ନିଆରା ଚତୁର୍ଥଶ୍ରେଣୀ କର୍ମଚାରୀ ବଳରାମ

Get real time updates directly on you device, subscribe now.

ବାଲେଶ୍ୱର: ବାଲେଶ୍ୱର ଗୋପାଳଗାଁର ବଳରାମ ବେହେରା । ଜଣେ ନିଆରା ମଣିଷ । ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ନିକଟରେ ଅବସର ଗ୍ରହଣ କରିଛନ୍ତି । ନିଜ ସୀମିତ ସଞ୍ଚିତ ଅର୍ଥରେ ସୋମବାର ଜିଲ୍ଲାପାଳଙ୍କୁ ଏକ ଅକ୍ସିଜେନ କନ୍ସେନଟ୍ରେଟର ଦାନ କରିିଛନ୍ତି । ତାଙ୍କର ଏହି ମହାନତାକୁ ସବୁଠି ପ୍ରଶଂସା କରାଯାଇଛି ।
ବଳରାମ ବାଲେଶ୍ୱର ମହିଳା କଲେଜରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ଅବସର ଗ୍ରହଣ କରିଥିଲେ । ଅବସର ପରଠୁ ସେ ସମାଜସେବାରେ ନିଜକୁ ନିୟୋଜିତ କରୁଛନ୍ତି । ‘ଗଛ ମଣିଷ’ ଭାବେ ଜଣାଶୁଣା ବଳରାମ ବର୍ଷ ତମାମ ସହରର ବିଭିନ୍ନ ସ୍ଥାନରେ ଗଛ ଲଗାନ୍ତି । ତେବେ କୋଭିଡ୍ରେ ଆକ୍ରାନ୍ତ ଅଧିକାଂଶ ରୋଗୀ ଅମ୍ଳଜାନ ଅଭାବରୁ ମୃତୁ୍ୟବରଣ କରୁଥିବା ଜାଣି ଚିନ୍ତା ପ୍ରକଟ କଲେ । ନିଜ ସଞ୍ଚିତ ଅର୍ଥରୁ ୫୨ ହଜାର ଟଙ୍କା ଖର୍ଚ୍ଚ କରି ଏକ କନ୍ସେନଟ୍ରେଟର କିଣି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଉପସ୍ଥିତିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଦୁଲାଲସେନ ଜଗଦେ୍ଧବଙ୍କୁ ପ୍ରଦାନ କରିଛନ୍ତି ।
ଏହା ଉପରେ ପ୍ରତିକ୍ରିୟା ରଖି ବଳରାମ କହନ୍ତି, ଅମ୍ଲଜାନ ଅଭାବରୁ କୋଭିଡ୍ରେ ରୋଗୀଙ୍କ ଅକାଳ ମୃତୁ୍ୟ ତାଙ୍କୁ ମର୍ମାହତ କରଥିଲା । ସେମାନଙ୍କ ଜୀବନ ବଞ୍ଚାଇବାରେ ଗୁଣ୍ଡୁଚି ମୂଷା ଭଳି କିଛି ସାହାଯ୍ୟ କରିବାକୁ ଗତବର୍ଷରୁ ନିଷ୍ପତ୍ତି ନେଇଥିଲେ । ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀ ଭାବେ ଅବସର ନେଇଥିବାରୁ ତାଙ୍କ ନିକଟରେ ସେତେ ସମ୍ବଳ ନ ଥିଲା । ଏଥିପାଇଁ ନିଜର ଖର୍ଚ୍ଚକାଟ କରି ମୋବାଇଲ ବ୍ୟବହାର ବନ୍ଦ କରିବା ସହ ବାଇକ୍ ଛାଡ଼ି ସାଇକେଲ ଚଳାଇବା ଆରମ୍ଭ କରିଥିଲେ । ବଦଖର୍ଚ୍ଚ ବନ୍ଦ କରିବା ସହ ଏହି ଟଙ୍କା ହୁଣ୍ଡିରେ ପକାଉଥିଲେ । ପ୍ରାୟ ଦେଢ଼ବର୍ଷ ଅତିକ୍ରାନ୍ତ ହେବା ପରେ ନିକଟରେ ହୁଣ୍ଡି ଭାଙ୍ଗିଥିଲେ । ସେହି ସଞ୍ଚିତ ଟଙ୍କାରେ ଏହି ମେସିନ୍ କିଣିଛି ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି, ଦ୍ରୁତ ଗଛ କଟାଯିବାରୁ ଅମ୍ଲଜାନର ଅଭାବ ହେଉଛି । ଅମ୍ଳଜାନ ପାଇବା ପାଇଁ କନ୍ସେନଟ୍ରେଟର ମେସିନ୍ର ସହାୟତା ନିଆଯାଉଛି । ଏବେବି ସମୟ ଅଛି, ଆଗାମୀ ପିଢ଼ିଙ୍କୁ ଏଭଳି ସମସ୍ୟାରୁ ବଞ୍ଚାଇବା ପାଇଁ ସମସ୍ତେ ମିଳିମିଶି ଗଛ ଲଗାଇବାକୁ ସେ ଆହ୍ୱାନ ଦେଇଛନ୍ତି । ବଳରାମଙ୍କ ଏହି ଉଦ୍ୟମକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଜଗଦେ୍ଧବ ପ୍ରଶଂସା କରିଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons