ପୁରୀ,(ବି.ବି.ନୁ୍ୟଜ୍): କୋଭିଡ୍ କଟକଣା ହଟିବାର ଆଶା ନାହିଁ । ସଂକ୍ରମଣ ଆଶଙ୍କାରେ ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶ ବନ୍ଦ ରହିଛି ।କଟକଣାରେ ମହାପ୍ରଭୁଙ୍କ ରଥଯାତ୍ରା ସଫଳତାର ସହ ପାଳନ ହୋଇଯାଇଛି । ଏହି ଭରସା ନେଇ ଶ୍ରୀମନ୍ଦିରରେ ନଭେମ୍ବର ୨୭ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଳନ ପାଇଁ ପ୍ରଶାସନ ଅଣ୍ଟାଭିଡ଼ିଛି । ବେଶ ପାଇଁ ଅର୍ଥ ବ୍ୟବସ୍ଥା କରିବା ଘଟଣାରୁ ପ୍ରଶାସନର ପ୍ରସ୍ତୁତି ସଙ୍କେତ ମିଳିଛି । ଏହି ପର୍ବ ପାଳନ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ୬୮ ଲକ୍ଷ ଟଙ୍କା ବ୍ୟୟ ବ୍ୟବସ୍ଥା କରୁଥିବାର ଅଭାସ ମିଳିଛି ।
ବେଶ ତିଥି ନିର୍ଦ୍ଧାରଣ ହୋଇଥିଲେ ମଧ୍ୟ କୋଭିଡ୍ କଟକଣା ଜାରି ରହିଲେ ବିନା ଭକ୍ତରେ ନାଗାର୍ଜୁନ ବେଶ ହେବ । ପ୍ରଭୁଙ୍କ ବେଶ ନୀତି କେବଳ ବିଧି ମଧ୍ୟରେ ସୀମିତ ରହିବା ନେଇ କଳ୍ପନା ଜଳ୍ପନା ଚାଲିଛି । ଦର୍ଶନ କଟକଣା ଜାରି ରହିଲେ ବେଶ ଦର୍ଶନ ସୁଯୋଗ କେବଳ ସେବାୟତଙ୍କୁ ମିଳିବ । ତାହା ବି ପାଳିଆ ସେବକଙ୍କ ମଧ୍ୟରେ ସୀମିତ ରହିବ କି ନାହିଁ ତାହା ଜଣାପଡି ନାହିଁ । ବେଶ ବ୍ୟବସ୍ଥାବଳୀ ଏବଂ ରୂପରେଖ ନେଇ ଠିକଣା ସମୟରେ ସୂଚନା ଦିଆଯିବ ବୋଲି ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶସକ ଗଣମାଧ୍ୟମକୁ କହି ସାରିଛନ୍ତି ।
ଦୀର୍ଘ ୨୬ ବର୍ଷ ବ୍ୟବଧାନରେ ଶ୍ରୀମନ୍ଦିରରେ ଏହି ବେଶ ପାଳନ ନିମନ୍ତେ ପ୍ରସ୍ତୁତି ଚାଲିଛିି । ୨୦୨୦ କାର୍ତ୍ତିକ ମାସ ନଭେମ୍ବର ୨୭ ତାରିଖରେ ଏହି ବେଶ ଅନୁପାଳନ ହେବ । ବେଶ ସମ୍ପର୍କରେ ଜ୍ୟୋତିର୍ବିତ୍ମାନେ ମଧ୍ୟ ଏଭଳି ଗଣନା କରିଛନ୍ତି । ଜ୍ୟୋତିଷ ବାଚସ୍ପତି ବୈକୁଣ୍ଠ ନାଥ ନାୟକ କହିଛନ୍ତି କାର୍ତ୍ତିକ ଦ୍ୱାଦଶୀ ମଳ ତିଥିରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହେବାର ତିଥି ରହିଛି ।
ଏଥିପୂର୍ବରୁ ଭକ୍ତମାନେ ଲାଗ ଲାଗ ଦୁଇ ବର୍ଷ ୧୯୯୩ ଏବଂ ୧୯୯୪ରେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନର ସୁଯୋଗ ପାଇଥିଲେ । ୧୯୯୪ ନଭେମ୍ବର ୧୬ ତାରିଖ ମଳ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଏହି ବେଶ ହୋଇଥିଲା । ତା ପୂର୍ବ ବର୍ଷ ୧୯୯୩ ନାଗାର୍ଜୁନ ବେଶ କିନ୍ତୁ ଚର୍ଚ୍ଚାକୁ ଆସିଥିଲା । ଏହି ବର୍ଷ ବେଶ ଦର୍ଶନ ବେଳେ ଶ୍ରୀମନ୍ଦିର ଗହଳି ଭିତରେ ଦଳାଚକଟା ଘଟି ସାତ ଜଣ ଭକ୍ତଙ୍କ ଜୀବନ ଯାଇଥିଲା । ଏନେଇ ତଦନ୍ତ କମିସନ ବସିଥିଲା । ତଦନ୍ତ ହେଲା କିନ୍ତୁ ତଦନ୍ତ ଏହି ରିପୋର୍ଟ ବାହାରକୁ ଆସି ପାରିନାହିଁ ।
ସାଧାରଣତଃ ପ୍ରତିବର୍ଷ କାର୍ତ୍ତିକ ମାସରେ ଶୁକ୍ଳ ଏକାଦଶୀ ତିଥିରୁ କାର୍ତ୍ତିକ ପୂର୍ଣିମା ପର୍ଯ୍ୟନ୍ତ ପାଞ୍ଚ ଦିନ ପଞ୍ଚୁକ ପଡିଥାଏ । ଏହି ୫ଦିନ ମଧ୍ୟରୁ ଏକାଦଶୀରେ ତିଥିରେ ମହାପ୍ରଭୁଙ୍କର ଲକ୍ଷ୍ମୀନାରାୟଣ ବେଶ, ଦ୍ୱାଦଶୀରେ ବାଙ୍କଚୂଡ଼ ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଧଶୀରେ ଡାଳକିଆ ବେଶ ଏବଂ ପୁର୍ଣିମାରେ ରାଜରାଜେଶ୍ୱର ବେଶ (ସୁନାବେଶ) ହୋଇଥାଏ ଶ୍ରୀମନ୍ଦିରରେ । ଅନ୍ୟ ପକ୍ଷରେ କାର୍ତ୍ତିକ ପଞ୍ଚୁକ ବ୍ରତ ଛଅ ଦିନ ପଡିବା ବର୍ଷରେ ନାଗାର୍ଜୁନ ବେଶ ଦର୍ଶନ ହୋଇଥାଏ । କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ଚତୁର୍ଦ୍ଧଶୀ ପର୍ଯ୍ୟନ୍ତ ପଞ୍ଚୁକର ଯେଉଁ ତିଥି ମଳ ରହେ ସେହି ତିଥିରେ ଠାକୁରମାନଙ୍କ ନାଗାର୍ଜୁନ ବେଶ ହେବାର ପରମ୍ପରା ରହିଛି ।
ଏହି ବେଶରେ ଠାକୁରମାନେ ସୋଲ କନା, ଜରି, ବେତ ନିର୍ମିତ ହାଣ୍ଡିଆ, ନିଶଦାଢ଼ି, ସୋଲର ଛୁରି, କଟାରୀ, ବାଘଛାଲ, ସିଂଘଡା, କଲିଫି, ସୁବର୍ଣ ଶ୍ରୀଭୁଜ, ଶ୍ରୀପୟର, ବାଘନଖି ମାଳି, ହରିଡା ମାଲି ଆଦି ଆଭୁଷଣ ଲାଗି ହେବାର ପରମ୍ପରା ରହିଛି । ଶ୍ରୀଜଗନ୍ନାଥଙ୍କ ଶ୍ରୀହସ୍ତରେ ଶଙ୍ଖ, ଚକ୍ର,ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଶ୍ରୀହସ୍ତରେ ହଳ ମୂଷଳ ଧାରଣ କରି ନାଗା ଭଳି ସାଜେଣି ହୁଅନ୍ତି ବୋଲି ସେବକମାନେ କହିଛନ୍ତି ।
Comments are closed, but trackbacks and pingbacks are open.