
ରାୟଗଡ଼ା,(ବି.ବି.ନୁ୍ୟଜ): ମହାମାରୀଠାରୁ ବହୁ ଦୂରରେ ରହୁଥିବା ନିୟମଗିରି ପାହାଡ଼ରେ କରୋନା ବର୍ତ୍ତମାନ ମାଡ଼ିଚାଲିଛି । କୋଭିଡ୍ର ଦ୍ୱିତୀୟ ଲହର ଏବେ ନିୟମଗିରିରେ ଆତଙ୍କ ଖେଳାଇଛି । କରୋନାରେ ଗତ ୩ ଦିନ ମଧ୍ୟରେ ୨୧ ଜଣ ଆଦିମ ଜନଜାତି ଡଙ୍ଗରିଆକନ୍ଧ ଆକ୍ରାନ୍ତ ହୋଇଛନ୍ତି । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସେମାନେ ରାଜି ହେଉନାହାନ୍ତି । ଆଜି ଏକ ମେଡିକାଲ ଟିମ୍ ନମୁନା ସଂଗ୍ରହ ପାଇଁ ଯାଇଥିବା ବେଳେ କେହି ମଧ୍ୟ ଟିମ୍ ନିକଟକୁ ଆସି ନ ଥିଲେ । ବିଶେଷକରି ସ୍ୱାବ୍ ସଂଗ୍ରହରେ କେହି ସହଯୋଗ କରି ନ ଥିଲେ । କହିଥିଲେ, ସେମାନେ ନିୟମ ରାଜାଙ୍କ ସନ୍ତାନ । ତାଙ୍କୁ ପୂଜା କରୁଛନ୍ତି । ସେମାନଙ୍କର କିଛି ବି ହେବନି । ଏହାକୁ ନେଇ ପ୍ରଶାସନର ମୁଣ୍ଡବଥା ବଢ଼ିଯାଇଛି । ସେମାନଙ୍କୁ ବୁଝାଇବା ଲାଗି ଉଦ୍ୟମ ଜାରି ରହିଥିବା କଲ୍ୟାଣସିଂହପୁର ବିଡିଓ କହିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର କଲ୍ୟାଣସିଂହପୁର ଓ ବିଷମକଟକ ବ୍ଲକ୍ର ବିଭିନ୍ନ ଗାଁରୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । ଆଜି ଏକ ମେଡିକାଲ ଟିମ୍ ନମୁନା ସଂଗ୍ରହ ପାଇଁ ଯାଇଥିବା ବେଳେ କେହି ହେଲେ ସହଯୋଗ କରି ନ ଥିଲେ । ପାହାଡ଼ର ଉପର ଓ ପାଦଦେଶର ଅନେକ ଗାଁରେ ଏଭଳି ଅବସ୍ଥା ଉପୁଜିଥିଲା । କଲ୍ୟାଣସିଂହପୁର ବ୍ଲକ୍ରେ ଥିବା ଗାଁଗୁଡ଼ିକରେ ଅସହଯୋଗ ଯୋଗୁ ଟିମ୍ର ଚିନ୍ତା ବଢ଼ିଯାଇଛି । ଏହି ବ୍ଲକ୍ର ପାକେରୀ, ବୁଡ଼ୁଣି, ନିରୁଗୁଣ୍ଡି ଗାଁରେ ଲୋକଙ୍କ ଅସହଯୋଗ ଯୋଗୁ ନମୁନା ସଂଗ୍ରହ ଠିକ୍ ଭାବେ ହୋଇପାରି ନ ଥିଲା । ମେଡିକାଲ ଟିମ୍କୁ ମହିଳାମାନେ ବିରୋଧ କରିଥିଲେ । ଫଳରେ ଗାଁରୁ ମେଡିକାଲ୍ ଟିମ୍ ଫେରି ଆସି ପାର୍ସାଲି ପଞ୍ଚାୟତରେ କ୍ୟାମ୍ପ୍ କରି ନମୁନା ସଂଗ୍ରହ କରିଥିଲେ । ମଙ୍ଗଳବାର ପୁଣି ଥରେ ନମୁନା ସଂଗ୍ରହ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଲୋକଙ୍କୁ ସଚେତନ କରି କୋଭିଡ୍ ନିୟମ ଅନୁଯାୟୀ ନମୁନା ସଂଗ୍ରହ ପାଇଁ ପ୍ରସ୍ତୁତି ଚାଲିଥିବା ଭାରପ୍ରାପ୍ତ ବିଡିଓ କାଳୁଚରଣ ନାୟକ କହିଛନ୍ତି ।
ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ମଧ୍ୟ ଏହି ନମୁନା ସଂଗ୍ରହକୁ ବିରୋଧ କରାଯାଇଛି । ସମିତି ସଭାପତି ଲଦ ସିକକା କହିଛନ୍ତି, ଗତ ଦୁଇବର୍ଷ ହେବ ଦେଶରେ କରୋନା ବ୍ୟାପିଛି । ହେଲେ ନିୟମଗିରି ପାହାଡ଼ରେ ଗତ ୫ ଦିନ ହେଲା ଡଙ୍ଗରିଆ ସମ୍ପ୍ରଦାୟର ଲୋକେ ଆକ୍ରାନ୍ତ ହୋଇଛନ୍ତି ବୋଲି କୁହାଯାଉଛି । କିନ୍ତୁ ଏହା ସତ କି ମିଛ ଆମେ ଜାଣିପାରୁ ନାହୁଁ । ଦେହରେ ରକ୍ତ ମାଂସ ଥିଲେ ରୋଗ ନିଶ୍ଚିତ ହେବ ବୋଲି ସେ ଭିନ୍ନ ଯୁକ୍ତି ବାଢ଼ିଥିଲେ । ଯାହାକି ବର୍ତ୍ତମାନ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ବର୍ତ୍ତମାନ ସୁଦ୍ଧା ୨୧ ଜଣ ଡଙ୍ଗରିଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହା ଜଣାପଡ଼ିବା ପରେ ଡଙ୍ଗରିଆକନ୍ଧ ଉନ୍ନୟନ ସଂସ୍ଥା ପକ୍ଷରୁ ବିଭିନ୍ନ ଗାଁରେ ଲୋକଙ୍କୁ ସଚେତନ କରାଯାଉଛି । ପ୍ରତ୍ୟେକ ଗାଁରେ ଲୋକଙ୍କୁ କରୋନା ମୁକାବିଲା ନିମନ୍ତେ ବୁଝାଯିବା ସହ କିଭଳି ସଙ୍ଗରୋଧରେ ରହିବେ ସୂଚନା ଦିଆଯାଉଛି । ନିୟମଗିରିକୁ କରୋନା ପ୍ରବେଶ କରିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘରଘର ବୁଲି ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । କଲ୍ୟାଣସିଂପୁର, ବିଷମକଟକ ଓ ମୁନିଗୁଡ଼ା ବ୍ଲକ୍ର ବିଭିନ୍ନ ଡଙ୍ଗରିଆ ବସ୍ତିରେ ସ୍ୱାସ୍ଥ୍ୟବିଭାଗ ଏବଂ ଡଙ୍ଗରିଆକନ୍ଧ ଉନ୍ନୟନ ସଂସ୍ଥା ପକ୍ଷରୁ ମିଳିତ ସର୍ଭେ କରାଯାଉଛି । ଯେଉଁମାନଙ୍କ ଅବସ୍ଥା ସଂକଟାପନ୍ନ ରହିଛି ସେମାନଙ୍କୁ ନିକଟ ସିସିସି କିମ୍ବା କୋଭିଡ୍ ମେଡିକାଲକୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି । ଡଙ୍ଗରିଆ ବସ୍ତିରେ କରୋନା ପ୍ରବେଶ ଚିନ୍ତାଜନକ ହୋଇଥିବା ବେଳେ ଏହା ଗୋÂୀ ସଂକ୍ରମଣ ରୂପ ନେବା ଆଶଙ୍କା ରହିଛି । ତେଣୁ ଡଙ୍ଗରିଆକନ୍ଧ ସମ୍ପ୍ରଦାୟ ଲୋକଙ୍କୁ ସଚେତନ କରିବା ଜରୁରି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।


Comments are closed, but trackbacks and pingbacks are open.