ନାଇଟ୍ କୋଚ୍ ଧକ୍କାରେ ବୋଲେରୋ ଚୂରମାର୍

Get real time updates directly on you device, subscribe now.

ଅନୁଗୁଳ, (ବି.ବି.ନୁ୍ୟଜ୍): ବଡ଼ଦିନ ପୂର୍ବରୁ ବଡ଼ ଦୁର୍ଘଟଣା । ୫୫ ନମ୍ବର ଜାତୀୟ ରାଜପଥର ଜରପଡ଼ା ଥାନା କତଡ଼ା ନିକଟରେ ସୋମବାର ବିଳମ୍ବିତ ରାତିରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପୁରୀ ଅଭିମୁଖେ ଆସୁଥିବା ବୋଲେରୋ ଓ ଭୁବନେଶ୍ୱରରୁ ଇବ୍ଥର୍ମାଲ ଅଭିମୁଖେ ଯାଉଥିବା ନାଇଟ୍ କୋଚ୍ ମୁହାଁମୁହିଁ ଧକ୍କା ହେବାରୁ ୪ ଜଣ ତୀର୍ଥଯାତ୍ରୀଙ୍କର ପ୍ରାଣବାୟୁ ଉଡ଼ିଯାଇଛି । ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଓ ୧୧ ବର୍ଷର କନ୍ୟା ସମେତ ଶାଳୀର ଶୋଚନୀୟ ମୃତୁ୍ୟ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟର ଦୁଇ ଜଣଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ପରିବାର ଲୋକ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି । ୫୫ ନମ୍ବର ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଗଭୀର ଉଦ୍ବେଗ ସୃଷ୍ଟି କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଛତିଶଗଡ଼ ରାୟପୁରରୁ କମଲ ଧ୍ରୁବ (୪୦) ଓ ଲକ୍ଷ୍ମୀକାନ୍ତ ନାମଦେବ (୩୫)ଙ୍କ ପରିବାର ଏକ ବୋଲେରୋ (ସିଜି୦୪ଏଚ୍କେ୦୧୮୩)ରେ ପୁରୀ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ବାହାରିଥିଲେ । କମଲ ବୋଲେରୋ ଚଳାଉଥିବା ବେଳେ ତାଙ୍କୁ ମିଶାଇ ଗାଡ଼ିରେ ମୋଟ ୧୦ ଜଣ ଯାତ୍ରୀ ଥିଲେ । ଜରପଡ଼ା ଥାନାରା କତଡ଼ା ଗୁରୁଣ୍ଡୁ ଗୋପାଳ ହାଇସ୍କୁଲ ନିକଟରେ ସାମ୍ନାରୁ ଇବ୍ ଥର୍ମାଲ୍ ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ନାଇଟ୍ କୋଚ୍ ‘ସୁଶିଲ୍’ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ଏତେ ଜୋର୍ ଥିଲା ଯେ ଦୁର୍ଘଟଣାରେ ବୋଲେରୋଟି ଭାଙ୍ଗିରୁଜି ଚୂର୍ମାର୍ ହୋଇଯାଇଥିଲା । ଘଟଣାସ୍ଥଳରେ କମଲଙ୍କ ସମେତ ତାଙ୍କ ପତ୍ନୀ କିରଣ (୩୫), ଝିଅ ରଶ୍ମୀ (୧୧) ଓ ଶାଳୀ ସୁମନ ଧ୍ରୁବ (୩୧)ଙ୍କର ପ୍ରାଣହାନୀ ଘଟିଥିବା ବେଳେ ତାଙ୍କର ୪ ବର୍ଷର ଶିଶୁକନ୍ୟା ସ୍ମୃତି ଓ ଭାଇ ନିଲେଶ ଧ୍ରୁବ (୩୦) ଆହତ ହୋଇଥିଲେ । ସେହିପରି ଲକ୍ଷ୍ମୀକାନ୍ତଙ୍କ ସମେତ ତାଙ୍କ ପତ୍ନୀ ଲକ୍ଷ୍ମୀ (୩୨), ପୁଅ ଗୋବିନ୍ଦ (୧୧) ଓ ପ୍ରଖର (୭) ଲହୁଲୁହାଣ ହୋଇଥିଲେ । ଗୋବିନ୍ଦ ଓ ସ୍ମୃତିଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଉଭୟଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ପରାମର୍ଶ ଦେଇଥିଲେ । ନାମଦେବଙ୍କ ପରିବାର ଲୋକ ଉଭୟଙ୍କୁ କଟକ ନେଇ ଯାଇଥିଲେ ।
ସୋମବାର ବିଳମ୍ବିତ ରାତି ପ୍ରାୟ ସାଢେ଼ ୨ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ସୂଚନା ପାଇ ଜରପଡ଼ା ପୁଲିସ ଓ ପରେ ପରେ ଅନୁଗୁଳ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ମୃତାହତଙ୍କୁ ଉଦ୍ଧାର କରିଥିଲେ । ଭୋର୍ ପ୍ରାୟ ୪ଟା ବେଳେ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆହତ ପହଞ୍ଚିଥିଲେ । ଦୁର୍ଘଟଣା ପରେ ବସ୍ ଚାଳକ ଫେରାର୍ ହୋଇଯାଇଥିବା ବେଳେ ବସ୍ୟାତ୍ରୀମାନେ ନିଜ ସୁବିଧାରେ ଗନ୍ତବ୍ୟସ୍ଥଳକୁ ଯାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିଲେ । ସନ୍ଧ୍ୟାରେ ତାଙ୍କ ପରିବାର ଲୋକ ଅନୁଗୁଳରେ ପହଞ୍ଚିବା ପରେ ରାତିରେ ଶବ ବ୍ୟବଚ୍ଛେଦ କରାଯିବାର ବନେ୍ଦାବସ୍ତ କରାଯାଇଥିବା ଜଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons