ନଳକୂଅରୁ ବାହାରୁନି ପାଣି: ଲୋକେ ହନ୍ତସନ୍ତ

Get real time updates directly on you device, subscribe now.

ପଟ୍ଟାଙ୍ଗି: ନଳକୂଅରୁ ବାହାରୁନି ଆବଶ୍ୟକ ପାଣି । କିଛି ସମୟ ବାହାରିବା ପରେ ଶୁଖିଯାଉଛି ଜଳସ୍ତର । ଯେଉଁ ପାଣି ବାହାରୁଛି ତାହା ଗୋଳିଆ ଏବଂ ଦୁର୍ଗନ୍ଧଯୁକ୍ତ । ଏହି କାରଣରୁ ନଳକୂଅର ପାଣି ବ୍ୟବହାର କରୁନାହାନ୍ତି ଲୋକେ । ପ୍ରଶାସନ ପକ୍ଷରୁ ଗାଁ ନିକଟରେ କରାଯାଇଥିବା ଅସ୍ଥାୟୀ ଜଳଯୋଗାଣ ପ୍ରକଳ୍ପର ମୋଟର ବି ଅଚଳ ହୋଇପଡିଛି । ବାରମ୍ବାର ଅଭିଯୋଗ ପରେ ବି ଏହାକୁ ମରାମତି କରାଯାଉନାହିଁ । ବିକଳ୍ପ ନଥିବାରୁ ବାଧ୍ୟ ହୋଇ ଗ୍ରାମବାସୀ ଝରଣାର ଦୂଷିତ ପାଣିରେ ଶୋଷ ମେଣ୍ଟାଉଛନ୍ତି । ଏ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ କାରିଡି ଗାଁରେ । ତୁରନ୍ତ ଗାଁରେ ଆଉ ଏକ ନଳକୂଅ ଖନନ କରିବା ସହ ପ୍ରକଳ୍ପ ମରାମତି କରିବାକୁ ଲୋକେ ନିବେଦନ କରିଛନ୍ତି ।
କାରିଡି ଗାଁରେ ରହୁଛନ୍ତି ୭୦ ପରିବାର । ଲୋକସଂଖ୍ୟା ୩ଶହରୁ ଅଧିକ । ଗାଁର ମୁଖ୍ୟ ସମସ୍ୟା ହେଲା ପାନୀୟ ଜଳ । ବିଶୁଦ୍ଧ ପାଣି ଯୋଗାଇ ଦେବା ଲାଗି ପ୍ରଶାସନ ପକ୍ଷରୁ ବହୁବର୍ଷ ତଳେ ଗୋଟିଏ ନଳକୂଅ ଖୋଳାଯାଇଥିଲା । ବର୍ତ୍ତମାନ ଏହି ନଳକୂଅରେ ପାଇପ୍ ଅଭାବରୁ ଆବଶ୍ୟକ ପାଣି ବାହାରୁନାହିଁ । ମାତ୍ର ୧୦୦ରୁ ୧୨୦ ଲିଟର ପାଣି ବାହାରିବା ପରେ ବନ୍ଦ ହୋଇଯାଉଛି । ଦୀର୍ଘ ସମୟ ଅପେକ୍ଷା କରିବା ପରେ ଗୋଟିଏ କିମ୍ବା ଦୁଇ ହାଣ୍ଡି ପାଣି ବାହାରୁଛି । ଯେଉଁ ପାଣି ବାହାରୁଛି ତାହା ଗୋଳିଆ ଓ ଦୁର୍ଗନ୍ଧଯୁକ୍ତ । ଏଥିଯୋଗୁ ପିଇବା ଉପଯୋଗୀ ହେଉନି ।
କିଛିବର୍ଷ ତଳେ ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଗାଁ ନିକଟରେ ବୋହିଯାଉଥିବା ଝରଣା ପାଣିକୁ ପାଇପ୍ ଦ୍ୱାରା ଗାଁ ନିକଟକୁ ଅଣାଯାଇଛି । ଅସ୍ଥାୟୀ ଭାବେ ସେଠାରେ ଏକ କୁଣ୍ଡ ନିର୍ମାଣ କରାଯାଇଥିଲା । ମୋଟର ପମ୍ପ ସହାୟତାରେ ଲୋକଙ୍କୁ ପାନୀୟ ଜଳ ଯୋଗାଇବା ଆରମ୍ଭ ହୋଇଥିଲା । ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର ମାତ୍ର ୨ ଦିନ ପରେ ମୋଟର ଅଚଳ ହୋଇଗଲା । ସେବେଠାରୁ ଗାଁକୁ ଆଉ ପାଣି ଆସିପାରୁନି । ଜଳକଷ୍ଟରେ ସନ୍ତୁଳି ହେଉଛନ୍ତି ଗ୍ରାମବାସୀ । ଝରଣାରେ ପାଣି ଅଭାବରୁ ସ୍ରୋତ ମଧ୍ୟ କମିଯାଇଛି । ମହିଳାମାନେ ଦୀର୍ଘ ସମୟ ଅପେକ୍ଷା କରି ଥପ୍ଥପ୍ ହୋଇ ଝରୁଥିବା ଗୋଳିଆ ପାଣିକୁ ଛାଣି ସଂଗ୍ରହ କରୁଥିବା ଗାଁର କିମେୟା ପାଙ୍ଗି, ରାହୁଲ ପାଙ୍ଗି, ସୁକାନ୍ତ ପାଙ୍ଗି, କାମେଶ ପାଙ୍ଗି, ସମ୍ବରୁ ଗେମେଲ, ଲଦେୟା ସିଂଦେରି, ମାଲୁ ଖରା, କାମ୍ବ ମାରି, କାତ ଗେମେଲ, ଜିମ୍ବ ପାଙ୍ଗି ପ୍ରମୁଖ କହିଛନ୍ତି । ଗାଁ ଲୋକେ ଦାବି କରିଛନ୍ତି, ଲୋକସଂଖ୍ୟାକୁ ଆଖିରେ ରଖି ଆଉ ଏକ ନଳକୂଅ ଖନନ କରାଯାଉ । ଜିଲ୍ଲା ପ୍ରଶାସନ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଉ ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons