ଜଗତସିଂହପୁର,(ବି.ବି.ନୁ୍ୟଜ୍): ଶେଷରେ ନର୍ସ ନିହାରୀକା ହତ୍ୟାକାଣ୍ଡ ରହସ୍ୟର ପର୍ଦ୍ଧାଫାସ୍ ହୋଇଛି । ବୟଫ୍ରେଣ୍ଡ କିଶୋର ହିଁ ନିହାରୀକାଙ୍କ ହତ୍ୟାକାରୀ ବୋଲି ତଦନ୍ତକାରୀ ପୁଲିସ ସ୍ପଷ୍ଟ କରିଛି । ନିହାରୀକା ଚାକିରି କରୁଥିବା ନର୍ସିଂହୋମ୍ରୁ ତାଙ୍କୁ ଡକାଇ ନେଇଥିଲା କିଶୋର । ନିିଜ ବନ୍ଧୁର ଭଡ଼ାଘରକୁ ନେଇ ସେଠାରେ ହତ୍ୟା କରିଥିଲା । ପରେ ସେ ନିହାରୀକାଙ୍କ ମୃତଦେହକୁ ଅଖାରେ ବାନ୍ଧି ବାଇକ୍ରେ ନେଇ ନଦୀରେ ଫିଙ୍ଗିଦେଇଥିଲା । ଆଜି ଏକଥା ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି ଜଗତସିଂହପୁର ଜିଲ୍ଲା ଏସ୍ପି ପ୍ରକାଶ ରଙ୍ଗରାଜ । ଏସ୍ପିଙ୍କ କହିବା ମୁତାବକ, କଟକ ଲିଙ୍କ୍ ରୋଡ୍ସ୍ଥିତ ଏକ ଘରୋଇ ନର୍ସିଂହୋମରୁ ନିଜ ହୋଣ୍ଡା ସାଇନ୍ ବାଇକ୍(ନଂ ଓଡ଼ି୨୧ଏଫ୍୯୦୫୧)ରେ ଠିକ୍ ଅପରାହ୍ନ ୪ଟା ୫୬ରେ ନର୍ସ ନିହାରିକା ପାତ୍ରଙ୍କୁ ଆଣିଥିଲେ ହାଜିପୁର ନୂଆସାହି(ପାତ୍ରସାହି)ର କିଶୋର ଚନ୍ଦ୍ର ଅଞ୍ଚଳ ଓରଫ୍ ରାଜା । ଦୁହେଁ ସେଠାରୁ ସିଧା ଆସି ପହଞ୍ଚିଥିଲେ ଚାଉଳିଆଗଞ୍ଜ ଅପର୍ଣ୍ଣାନଗର ସ୍ଥିତ କିଶୋରର ବନ୍ଧୁ ସୁନିଲ କୁମାର ସାହୁଙ୍କ ଭଡ଼ା ଘରେ । ପାଖାପାଖି ଏକ ଘଣ୍ଟା ପରେ ନିହାରିକାଙ୍କୁ ଏଠାରେ ହତ୍ୟା କରାଯାଇଥିଲା । ନିହାରିକାଙ୍କ ଶରୀର ନିସ୍ତେଜ ପଡ଼ିଯିବା ପରେ ମୃତଦେହକୁ ଠିକଣା ଜାଗାରେ ଲଗାଇବା ନିମନ୍ତେ ଚିନ୍ତା କରିଥିଲା କିଶୋର । ତେଣୁ ସେ ନିଜ ବନ୍ଧୁ ସୁନିଲଙ୍କ ବେଡ୍୍ସିଟ୍ରେ ହିଁ ଭଲ ଭାବେ ନିହାରିକାଙ୍କ ମୃତ ଶରୀରକୁ ବାନ୍ଧି ଦେଇଥିଲା । ଘର ଭିତରେ ଥିବା ରଶି ଆଣି ବେଡ୍ସିଟ୍ ମିଶା ମୃତଦେହ ଉପରେ ଭଲ ଭାବେ ଗଣ୍ଠି ପକାଇଥିଲା । ତା’ପରେ ପାଖ ବଜାରକୁ ବାହାରି ଯାଇ ଏକ ଚୋକଡ଼ ଅଖା(ଜରି) କିଣିି ଆଣିଥିଲା । ଉକ୍ତ ଅଖାରେ ହିଁ ନିହାରିକାଙ୍କ ମୃତଦେହକୁ ଭର୍ତ୍ତି କରି ବେଶ ସନ୍ତର୍ପଣରେ ନିଜ ବାଇକ୍ ପଛରେ ବାନ୍ଧି ଦେଇଥିଲା । ନିଜ ଯୋଜନା ମୁତାବକ ସବୁ କରିବା ପରେ ଏକମୁହାଁ ହୋଇ ଅଭିଯୁକ୍ତ କିଶୋର ଅଥଙ୍ଗା ପର୍ଯ୍ୟନ୍ତ ଛୁଟି ଆସିଥିଲା । ତେବେ ମୁଖ୍ୟ ରାସ୍ତା ପରିବର୍ତ୍ତେ ଅଥଙ୍ଗା ପାଖରେ ଭାଙ୍ଗିଥିବା କେନାଲ ବନ୍ଧ ରାସ୍ତା ଦେଇ ବିଲୁଆଖାଈ ନଦୀର ହାଜିପୁର ଘାଟ ପର୍ଯ୍ୟନ୍ତ କିଶୋର ପଳାଇ ଆସିଥିଲା । ସେତେବେଳକୁ ସମୟ ସନ୍ଧ୍ୟା ସାଢ଼ ସାତଟା ବାଜି ସାରିଥିଲା । ଅନ୍ଧାର ସାଙ୍ଗକୁ କେହି ନ ଥିବାରୁ ଉକ୍ତ ଘାଟରେ ହିଁ ବସ୍ତାରେ ଥିବା ନିହାରିକାଙ୍କ ମୃତଦେହକୁ ନଦୀରେ ଫିଙ୍ଗି କିଶୋର ନିଜ ଘର ହାଜିପୁରର ପାତ୍ରସାହିକୁ ପଳାଇ ଯାଇଥିଲା । ଏକା କିଶୋର ହିଁ ଏସବୁ କାମ କରିଛି, ଏଥିରେ ଆଉ କାହାର ସଂପୃକ୍ତି ନାହିଁ ବୋଲି ଏସ୍ପି କହିଛନ୍ତି ।
ତେବେ ମୃତୁ୍ୟର କାରଣ ସଂପର୍କରେ ଏସ୍ପି ବେଶ ମାପିଚୁପି କହିଥିବା ଲକ୍ଷ୍ୟ କରାଯାଇଥିଲା । ନିହାରିକାଙ୍କ ଗଳାରେ ଏକ ଦାଗ ରହିଥିବାରୁ ଏହା ମୃତୁ୍ୟର କାରଣ ହୋଇଥାଇପାରେ ବୋଲି ଏସ୍ପି ଗଣମାଧ୍ୟମକୁ ଜଣାଇଥିଲେ । ଏହାସହ ରାଜା ବେକାର । ନର୍ସ ନିହାରିକାଙ୍କୁ ସେ ଭଲ ପାଉଥିଲେ । ରୂପାଲିଙ୍କ ଆର୍ଥିକ ସ୍ଥିତି ମଧ୍ୟ ସେତେଟା ସ୍ୱଚ୍ଛଳ ନୁହେଁ । ଉଭୟଙ୍କ ଭିତରେ ବିବାହ ପ୍ରସ୍ତାବ ପଡ଼ିଥିଲା । କିନ୍ତୁ ବିବାହ ଚାପକୁ ଏଡ଼ାଇ ଚାଲିଥିଲେ କିଶୋର । ଯାହାକୁ ନେଇ ଉଭୟଙ୍କ ଭିତରେ ତିକ୍ତତା ସୃଷ୍ଟି ହୋଇଥିଲା । ଆଉ ସେ ଦିନ ମଧ୍ୟ ଏହାକୁ କେନ୍ଦ୍ର କରି ନର୍ସ ତଥା ପ୍ରେମିକା ନିହାରିକାଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା କିଶୋର । ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଉପରେ ଆଗକୁ ଅଧିକ ତର୍ଜର୍ମା କରିବେ ଡାକ୍ତରୀ ଦଳ । କାରଣ ବେକରେ ଯେଉଁ ଆକାରର ଦାଗ ରହିଥିଲା, ସେଥିରେ ଜଣେ ଯୁବତୀଙ୍କ ମୃତୁ୍ୟ ଘଟିବ ନା ନାହିଁ ତାହାର ଡାକ୍ତରୀ ଦଳ ଦ୍ୱାରା ଯାଞ୍ଚ ପରେ ସ୍ପଷ୍ଟ ହେବ । ଏହାସହ ମୃତକଙ୍କ ଭିସେରା ପରୀକ୍ଷା କରାଯିବ । ଏସବୁ ରିପୋର୍ଟ ଆସିବା ପରେ ହିଁ ମୃତୁ୍ୟ କିଭଳି ଘଟିଛି ତାହା ଜଣାପଡ଼ିବ ବୋଲି ଏସ୍ପି ରଙ୍ଗରାଜ କହିଥିଲେ ।
ଅପରପକ୍ଷେ ହତ୍ୟାକାରୀ ଏକମାତ୍ର ରାଜା ହୋଇଥିବାର ଯଥେଷ୍ଟ ପ୍ରମାଣ ପୁଲିସ ହାତରେ ଲାଗିଛି । ବିଶେଷକରି ଅପର୍ଣ୍ଣାନଗର ଅଞ୍ଚଳରୁ ଏକାଧିକ ସିସିଟିଭି ଫୁଟେଜ୍ ପୁଲିସ ପକ୍ଷରୁ ସଂଗ୍ରହ କରାଯାଇଥିଲା । ଉକ୍ତ ଫୁଟେଜ୍ରେ ରାଜା ହିଁ ମୋଟର ସାଇକେଲରେ ବସ୍ତାରେ ଭର୍ତ୍ତି ନିହାରିକାଙ୍କ ମୃତଦେହ ଲଦି ନେଇ ଯାଉଥିବା ଲକ୍ଷ୍ୟ କରାଯାଇଥିଲା । ସେହିପରି ଫରେନସିକ୍ ତଥ୍ୟ ପ୍ରମାଣ ରହିବା ସହ ନର୍ସିଂହୋମରୁ ବାହାରୁଥିବା ସମୟର ଫୁଟେଜ୍ ସଂଗ୍ରହ କରାଯାଇଛି । ଏତଦ୍ଭିନ୍ନ ଅଭିଯୁକ୍ତ କିଶୋରଙ୍କ ଫୋନ୍ ସିଡିିଆର୍ (କଲ ଡାଟା ରେକର୍ଡର୍)ରୁ ଯଥେଷ୍ଟ ସୁରାକ୍ ମିଳିଥିଲା । ଏସବୁ ପ୍ରମାଣ ଆଧାରରେ ଅଭିଯୁକ୍ତ ରାଜାକୁ ଗିରଫ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବା ଏସ୍ପି ରଙ୍ଗରାଜ ସୂଚନା ପ୍ରଦାନ କରିଥିଲେ । ହତ୍ୟାକାଣ୍ଡରେ ବ୍ୟବହୃତ ହୋଣ୍ଡା ସାଇନ୍ ବାଇକ୍ ସହ ରାଜା ପିନ୍ଧିଥିବା ଏକ ହେଲମେଟ୍ ଓ ତାର ମୋବାଇଲ୍କୁ ଜବତ କରାଯାଇଥିବା ଜିଲ୍ଲା ପୁଲିସ ମୁଖ୍ୟାଳୟ ସୂତ୍ରରୁ ପ୍ରକାଶ ।
ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଗତ ୮ ତାରିଖ ବୀଭତ୍ସ ହତ୍ୟାକାଣ୍ଡ ପରେ ରାଜା ଓରଫ କିଶୋର ବେଶ ସ୍ୱାଭାବିକ ଥିଲା । କାରଣ ୯ ତାରିଖ ଦିନ ସେ ନିଜ ବାପା କାର୍ତ୍ତିକ ଅଞ୍ଚଳଙ୍କ ଅଥଙ୍ଗା ହୋଟେଲକୁ ଯାଇଥିଲା । ସେଠାରୁ ସିଧା ଜଗତସିଂହପୁର ସହର ଉପକଣ୍ଠ କେନ୍ଦାଳରେ ଥିବା ମାମୁ ଘରକୁ ପଳାଇ ଆସିଥିଲା । ୧୦ ତାରିଖ ପର୍ଯ୍ୟନ୍ତ ମାମୁ ଘରେ ରହିବା ସହ ଖୁଦୁରୁକୁଣୀ ପୂଜା ଉତ୍ସବରେ ସାମିଲ ହୋଇଥିଲା । ଏପଟେ ନର୍ସ ରୂପାଲି ନିଖୋଜ ସଂକ୍ରାନ୍ତରେ ମଧୁପାଟଣା ଥାନାରେ ଉକ୍ତ ଘରୋଇ ନର୍ସିଂହୋମ ପକ୍ଷରୁ ଗତ ୯ ତାରିଖରେ ହିଁ ଅଭିଯୋଗ କରାଯାଇଥିଲା । ଫଳରେ ମଧୁପାଟଣା ପୁଲିସ ପକ୍ଷରୁ ଏ ଦିଗରେ ଛାନ୍ଭିନ୍ ହୋଇଥିଲା । ଯେହେତୁ ଅଭିଯୋଗ ପତ୍ରରେ କିଶୋରଙ୍କ ସହ ନର୍ସ ରୂପାଲି ୮ ତାରିଖରୁ କେଉଁଆଡେ଼ ଯାଇଥିବା ଉଲ୍ଲେଖ କରାଯାଇଥିଲା, ସେ ଦୃଷ୍ଟିରୁ ମଧୁପାଟଣା ପୁଲିସ ବିରିଡ଼ି ହାଜିପୁର ଆସି ତଦନ୍ତ କରିଥିଲେ । ଏଣେ ମଧୁପାଟଣା ପୁଲିସ ପକ୍ଷରୁ ସୂଚନା ପାଇବା ପରେ ଗତ ୧୨ ତାରିଖ ସନ୍ଧ୍ୟାରେ ହିଁ କିଶୋରଙ୍କୁ ଥାନାକୁ ଡକାଇଥିଲା ବିରିଡ଼ି ପୁଲିସ । ସେ ସମୟରେ ସେ ନର୍ସ ନିଖୋଜ ଉପରେ କିଛି ଜାଣିନଥିବା କହିଥିଲା । ଏପଟେ ମଧୁପାଟଣା ପୁଲିସ ମଧ୍ୟ କିଶୋରକୁ ସେତେ ଖୋଜି ନ ଥିଲେ । ବାଧ୍ୟ ହୋଇ ବିରିଡ଼ି ପୁଲିସ ସେଇ ଦିନ ରାତିରେ ହିଁ କିଶୋରଙ୍କୁ ଛାଡ଼ି ଦେଇଥିଲେ । ୧୧ ଓ ୧୨ ତାରିଖ ରାତି ପାତ୍ରସାହି ଘରେ କାଟିବା ପରେ ଅଧିକ ଇତସ୍ତତଃ ହୋଇ ପଡ଼ିଥିଲା କିଶୋର । କାଳେ ଧରା ପଡ଼ିଯିବ ସେ କଥା ଚିନ୍ତା କରି ଗତ ୧୩ ତାରିଖ ସକାଳୁ ଟ୍ରେନ୍ରେ ଚେନ୍ନାଇ ଖସି ଯାଇଥିଲା । ସୂଚନା ଥାଉକି, ଗତ ୧୭ ତାରିଖ ଦିନ ବିରିଡ଼ି ଥାନା ଅନ୍ତର୍ଗତ ନୂଆପାରୀର ବିଲୁଆଖାଇ ନଦୀ ପଠାରୁ ରୂପାଲିଙ୍କ ମୃତଦେହ ଠାବ କରାଯାଇଥିଲା । ମୃତଦେହଟି ଏକ ଚୋକଡ଼ ଅଖା ଭିତରେ ଭର୍ତ୍ତି ହୋଇଥିବା ବେଳେ ହାତ ବନ୍ଧା ଯାଇଥିବା ନଜରକୁ ଆସିଥିଲା ।
Comments are closed, but trackbacks and pingbacks are open.