ନାବାଳକକୁ ପିଟି ପିଟି ହତ୍ୟା!

Get real time updates directly on you device, subscribe now.

ବାରିପଦା,(ବି.ବି.ନୁ୍ୟଜ୍): ପାଂଚଶହ ଟଙ୍କା ଚୋରି କରିଥିବା ଅଭିଯୋଗରେ ନାବାଳକକୁ ପିଟିପିଟି ମାରିଦେଇଥିବା ନେଇ କରଞ୍ଜିଆ ଥାନାରେ ଅଭିଯୋଗ ହୋଇଛି । ଏଭଳି ସ୍ପର୍ଶକାତର ତଥା ଅମାନବୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କିଆପାଣପୋଷି ଗ୍ରାମରେ । ମୃତ ନାବାଳକ ଜଣଙ୍କ ହେଲେ ଉକ୍ତ ଗ୍ରାମର ସ୍ୱର୍ଗତଃ ଯୋଗେଶ୍ୱର ବେହେରାଙ୍କ ସାନପୁଅ ରାଜନ ବେହେରା (୧୪) ।
ଘଟଣା ଅନୁଯାୟୀ ରାଜନ ତାଙ୍କ ପଡୋଶୀ ଘର ପୁଅ ସାଙ୍ଗ ସହିତ ତାଙ୍କ ଘରକୁ ଯାଇଥିଲେ । ତେବେ ରାଜନ କୁଆଡେ ତାଙ୍କ ସାଙ୍ଗ ମା’ଙ୍କ ବ୍ୟାଗରୁ ୫ଶହ ଟଙ୍କା କାଢି ନେଇଥିଲେ ବୋଲି ତାଙ୍କ ସାଙ୍ଗ ତାର ମା’ ସସ୍ମିତା ବେହେରାଙ୍କ ନିକଟରେ ଅଭିଯୋଗ କରିଥିଲେ । ସସ୍ମିତା ଘରେ ନ ଥିବା ବଳେ ଏହି ଘଟଣା ଘଟିଥିଲା ବେଳେ ସସ୍ମିତା ଘରକୁ ଫେରି ଭ୍ୟାନିଟି ବ୍ୟାଗରେ ଟଙ୍କା ଖୋଜିଲା ବେଳକୁ ୫୦୦ଟଙ୍କା ନ ଥିଲା । ତେଣୁ ସେ ତାଙ୍କ ପୁଅକୁ ମାଡ ମାରିଥିଲେ । ସସ୍ମିତାଙ୍କ ପୁଅ କିନ୍ତୁ ରାଜନ ନେଇଛି ବୋଲି କହିବାରୁ ସସ୍ମିତା ରାଜନକୁ ମଧ୍ୟ ନିସ୍ତୁକ ପିଟିଥିଲେ ବୋଲି ଏଫଆଇଆର ରେ ମୃତ ରାଜନଙ୍କ ବଡଭାଇ ଗଙ୍ଗାଧର ବେହେରା ଅଭିଯୋଗ କରିଛନ୍ତି । ତେବେ ଗଙ୍ଗାଧର ମଧ୍ୟ ଘରେ ନ ଥିବାରୁ ଘରକୁ ଫେରିବା ପରେ ନିଜ ସାନ ଭାଇର ଶବ ଦେଖିଥିଲେ । ମୃତ ରାଜନ ମୋତା ଆଶ୍ରମ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ଏବେ ସ୍କୁଲ ବନ୍ଦ ଥିବାରୁ ଘରେ ରହୁଥିଲେ । ୫ଶହ ଟଙ୍କା ପାଇଁ ଜଣେ ନାବାଳକର ଦୁର୍ମୂଲ୍ୟ ଜୀବନ ଚାଲିଯିବା ଘଟଣାକୁ ପୁଲିସ ଗୁରୁତର ସହିତ ନେଉଥିବା ବେଳେ ଏ ସଂପର୍କରେ ଅଧିକ ଖୋଳତାଡ ଆରମ୍ଭ କରିଛି । ତବେ ଅଭିଯୁକ୍ତ ମହିଳା ସସ୍ମିତା ବେହେରା କିନ୍ତୁ ଏ ବିଷୟରେ କିଛି ଜାଣି ନଥିବା କହୁଥିବା ବେଳେ ପୁଲିସ ତାଙ୍କୁ ଥାନାରେ ଅଟକ ରଖିଛି । ଆସନ୍ତା କାଲି ଅଭିଯୁକ୍ତ ମହିଳାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି ।
ଏହି ଘଟଣା ମଙ୍ଗଳବାର ଦିନ ପ୍ରାୟ ଅଢେଇଟା ବେଳେ ଘଟିଥିବା ବଳେ ପୁଲିସ ମଙ୍ଗଳବାର ସଂଧ୍ୟାରେ ଖବର ପାଇ ଘଟଣା ସ୍ଥଳରେ ପହଂଚି ଶବକୁ ଜଗି ରହିଥିଲା । ବୁଧବାର ସକାଳ ୭ଟାରେ ମୃତ ନାବାଳକର ବଡଭାଇ ଗଙ୍ଗାଧର ବେହେରା କରଞ୍ଜିଆ ଥାନାକୁ ଆସି ଲିଖିତ ଅଭିଯୋଗ କରିବା ପରେ ପୁଲିସ ୧୮୧/୨୦ରେ ଏକ ମାମଲା ରୁଜୁ କରିବା ସହ ୩୦୨ଧାରା ଲଗାଇ ତଦନ୍ତ ଜାରି ରଖିଛି । ବୁଧବାର କରଞ୍ଜିଆ ଏସଡିପିଓ ସତ୍ୟବିକାଶ ଭୂୟାଁଙ୍କ ସମେତ କରଞ୍ଜିଆ ଥାନା ଅଧିକାରୀ ସରୋଜିନୀ ସିଂ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ପୁଲିସ ଶବର ପଂଚନାମା ପରେ ଶବକୁ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ସ୍ତରୀୟ ହସ୍ପିଟାଲକୁ ପଠାଇଥିଲା । କରଞ୍ଜିଆ ଥାନାଅଧିକାରୀ ସରୋଜିନୀ ସିଂଙ୍କ ସୂଚନା ମୁତାବକ ରାଜନଙ୍କ ମୃତୁ୍ୟ ହତ୍ୟାକାଣ୍ଡ କିମ୍ବା ଅନ୍ୟକିଛି ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତୁ୍ୟର କାରଣ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons