ନାଟ୍ୟକାର ଡ. ରତ୍ନାକର ଚଇନିଙ୍କ ବିୟୋଗ

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ୍): କାଳଜୟୀ ନାଟକ ‘ଅଥଚ ଚାଣକ୍ୟ’ର ନାଟ୍ୟକାର ତଥା ଲବ୍ଧପ୍ରତିÂିତ ସାହିତି୍ୟକ, ସମୀକ୍ଷକ ଡକ୍ଟର ରତ୍ନାକର ଚଇନି ଆଉ ନାହାନ୍ତି । ଶନିବାର ଅପରାହ୍ଣରେ କଟକଠାରେ ୭୫ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଜଣେ ଛାତ୍ରବତ୍ସଳ ଅଧ୍ୟାପକ, ଅମାୟିକ ସାହିତ୍ୟ ସଂଗଠକ ଏବଂ ଖ୍ୟାତନାମା ଚଳଚ୍ଚିତ୍ର ସଂଳାପକାର ଭାବେ ସେ ସବୁ ମହଲରେ ପରିଚିତ ଥିଲେ । ସ୍ୱର୍ଗତ ଚଇନିଙ୍କ ବିୟୋଗରେ ଓଡ଼ିଆ ନାଟ୍ୟ ସାହିତ୍ୟ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ତାଙ୍କ ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ଆଜି ତାଙ୍କ ବାଦାମବାଡ଼ିସ୍ଥିତ ବାସଭବନ ‘ଶ୍ରୀନିକେତନ’ରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ବାଢ଼ିଛନ୍ତି ।
୧୯୪୫ ମସିହା ଅଗଷ୍ଟ ୨୫ ତାରିଖ ପବିତ୍ର ଗଣେଶ ଚତୁର୍ଥୀ ତିଥିରେ କଟକ ଜିଲ୍ଲା ସାଲେପୁର ବ୍ଲକ ଅଧୀନ ଅରେଇ ଗ୍ରାମରେ ଶ୍ରୀ ଚଇନିଙ୍କ ଜନ୍ମ । ତାଙ୍କ ବାପା ଥିଲେ ବ୍ରଜବନ୍ଧୁ ଚଇନି ଏବଂ ମା’ ଶ୍ରୀମତୀ ଦେବୀ । ନେମାଳ ହାଇସ୍କୁଲ୍ରୁ କୃତିତ୍ୱର ସହ ମାଟ୍ରିକ ପାସ୍ ପରେ ସେ ଖ୍ରୀଷ୍ଟ କଲେଜରୁ ସ୍ନାତକ ଏବଂ ରେଭେନ୍ସା କଲେଜରୁ ଓଡ଼ିଆରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିଥିଲେ । ପରେ ଉକ୍ରଳ ବିଶ୍ୱବିଦ୍ୟାଳୟରୁ ୧୯୭୮ରେ ପିଏଚ୍ଡି ଉପାଧିପ୍ରାପ୍ତ ହୋଇଥିଲେ । ୧୯୬୯ ମସିହା ଡିସେମ୍ବର ପହିଲାରୁ ବିଭିନ୍ନ ସରକାରୀ କଲେଜରେ ଅଧ୍ୟାପନା ଜୀବନ ଆରମ୍ଭ କରିଥିଲେ ସେ । ରାଜେନ୍ଦ୍ର କଲେଜ, ଢେଙ୍କାନାଳ କଲେଜ, ଖଲ୍ଲିକୋଟ କଲେଜ, ରେଭେନସା କଲେଜ, ବିଜେବି କଲେଜ ଓ ଶେଷରେ ଶୈଳବାଳା ମହିଳା କଲେଜରୁ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଭାବେ ସେ ଅବସର ଗ୍ରହଣ କରିଥିଲେ । ଜୀବନର ପ୍ରତ୍ୟେକ ପାହାଚରେ ସେ ସାହିତ୍ୟ ଓ ସଂସ୍କୃତିକୁ ନିବିଡ଼ ଭାବରେ ଆପଣାଇ ନେଇଥିଲେ । ସେ ଯୁବ ଲେଖକ ସମ୍ମେଳନର ସଂପାଦକ ଏବଂ ଉକ୍ରଳ ସାହିତ୍ୟ ସମାଜର ସଭାପତି ଓ ସାଧାରଣ ସଂପାଦକ ଭାବେ କାର୍ଯ୍ୟ କରିଥିଲେ ।
ହାଇସ୍କୁଲ୍ ଜୀବନରୁ ବିଭିନ୍ନ ଶିଶୁ କିଶୋର ପତ୍ରପତ୍ରିକାରେ ଲେଖାଲେଖି ଆରମ୍ଭ କରିଥିବା ଡକ୍ଟର ଚଇନିଙ୍କ ସୃଜନଶୀଳତା ବିବିଧ କ୍ଷେତ୍ରରେ ପ୍ରତିଫଳିତ ହୋଇଛି । ନାଟକ, ଗଳ୍ପ, ଉପନ୍ୟାସ ରଚନା ସହ ସେ ସିନେମା ସଂଳାପ ଲେଖି ସେ ସୁଖ୍ୟାତି ଅର୍ଜନ କରିଛନ୍ତି । ପୁଣି ସମାଲୋଚନା ସାହିତ୍ୟ ସହ ବହୁ ଅପ୍ରକାଶିତ ଦୁଷ୍ପ୍ରାପ୍ୟ ପୋଥିର ସଂପାଦନା ମଧ୍ୟ କରିଛନ୍ତି । ପଞ୍ଚସଖା ଯୁଗର କବି ଅଚୁ୍ୟତାନନ୍ଦ ଦାସଙ୍କ ରଚନାବଳୀକୁ ଲୋକଲୋଚନକୁ ଆଣିବା ପାଇଁ ସେ ସଂକଳ୍ପବଦ୍ଧ ଥିଲେ । ତାଙ୍କ ରଚିତ ନାଟକ ମଧ୍ୟରୁ ଅଥଚ ଚାଣକ୍ୟ, ଅସ୍ତରାଗର ଚନ୍ଦ୍ର, ରାଜହଂସ, ମଞ୍ଚ ନାୟିକା, ରଙ୍ଗତରଙ୍ଗ, ପୁନଶ୍ଚ ପୃଥିବୀ, କଳଙ୍କିତ ସୂର୍ଯ୍ୟ, ନାଗଫେଣୀ ଋତୁ, ନଚିକେତା ଉବାଚ, ଅନ୍ଧାରର ସୂର୍ଯ୍ୟମୁଖୀ, ମୁଖା, ସୁନା କଳସ, ଶେଷ ଅଶ୍ରୁ, ଆଶା ବୃନ୍ଦାବନ, ଅନେକ ନିଶ୍ୱାସର ଆକାଶ ଆଦି ପାଠକ ମହଲରେ ଆଦୃତ । ଏତଦ୍ବ୍ୟତୀତ, ତାଙ୍କ ରଚିତ କ୍ଷୁଦ୍ରଗଳ୍ପ ସଂକଳନ ମୁଠାଏ ଶୂନ୍ୟତା, କହ ଲଳିତା, ନିଷିଦ୍ଧ ଶୃଙ୍ଗାର, ତଥାପି ରାବଣ, କାଚ ଟ୍ରେନ୍, ନିରବ କୋଳାହଳ, କଥା ରତ୍ନାକର ପ୍ରଭୃତି କାଳଜୟୀ ଆଖ୍ୟା ଲାଭ କରିଛନ୍ତି । ସେହିପରି ତାଙ୍କ ରଚିତ ଉପନ୍ୟାସ ରାତ୍ରିର ରଜନୀଗନ୍ଧା, ଅବ୍ୟକ୍ତ ଗୋଧୂଳି, ଲୁହ ଲହରୀ, ବିଷ ବଳୟ ଏବଂ ଫୁଲର ଫଗୁଣ ବେଶ୍ ପାଠକୀୟ ସ୍ୱୀକୃତି ଲାଭ କରିଛନ୍ତି । ସାହିତ୍ୟ ସମୀକ୍ଷା ଓ ସମାଲୋଚନାରେ ମଧ୍ୟ ସେ ଥିଲେ ଧୂରୀଣ । ଶ୍ରୀ ଚଇନି ଓଡ଼ିଆ ଚଳଚ୍ଚିତ୍ର ‘ଶୂନ୍ୟ ସ୍ୱରୂପ’ର କାହାଣୀ ଏବଂ ସଂଳାପ ରଚନା କରିଥିଲେ । ଏହି ଫିଲ୍ମଟି ଜାତୀୟ ପୁରସ୍କାର ପାଇବା ସହିତ ଅନ୍ତର୍ଜାତିକ ପାନୋରମାରେ ବର୍ଲିନ ଏବଂ ମସ୍କୋରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା । ଏଯାବତ ୧୮ ଜଣ ଗବେଷକ/ଗବେଷିକା ତାଙ୍କ ଅଧୀନରେ ଓ ମାର୍ଗଦର୍ଶନରେ ଗବେଷଣା କରି ପିଏଚ୍ଡି ଏବଂ ଡିଲିଟ୍ ଉପାଧି ପାଇଛନ୍ତି । ସେହିଭଳି ତାଙ୍କ କୃତି ଉପରେ ଗବେଷଣା କରି ୭ ଜଣ ଗବେଷକ ମଧ୍ୟ ପିଏଚ୍ଡି ଉପାଧି ହାସଲ କରିଛନ୍ତି । ଶ୍ରୀ ଚଇନି ନିଜର ସାହିତ୍ୟ କୃତି ପାଇଁ ଅନେକ ପୁରସ୍କାର ଏବଂ ସମ୍ମାନ ଲାଭ କରିଥିଲେ । ସର୍ବଭାରତୀୟ ସ୍ତରରେ ସେ ଶ୍ରେÂ ନାଟ୍ୟକାର ସମ୍ମାନ ପାଇଥିବା ବେଳେ, ନାଟକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ନାଟ୍ୟଭୂଷଣ ସମ୍ମାନ, ପଞ୍ଚସଖା ସାହିତ୍ୟ ସମ୍ମାନ, ସାହିତ୍ୟ ଭାରତୀ ସମ୍ମାନ ଏବଂ ଗଣକବି ବୈଷ୍ଣବ ପାଣି ସମ୍ମାନରେ ସମ୍ମାନିତ ହୋଇଥିଲେ । ଆଜି ସନ୍ଧ୍ୟାରେ ଖାନନଗରସ୍ଥିତ ସ୍ୱର୍ଗଧାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ପୁଅ ସତ୍ୟକାମ ଚଇନି ମୁଖାଗ୍ନି ଦେଇଥିଲେ । ତାଙ୍କ ପରଲୋକରେ ଓଡ଼ିଆ କଳା, ସାହିତ୍ୟ ଜଗତରେ ଶୋକର କଳାବାଦଲ ଛାଇ ହୋଇଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons