ନିଆଁରେ ପୋଡି ମା ଓ ଝିଅ ଗୁରୁତର ହେବା ଘଟଣା, ଚିକିତ୍ସଧୀନ ଅବସ୍ଥାରେ ମାଙ୍କ ମୃତ୍ୟୁ

Get real time updates directly on you device, subscribe now.

ନୀଳଗିରି : ଗତ ୯ ତାରିଖ ଦିନ ନିଆଁରେ ପୋଡ଼ି ଅଢେଇ ବର୍ଷର ଶିଶୁ କନ୍ୟା ସହ ମା ଗୁରୁତର ହୋଇ ଚିକିତ୍ସାଧୀନ ଥିଲେ। କିନ୍ତୁ ୧୭ ତାରିଖ ଦିନ ମାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ବାପ ଘର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ସ୍ୱାମୀ,ଶ୍ବଶୁର,ଶାଶୁ ଗିରଫ ହୋଇଥିବା ଜଣାପଡିଛି।
ଖବର ଅନୁଯାୟୀ, ଜାମୁନା ଅଞ୍ଚଳର ଅନ୍ତର୍ୟ୍ୟାମୀ କବାଟଙ୍କ ସ୍ତ୍ରୀ ପାର୍ବତୀ(୩୦) ଓ ତାଙ୍କ ଅଢେଇବର୍ଷର ଶିଶୁ କନ୍ୟାଙ୍କ ସହିତ ଗତ ୯ ତାରିଖରେ ପୋଡି ହୋଇଯାଇଥିଲେ। କିରୋସିନୀ ଜାର ଗଡିଯିବାରୁ ପାଖରେ ଥିବା ଚୁଲିରୁ ନିଆଁ ଉଠି ପୋଡିଯାଇଥିବା ଅନୁମାନ କରାଯାଉଥିଲା । ଉଭୟଙ୍କୁ ଗୁରୁତର ଭାବେ ଆମ୍ବୁଲାନ୍ସ ଯୋଗେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରୁ ଉଭୟଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ପରେ ପାର୍ବତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ୧୭ ତାରିଖ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି।
ସେପଟେ ଝିଅଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆଣିଛନ୍ତି । ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନ ପୁରୁଣାବାରିପଦା ଗାଁରେ ତାଙ୍କ ବାପା ଅଜିତ କୁମାର ମଲ୍ଲିକ ବରମପୁର ଥାନାରେ ଗତ ୧୬ ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ୬୯ ନମ୍ବର ମାମଲା ରୁଜୁକରି ତଦନ୍ତ କରିଥିଲେ। ଶେଷରେ ମହିଳାଙ୍କ ସ୍ୱାମୀ ଅନ୍ତର୍ୟ୍ୟାମୀ କବାଟ, ଶ୍ବଶୁର ବରେନ୍ଦ୍ର କବାଟ,ଶାଶୁ କୁନିମଣି କବାଟଙ୍କୁ ଗିରଫ କରାଯାଇଛି । ବରମପୁର ଥାନାଅଧିକାରୀ ରବିନାରାୟଣ ଭୂୟାଁଙ୍କ ନିର୍ଦ୍ଦେଶରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons