର ଏଯାଏ ଏହା କାର୍ଯ୍ୟକାରୀ ହୋଇନାହିଁ । ରାଜ୍ୟ ସରକାର ତୁରନ୍ତ ପଛୁଆବର୍ଗ କମିଶନ ଗଠନ କରି ତଥ୍ୟ ସମ୍ବଳିତ ରିପୋର୍ଟ ଆଧାରରେ ଜନସଂଖ୍ୟାରେ ଭାଗ ଅନୁସାରେ ଅଧିକ ପ୍ରତିଶତ ନିଯୁକ୍ତି ଏବଂ ଶିକ୍ଷା କ୍ଷେତ୍ରରେ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଧର୍ମେନ୍ଦ୍ର ଦାବି କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି, ରାଜ୍ୟର ଏହି ପଦକ୍ଷେପ ସଂରକ୍ଷଣ ସୁବିଧା ପାଉନଥିବା ଯୋଗ୍ୟ ବ୍ୟକ୍ତିମାନଙ୍କର ମଙ୍ଗଳ କରିବା ସହ ଜନସଂଖ୍ୟାର ସବୁବର୍ଗ ସୁବିଧା ସୁଯୋଗ ପାଇପାରିବେ । ଏ ଦିଗରେ ମୁଖ୍ୟମନ୍ତ୍ରୀ ତୁରନ୍ତ ସକରାତ୍ମକ ପଦକ୍ଷେପ ନେବେ ବୋଲି କେନ୍ଦ୍ର ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ପୂର୍ବରୁ ମଧ୍ୟ ଏ ନେଇ ସେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ ।
Comments are closed, but trackbacks and pingbacks are open.