ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଗୁଜରାଟ ଓ ମହାରାଷ୍ଟ୍ର ପରେ ତାମିଲନାଡୁରେ ଥିବା ପ୍ରବାସୀ ଓଡ଼ିଆ ଘରକୁ ଫେରିବେ । ଏ ସଂପର୍କରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ. କେ. ପଲାନିସ୍ୱାମୀଙ୍କ ସହ ଆଜି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ଆଲୋଚନା ସମୟରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ ।
କରୋନା ଲକଡାଉନ୍ କଟକଣାରୁ ବିଭିନ୍ନ ରାଜ୍ୟରେ ଓଡ଼ିଆ ଶ୍ରମିକ, ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ ଓ ବୃତ୍ତିଧାରୀମାନେ ଅଟକି ରହିଛନ୍ତି । ସେମାନେ ମାନସିକ ଅଶାନ୍ତି ସହ ଦୁର୍ବିସହ ଜୀବନ କାଟୁଥିଲା ବେଳେ ସେମାନଙ୍କୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହ ଆନୁଷଙ୍ଗିକ ପଦକ୍ଷେପ ହାତକୁ ନେଇଛନ୍ତି । ତାମିଲନାଡୁରେ ଫସି ରହିଥିବା ଓଡ଼ିଆମାନଙ୍କର ଉପଯୁକ୍ତ ଯତ୍ନ ନେଇଥିବାରୁ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ଯେଉଁ ଓଡ଼ିଆମାନେ ତାମିଲନାଡୁରୁ ଓଡ଼ିଶା ଫେରିବାକୁ ଚାହୁଁଛନ୍ତି ସେମାନଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇଦେବାକୁ ସେ ପାଲାନିସ୍ୱାମୀଙ୍କୁ ଅନୁରୋଧ କରିଛନ୍ତି । ତାମିଲନାଡୁ ସରକାର ସବୁ ପ୍ରକାର ସହଯୋଗ କରିବେ ବୋଲି ପଲାନିସ୍ୱାମୀ ପ୍ରତିଶ୍ରୁତି ଦେଇଛନ୍ତି ।
ଚେନ୍ନାଇର ଗୁରୁ ନାନକ କଲେଜରେ କରାଯାଇଥିବା ଶିବିରରେ ରହିଥିବା ଓଡ଼ିଆମାନେ ମଧ୍ୟ ଏ ଅବସରରେ ନବୀନଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହୋଇଥିଲେ । ତାମିଲନାଡୁ ସରକାରଙ୍କ ସବୁପ୍ରକାର ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ ।
ଉଲ୍ଲେଖଯୋଗ୍ୟ, କରୋନା ଲକ୍ଡାଉନ ଯୋଗୁଁ ବାହାର ରାଜ୍ୟରେ ଥିବା ଶ୍ରମିକମାନଙ୍କୁ କିଭଳି ସୁରକ୍ଷିତ ଭାବେ ଫେରାଇ ଅଣାଯିବ ସେ ନେଇ ରାଜ୍ୟ ସରକାର ରୋଡମ୍ୟାପ୍ ଆରମ୍ଭ କରିଛନ୍ତି । ଅନ୍ୟ ରାଜ୍ୟ ସରକାରମାନେ ଏଥିରେ ସହଯୋଗ କରିବା ନେଇ ନବୀନ ପ୍ରଥମେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ଭିଡିଓ କନଫରେନ୍ସିଂରେ ଏ ନେଇ ଆଲୋଚନା କରିଥିଲେ । ଗୁଜରାଟ ସରକାରଙ୍କ ସହଯୋଗ କାମନା କରିଥିଲେ । ଗୁଜରାଟ ସବୁପ୍ରକାର ସହଯୋଗ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକ୍ରେଙ୍କ ସହଯୋଗ ମଧ୍ୟ ନବୀନ ମାଗିଛନ୍ତି । ଉଦ୍ଧବ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
ଇତିମଧ୍ୟରେ ନିଜସ୍ୱ ଖର୍ଚ୍ଚରେ ସୁରତ ଓ କୋଟାରୁ ଓଡ଼ିଆ ଓଡ଼ିଶାମୁହାଁ ହୋଇଥିଲା ବେଳେ ଆଗକୁ ରାଜ୍ୟ ସରକାର ବିିଭନ୍ନ ରାଜ୍ୟରୁ ଫସି ରହିଥିବା ଓଡ଼ିଆମାନଙ୍କୁ ଫେରାଇ ଆଣିବାକୁ ବ୍ୟବସ୍ଥା କରୁଛନ୍ତି । ପ୍ରବାସୀ ଓଡ଼ିଆମାନେ ଫେରିବା ପରେ ସେମାନଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଛି ।
Comments are closed, but trackbacks and pingbacks are open.