ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶାସକ ବିଜୁ ଜନତା ଦଳର ୪ ପ୍ରାର୍ଥୀ ରାଜ୍ୟସଭା ନିର୍ବାଚନ ପାଇଁ ବୁଧବାର ନାମାଙ୍କନପତ୍ର ଦାଖଲ କରିଛନ୍ତି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ୪ ଦଳୀୟ ପ୍ରାର୍ଥୀ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଦେବନି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଗଣମାଧ୍ୟମକୁ ସ୍ପଷ୍ଟ କରିଥିଲା ବେଳେ କଂଗ୍ରେସ ମତଦାନରୁ ବିରତ ରହିବ ବୋଲି କହିସାରିଛି । ଏଭଳି ପରିସ୍ଥିତିରେ ବିଜେଡିର ୪ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ରାଜ୍ୟସଭା ଯିବା ନିଶ୍ଚିତ ବୋଲି କୁହାଯାଉଛି । କେବଳ ଔପଚାରିକ ଭାବେ ଆସନ୍ତା ୧୮ରେ ଏହା ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ଘୋଷଣା କରାଯିବ ।
ଆଜି ଦିନ ପ୍ରାୟ ୧୧ ଟା ରେ ବିଜେଡି ସୁପ୍ରିମୋ ନବୀନଙ୍କ ସହ ୪ ବିଜେଡି ପ୍ରାର୍ଥୀ ସୁବାସ ସିଂହ, ମୁନା ଖାଁ, ସୁଜିତ୍ କୁମାର ଓ ମମତା ମହାନ୍ତ ବିଧାନସଭା ପରିସରରେ ରିଟର୍ଣ୍ଣଂ ଅଫିସରଙ୍କ ନିକଟରେ ପହଞ୍ଚିଥିଲେ । ନବୀନଙ୍କ ଉପସ୍ଥିତିରେ ୪ ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ବରିÂ ମନ୍ତ୍ରୀ ଓ ବିଧାୟକମାନେ ୪ ପ୍ରାର୍ଥୀଙ୍କ ପ୍ରସ୍ତାବକ ଓ ସମର୍ଥକ ଭାବେ ସ୍ୱାକ୍ଷର କରିଛନ୍ତି । ଏ ଅବସରରେ ଦଳର ପ୍ରାୟ ସମସ୍ତ ମନ୍ତ୍ରୀ, ବିଧାୟକ ଓ ବରିÂ ନେତା ଉପସ୍ଥିତ ଥିଲେ । ନାମାଙ୍କନ ପରେ ୪ ପ୍ରାର୍ଥୀ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଆମେ ଓଡ଼ିଶାର ହକ୍ ପାଇଁ ଦିଲ୍ଲୀ ଦରବାରରେ ଲଢେ଼ଇ କରିବୁ ।
ନାମାଙ୍କନ ପରେ ବିଜେଡି ପ୍ରାର୍ଥୀ ଶ୍ରୀ ସିଂହ କହିଛନ୍ତି ରାଜ୍ୟର ପ୍ରାୟ ୨ କୋଟି ହେଉଛନ୍ତି ଶ୍ରମଜୀବୀ । ସେମାନଙ୍କ ସ୍ୱାର୍ଥ ପାଇଁ ମୁଁ ଲଢେ଼ଇ କରିବି । ଶ୍ରମିକମାନଙ୍କ କଲ୍ୟାଣ ପାଇଁ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବି । ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ବିରୋଧରେ ମଧ୍ୟ ସ୍ୱର ଉତ୍ତୋଳନ କରିବି । ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ଓ ଉଦ୍ୟମରୁ ଓଡ଼ିଶା ଆଜି ଜାତୀୟ ଏବଂ ଆନ୍ତର୍ଜାତିକସ୍ତରରେ ସୁନାମ ଅର୍ଜନ କରିଛି । ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ କେନ୍ଦ୍ରର ସହଯୋଗ ପାଇଁ ଆମେ ଦାବି ଉଠାଇବୁ । ବିଜେଡିର ଅନ୍ୟତମ ପ୍ରାର୍ଥୀ ମୁନା କହିଛନ୍ତି, ବିଜୁ ବାବୁ ପ୍ରାୟ ୫୦ ବର୍ଷ ତଳେ ଜଣେ ସଂଖ୍ୟାଲଘୁଙ୍କୁ ସଂସଦ ପଠାଇଥିଲେ । ଏବେ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ମୋତେ ବାଛିଛନ୍ତି । ମୁଁ ତାଙ୍କ ପ୍ରତି ମୋର କୃତଜ୍ଞତା ଜଣାଉଛି । ଅବିଭକ୍ତ କୋରାପୁଟ ଜିଲ୍ଲା ସହ ସଂଖ୍ୟାଲଘୁମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ମୁଁ କାମ କରିବି ।
ନାମାଙ୍କନ ପରେ ପ୍ରାର୍ଥୀ ସୁଜିତ୍ କୁମାର କହିଛନ୍ତି, ମୋ ପ୍ରତି ମହାପ୍ରଭୁ ଜଗନ୍ନାଥ ଓ ବିଜେଡି ସୁପ୍ରିମୋଙ୍କ ଆଶୀର୍ବାଦ ରହିଛି । ମୁଖ୍ୟମନ୍ତ୍ରୀ ମୋ ପ୍ରତି ଆସ୍ଥା ପ୍ରକଟ କରିଥିବାରୁ ମୁଁ କୃତଜ୍ଞତା ଜଣାଉଛି । ଓଡ଼ିଶାର ସ୍ୱରକୁ ଦିଲ୍ଲୀରେ ଉଠାଇବି । କେନ୍ଦ୍ର ବିଭିନ୍ନ ଯୋଜନାରେ ପାଣ୍ଠି କାଟ୍ କରିଥିବାରୁ ସେ ନେଇ ସ୍ୱର ଉଠାଇବି । ପଶ୍ଚିମ ଓଡ଼ିଶାର ଉନ୍ନତିକୁ ଅଗ୍ରାଧିକାର ଦେବି । ବିଜେଡିର ମହିଳା ରାଜ୍ୟସଭା ପ୍ରାର୍ଥୀ ମମତା କହିଛନ୍ତି, ମହିଳାଙ୍କ ପାଇଁ ତୃଣମୂଳସ୍ତରରେ କାମ ହିଁ ଆଜି ମୋତେ ରାଜ୍ୟସଭାକୁ ନେଉଛି । ମୁଁ ମହିଳାମାନଙ୍କ ବିକାଶକୁ ଅଧିକ ଫୋକସ୍ କରିବି । ମୟୂରଭଞ୍ଜ ଜିଲ୍ଲାରେ ରେଳ ବିକାଶ ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ପର୍ଯ୍ୟଟନର ଉନ୍ନତି ପାଇଁ କାମ କରିବି ।
୪ର୍ଥ ଆସନ ପାଇଁ ବିଜେଡି ନିକଟରେ ସଂଖ୍ୟା ନଥିବା ବେଳେ ବିଜେପି ନିକଟରେ ମଧ୍ୟ ସଂଖ୍ୟା କମ୍ ଅଛି । ତେଣୁ ବିଜେପି ପ୍ରାର୍ଥୀ ଦେବ କି ବୋଲି ପ୍ରଶ୍ନରେ ବିଜେପି ବିଧାୟକ ଦଳ ନେତା ଶ୍ରୀ ନାଏକ ସ୍ପଷ୍ଟ କରିଛନ୍ତି ଯେ ଆମର ସଂଖ୍ୟା ନାହିଁ । ଆମେ ପ୍ରାର୍ଥୀ ଦେବୁନୁ । ଏପରିକି ଆମର ପ୍ରାର୍ଥୀ ନଥିବାରୁ ଆମେ ଭୋଟ ମଧ୍ୟ ଦେବାକୁ ଆସିବୁନି । କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ଆମର ମାତ୍ର ୯ ଜଣ ସଦସ୍ୟ । ଆମେ ନା ପ୍ରାର୍ଥୀ ଦେବୁ ନା ଭୋଟ ଦେବାକୁ ଆସିବୁ । ରାଜ୍ୟସଭା ନେଇ ବିଜେପି ଓ ବିଜେଡି ମଧ୍ୟରେ ଡିଲ୍ ହୋଇଛି । ମାତ୍ର ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଆମର ୪ ଜଣ ଯାକ ରାଜ୍ୟସଭା ଯିବା ନିଶ୍ଚିତ । ଆମର କାହା ସହ କିଛି ବୁଝାମଣା ହୋଇନି ।
ଉଲ୍ଲେଖଯୋଗ୍ୟ, ରାଜ୍ୟସଭାରେ ୪ଟି ସିଟ୍ ଖାଲି ଏପ୍ରିଲରେ ଖାଲି ହେଉଛି । ସାଂସଦ ନରେନ୍ଦ୍ର ସ୍ୱାଇଁ, ସରୋଜିନୀ ହେମ୍ବ୍ରମ୍, ରଞ୍ଜୀବ ବିଶ୍ୱାଳଙ୍କ କାର୍ଯ୍ୟକାଳ ପୂରୂଥିଲା ବେଳେ ରାଜ୍ୟସଭାରୁ ଇସ୍ତଫା ଦେଇ ଲୋକସଭା ସାଂସଦ ହୋଇଥିବା ଅନୁଭବ ମହାନ୍ତିଙ୍କ ଆସନ ପାଇଁ ମଧ୍ୟ ଭୋଟ ହେବ । ଏଥିପାଇଁ ବିଜ୍ଞପ୍ତି ଜାରି ହୋଇଛି । ଆସନ୍ତା ୧୩ ଯାଏ ନାମାଙ୍କନ ଥିଲା ବେଳେ ୧୮ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି । ଆଉ କୌଣସି ରାଜନୈତିକ ଦଳରୁ କେହି ପ୍ରାର୍ଥୀପତ୍ର ଦାଖଲ କରିବାର ନଥିବାରୁ କେବଳ ସେହିଦିନ ରିଟର୍ଣ୍ଣିଂ ଅଫିସର ୪ ବିଜେଡି ପ୍ରାର୍ଥୀ ବିଧିବଦ୍ଧ ଭାବେ ଜିତିଲେ ବୋଲି ଘୋଷଣା କରିବେ । ରାଜ୍ୟସଭା ଅଙ୍କ ଅନୁସାରେ ୪ର୍ଥ ଆସନ ପାଇଁ ବିଜେଡିକୁ ୩୦ ବିଧାୟକଙ୍କ ସମର୍ଥନ ଲୋଡ଼ା ଥିଲା ବେଳେ ୩ଟି ସିଟ୍ ପରେ ବିଜେଡି ପାଖରେ ଆଉ ୨୩ ବିଧାୟକ ବଳୁଛି । କଂଗ୍ରେସ ଭୋଟଦାନରୁ ବିରତ ରହିବ ବୋଲି ଘୋଷଣା କରିଥିବାରୁ ଜଣେ ସ୍ୱାଧୀନ ବିଧାୟକ (ମକରନ୍ଦ ମୁଦୁଲି) ଏବଂ ବିଜେଡି ବିଧାୟକଙ୍କ ଦ୍ୱିତୀୟ ପସନ୍ଦ ଭୋଟରେ ବିଜେଡି ୪ର୍ଥ ଆସନ ମଧ୍ୟ ଜିତିବା ନିଶ୍ଚିତ । ବିଜେପି ପାଖରେ ୨୩ ବିଧାୟକ ଥିଲା ବେଳେ ଗୋଟିଏ ସିଟ୍ ଜିତିବାକୁ ୭ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ତେଣୁ ଦଳ ପାଖରେ ସଂଖ୍ୟା ନଥିବାରୁ ପ୍ରାର୍ଥୀ ଛିଡ଼ା ନକରାଇବାକୁ ନିଷ୍ପତ୍ତି ନେଇଛି ।
Comments are closed, but trackbacks and pingbacks are open.