ନଳକୂଅ ଖୋଳା ବେଳେ ଅଘଟଣ

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): ମହାକାଳପଡ଼ା ବ୍ଲକ୍ ବାରଡାଙ୍ଗ ପଞ୍ଚାୟତ ଅଧୀନ ନଳାଡିହି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନଳକୂଅ ଖୋଳାବେଳେ ମାଟି ତଳୁ ଅଚାନକ ଗରମ ପାଣି, ବାଲି ପ୍ରାୟ ୩୦ ଫୁଟ୍ ଉପରକୁ ଉଠିଯାଇଥିଲା । ପରେ ଘଟଣାସ୍ଥଳରେ ପ୍ରାୟ ୫୦୦ ବର୍ଗ ଫୁଟର ଏକ ଖାଲ ସୃଷ୍ଟି ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଦୀର୍ଘ ୪୫ ମିନିଟ୍ ଧରି ନଳକୂଅ ଖୋଳା ଯାଉଥିବା ସ୍ଥାନର ୧୦୦ ଫୁଟ ପରିଧି ମଧ୍ୟରେ ଭୂମିକମ୍ପ ଭଳି ମାଟି ଦୋହଲିଥିଲା । ଗ୍ରାମରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଯିଏ ଯୁଆଡେ଼ ପାରିଥିଲେ ଦୌଡ଼ିଥିଲେ । ଗ୍ରାମବାସୀ ଘର ଛାଡ଼ି ବାହାରକୁ ଉଠି ଆସିଥିଲେ । ଏ ଖବର ପାଇବା ପରେ ଗାଁରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ସ୍ଥାନୀୟ ଲୋକଙ୍କ ଗହଳି ଜମି ଯାଇଥିଲା ।
ପ୍ରାପ୍ତ ସୂଚନାରୁ ପ୍ରକାଶ, ବାରଡାଙ୍ଗ ପଞ୍ଚାୟତ ଅଧୀନ ନଳାଡିହି ଗ୍ରାମର ଶ୍ୟାମସୁନ୍ଦର ଭୋଳଙ୍କ ବାଡ଼ିରେ ବ୍ୟକ୍ତିଗତ ନଳକୂଅ ଖୋଳା ଯାଉଥିଲା । ୧୦୦୦ ଫୁଟ ଗଭୀର ନଳକୂଅ ଖୋଳା ଯାଇ ପ୍ଲାଷ୍ଟିକ୍ ପାଇପ୍ ସହ ଫିଲ୍ଟର ଭିତରକୁ ଯାଉଥିଲା । ୱାସ୍ ସମୟରେ ହଠାତ ନଳକୂଅ ଖୋଳା ଭାଗରେ ବାଲି ଓ ପାଣିର ମିଶ୍ରଣ ଗବଗବ ଫୁଟିବା ଭଳି ଦେଖାଯାଇଥିଲା । ଯାହା ଦେଖି ଡରି ଯାଇଥିଲେ ସମସ୍ତେ । ପରେ ସେଠାରେ ପାଖାପାଖି ୫୦୦ ବର୍ଗଫୁଟର ଏକ ଖାଲ ସୃଷ୍ଟି ହୋଇଥିଲା । ଭିତରୁ ଗର୍ତ୍ତ ଦେଇ ବାଲି ଓ ପାଣି ଏଭଳି ଭାବେ ଉପରକୁ ଉଠିଥିଲା ଯାହାକି ନଳକୂଅ ଖୋଳୁଥିବା କର୍ମଚାରୀମାନେ ଦେଖି ଛାନିଆ ହୋଇପଡ଼ିଥିଲେ । ସେମାନେ ନଳକୂଅ ଖୋଳା ଯାଉଥିବା ସ୍ଥାନ ଛାଡ଼ି ପଳାଇ ଯାଇଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ ଦୀର୍ଘ ୪୫ ମିନିଟ୍ ଧରି ସୁ’ ସୁ’ ଶବ୍ଦ ହୋଇ ପାଣି ଓ ବାଲି ଖାଲି ଉପରକୁ ଉଠିଥିଲା । ପାଖଆଖ ଘରଗୁଡ଼ିକର ଭିତ୍ତିଭୂମି ଥରି ଉଠିଥିଲା । ପାଖଆଖରେ ପ୍ରାୟ ୧୫ ପରିବାର ବସବାସ କରୁଥିବା ସୂଚନା ମିଳିଛି । ସମସ୍ତେ ଘର ବାହାରକୁ ପଳାଇ ଆସିଥିଲେ ।
ଏହି ଗର୍ତ୍ତ ମଧ୍ୟରେ ଲକ୍ଷାଧିକ ଟଙ୍କାର ନଳକୂଅ ଖୋଳା ସରଞ୍ଜାମ ଓ ପାଇପ୍ ମାଟି ଭିତରକୁ ଦବି ଯାଇଛି । କୁଆଡେ଼ ଯାଇଛି ଯେ ତାହାକୁ ଖୋଜିବା ବର୍ତ୍ତମାନ କଷ୍ଟକର ହୋଇପଡ଼ିଛି । ଖୋଜିଲେ ମିଳିବ କି ନାହିଁ ତାହା ମଧ୍ୟ କହିହେବନି । ତତଲା ମିଶ୍ରଣର ଉଦ୍ଗୀରଣ ଏତେ ତୀବ୍ର ଥିଲା ଯେ ତାହା ନଳକୂଅ ଖୋଳୁଥିବା ବ୍ୟକ୍ତିଙ୍କ କୋଠାର ଦୁଇ ମହଲା ଉପରକୁ ଏହି ବାଲି ଓ ପାଣି ଉଠିଯାଇ ପିଟି ହୋଇଥିଲା । ଗୃହକର୍ତ୍ତା ଆତଙ୍କିତ ଅବସ୍ଥାରେ ଅଛନ୍ତି । ତାଙ୍କ କୋଠାକୁ ଲାଗିକରି ବିରାଟ ଭୂଗର୍ତ୍ତ ସୃଷ୍ଟି ହୋଇଛି । ସେମାନେ କେମିତି ରାତିରେ ଉକ୍ତ ଘର ଭିତରେ ରହିବେ ଆଶଙ୍କାରେ ଅଛନ୍ତି । ଏପରି ହେବାର କାରଣ ଏଯାଏ ଜଣାପଡ଼ିନି । ଏହି ଅଘଟଣରେ ମୋଟା ପାଇପ୍ ୫ ଇଞ୍ଚର ୨ଟି, ଫିଲ୍ଟର ୫ଟା, ୪୨ଟି ପ୍ଲାଷ୍ଟିକ୍ ପାଇପ୍, ତଙ୍ଗ ୬ଟା, ଯନ୍ତ୍ରପାତି ସେଟ୍ ୧ଟା, ୮ ଇଞ୍ଚ ପାଇପ୍ ୨ଟି ପୂରା ଭୂଗର୍ଭକୁ ଚାଲିଯାଇଛି । ପ୍ରାୟ ୨୭ ଦିନ ଧରି ରାଜନଗର ଅଞ୍ଚଳର ନରେନ୍ଦ୍ର ଜେନା ନାମକ ଠିକାଦାର, କର୍ମଚାରୀମାନେ ନଳକୂଅ ଖୋଳା କାମରେ ଲାଗିଥିଲେ । ଆଜି ଥିଲା ଶେଷ ଦିନ । ପାଇପ୍ ଭିତରକୁ ଯିବାବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା । ବିଳମ୍ବିତ ରାତି ସୁଦ୍ଧା ପ୍ରଶାସନର କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons