ନାଭାଲ ଟାଟା ହକି ଏକାଡେମୀ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବ୍ୟୁରୋ): ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ଗୋଟିଏ ପରେ ଗୋଟିଏ ନୂଆ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଗତ ବର୍ଷ ନଭେମ୍ବର ୧୨ ତାରିଖରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଓଡ଼ିଶା ସ୍ପୋର୍ଟ୍ସ: ଉକ୍ରର୍ଷ ପାଇଁ ସହଭାଗିତା’ ରେ ରାଜ୍ୟରେ ହାଇ ପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା ପାଇଁ ଦେଶର ଅଗ୍ରଣୀ ଉଦ୍ୟୋଗ ଗୁଡ଼ିକ ସହ ୧୦ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ବୁଝାମଣା ଅନୁସାରେ ହକି ହାଇ ପରଫର୍ମାନ୍ସ ସେଣ୍ଟର-ନାଭାଲ ଟାଟା ହକି ଏକାଡେମୀ (ଏନଟିଏଚଏ)କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମରେ ଉଦ୍ଘାଟନ କରିଛନ୍ତି ।
ରାଜ୍ୟର କ୍ରୀଡ଼ା ପ୍ରତିଭାମାନଙ୍କ ପରିପୋଷଣ ଲାଗି ଟାଟା ଷ୍ଟିଲ୍, ଟାଟା ଟ୍ରଷ୍ଟସ୍ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟୋଗରେ ସ୍ଥାପନ କରାଯାଇଥିବା ଟାଟା ଓଡ଼ିଶା ହକି କାର୍ଯ୍ୟକ୍ରମର ତିନି ସୂତ୍ରୀର ଅଂଶ ସ୍ୱରୂପ ଭୁବନେଶ୍ୱର ଠାରେ ଏହି ଉଚ୍ଚ ସ୍ତରୀୟ ହକି ଏକାଡେମୀ ଖୋଲାଯାଇଛି । ରାଜ୍ୟ ସରକାରଙ୍କ ଭୁବନେଶ୍ୱର, ସୁନ୍ଦରଗଡ଼ ଏବଂ ରାଉରକେଲାରେ ଥିବା କ୍ରୀଡ଼ା ଛାତ୍ରବାସ ଆଞ୍ଚଳିକ ବିକାଶ କେନ୍ଦ୍ର (ଆର୍ଡିସି)ରେ ପରିଣତ ହେବେ, ଯେଉଁଠାରେ ଟାଟା ଟ୍ରଷ୍ଟସ୍ ଓ ଟାଟା ଷ୍ଟିଲ୍ର ବିଶେଷଜ୍ଞମାନେ ଆର୍ଡିସିଗୁଡ଼ିକ ସହିତ କାମ କରି ସେମାନଙ୍କ ଦକ୍ଷତା ବଢ଼ାଇବେ । ପ୍ରାରମ୍ଭିକ ପର୍ଯ୍ୟାୟରେ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ୧୦-୨୦ଟି ତୃଣମୂଳ କେନ୍ଦ୍ର ସ୍ଥାପନ କରାଯିବ । ଏବେ ଏକାଡେମୀରେ ୨୪ ଜଣ ପିଲା ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଓଡ଼ିଶାରୁ ୧୮ ଜଣ ରହିଛନ୍ତି । ସାରା ଦେଶରେ ହକିର ସମୃଦ୍ଧି ହେଉଛି ଏକାଡେମୀର ମୂଳ ଉଦ୍ଦେଶ୍ୟ । ଆଗକୁ ଏକାଡେମୀରେ ପିଲା ସଂଖ୍ୟା ବୃଦ୍ଧି ପାଇବ । ସେହିଅନୁସାରେ ୬୦ ପ୍ରତିଶତ ଓଡ଼ିଶା ପିଲାଙ୍କୁ ଗୁରୁତ୍ୱ ଦିଆଯିବ ।
ତୃଣମୂଳ ସ୍ତରରେ ଯେଉଁ ପ୍ରତିଭାମାନଙ୍କୁ ସନ୍ଧାନ କରାଯିବ ସେମାନଙ୍କୁ କ୍ରୀଡ଼ା ଛାତ୍ରାବାସରେ ନାମ ଲେଖାଇବା ଲାଗି ସୁପାରିସ କରାଯିବ । ତୃଣମୂଳ କେନ୍ଦ୍ର ଏବଂ ଆର୍ଡିସି ଗୁଡ଼ିକ ଏନ୍ଟିଏଚ୍ଏକୁ ନିୟମିତ କ୍ରୀଡ଼ା ପ୍ରତିଭା ଯୋଗାଣକୁ ନିଶ୍ଚିତ କରିବେ । ଆରଡିସି ଓ ଏନ୍ଟିଏଚ୍ଏ ଓଡ଼ିଶାର ଆବଶ୍ୟକତା ପୂରଣ କରିବା ଏହି ଅଞ୍ଚଳ ଗୁଡ଼ିକରେ ଗୁଣାତ୍ମକ ହକି ଖେଳାଳିଙ୍କ ଉନ୍ନତି ଦିଗରେ ଭିତ୍ତିଭୂମି ବିକଶିତ କରିବା ଲାଗି ସରକାର ସହାୟତା ପ୍ରଦାନ କରିବେ ।
କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ, “ଏନଟିଏଚ୍ଏ ସ୍ଥାପନ କରାଯିବା ଫଳରେ ଆମ ରାଜ୍ୟର ପିଲାମାନେ କମ୍ ବୟସରୁ କୃତ୍ରିମ ଟର୍ଫରେ ଶ୍ରେଷ୍ଠ ମାନର ପ୍ରଶିକ୍ଷଣ ହାସଲ କରିପାରିବେ । ଯାହା ସେମାନଙ୍କୁ ଅନ୍ତର୍ଜାତୀୟ ପ୍ରତିପକ୍ଷଙ୍କ ସହ ପ୍ରତିଦ୍ୱଦ୍ୱିତା କରିବାରେ ସହାୟକ ହେବ । ଏହି ଅଭିଯାନ ମଧ୍ୟ ଉଚ୍ଚ ମାନର ହକି କୋଚ୍ ତିଆରି କରିବାରେ ସହାୟକ ହେବ ।’
ଭୁବନେଶ୍ୱରରେ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍-୨୦୧୮ ଆୟୋଜନ ଲାଗି ଯେଉଁ ଭିତ୍ତିଭୂମି ବିକଶିତ କରାଯାଇଥିଲା ସେଠାରେ ଏନ୍ଟିଏଚ୍ଏ ଓଡ଼ିଶା ପରିଚାଳିତ ହେବ । ଅଭିନବ ବିନ୍ଦ୍ରା ଟାର୍ଗେଟ୍ ପରଫର୍ମାନ୍ସ ସେଣ୍ଟର (ଭୁବନେଶ୍ୱର) ଖେଳାଳିମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ଲାଗି ଶ୍ରେଷ୍ଠ କ୍ରୀଡ଼ା ଔଷଧର ସହାୟତା ପ୍ରଦାନ କରିବ ।
ଆଜିର ଉଦ୍ଘାଟନୀ ଉତ୍ସବରେ ଟି ଭି ନରେନ୍ଦ୍ରନ (ସିଇଓ ଓ ଏମ୍ଡି, ଟାଟା ଷ୍ଟିଲ୍), କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା, ଚାଣକ୍ୟ ଚୌଧୁରୀ (ଉପ ସଭାପତି,କର୍ପୋରେଟ ସେବା, ଟାଟା ଷ୍ଟିଲ୍) ଏବଂ ବୁରଜିସ୍ ତାରାପୋରବାଲା (ବରିଷ୍ଠ ଉପଦେଷ୍ଟା, ଟାଟା ଟ୍ରଷ୍ଟସ୍) ପ୍ରମୁଖ ଉପସ୍ଥିତ ଥିଲେ ।
ଗତ ବର୍ଷ ନଭେମ୍ବର ୧୨ ତାରିଖରେ ରାଜ୍ୟ ସରକାରଙ୍କର କ୍ରୀଡ଼ା ବିଭାଗ ଓ ଟାଟା ଟ୍ରଷ୍ଟ୍ସର ସିଓଓ ହରିଶ କ୍ରିଷ୍ଣାସ୍ୱାମୀ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons