ଜୟପୁର,(ବି.ବି.ନୁ୍ୟଜ୍): ଦୀର୍ଘ ୧୬ ବର୍ଷ ପରେ ନିଖୋଜ ମା’ ସହିତ ଦେଖା ହୋଇଛି ପୁଅର । ଦିନ ଥିଲା ପୁୁଅ ରହିଥିଲା ମାଆ କୋଳରେ । ଆଜି କିନ୍ତୁ ପରିଣତ ବୟସରେ ମାଆକୁ କୋଳେଇ ଧରିଛି ପୁଅ । ନଇଁ ପଡ଼ିଥିବା ଅଣ୍ଟାକୁ ସଳଖି ଧରିଛି । ନିଖୋଜ ମାଆକୁ ଫେରି ପାଇବା ପରେ ଆନନ୍ଦରେ ଆଖିରୁ ଝରିଯାଇଛି ଧାର ଧାର ଲୁହ । ଏଣେ ପାଚିଲା ବୟସରେ ମାଆର ନିସ୍ତେଜ ଆଖି ଏବଂ ସୁଖିଲା ଓଠରେ ଭରିଯାଇଛି ଚେନାଏ ହସ । ଏଭଳି ଭାବବିହ୍ୱଳ ପରିବେଶ ଆଜି ଦେଖିବାକୁ ମିଳିଥିଲା ଜୟପୁରରେ ଥିବା ଜିଲ୍ଲା ଆଇନସେବା ପ୍ରାଧିକରଣ କାର୍ଯ୍ୟାଳୟ ପରିସରରେ ।
କାହାଣୀ ଥିଲା ଏମିତି । ବିହାର ମଧୁବାଣୀ ଜିଲ୍ଲା ସିଦିଆପୁର ନିକଟ ଶିରିପୁର ଗାଁରେ ରହୁଥିଲେ ଫାତିମା ଖାତୁନ୍ । ସ୍ୱାମୀ, ୩ ପୁଅ ଓ ଗୋଟିଏ ଝିଅକୁ ନେଇ ଖୁସିରେ ସଂସାର ବିତୁଥିଲା । ହଠାତ୍ ସ୍ୱାମୀଙ୍କ ଦେହାନ୍ତ ପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ଫାତିମାଙ୍କ ୩ ଏକର ଜମିକୁ ଜୋର୍ଜବରଦସ୍ତ କବ୍ଜାକୁ ନେଇଯାଇଥିଲେ ଗାଁ ଲୋକେ । ଏଥିସହ ତାଙ୍କ ପରିବାର ଲୋକଙ୍କୁ ମାର୍ପିଟ୍ କରିଥିଲେ । ଏଥିରେ ମାନସିକ ଭାରସାମ୍ୟ ହରାଇ ବସିଥିଲେ ଫାତିମା । ୧୬ ବର୍ଷ ତଳେ କୌଣସି ପ୍ରକାରେ ପହଞ୍ଚିଯାଇଥିଲେ ଭୁବନେଶ୍ୱରରେ । ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ଦୀପ୍ତି ନିବାସରେ ରଖାଯାଇଥିଲା । ସେଠାରେ ୬ ବର୍ଷ ରହିବା ପରେ ଫାତିମାଙ୍କୁ କୋରାପୁଟରେ ଥିବା ଦୀପ୍ତି ନିବାସକୁ ସ୍ଥାନାନ୍ତର କରାଯାଇଥିଲା । ସେବେଠାରୁ ଫାତିମାଙ୍କ ଚିକିତ୍ସା ଜାରି ରହିଥିଲା । ଗତ ୧୦ ତାରିଖରେ ଅର୍ଥାତ୍ ବିଶ୍ୱ ମାନସିକ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ଏହି ଅନୁÂାନରେ ପହଞ୍ଚିଥିଲେ ଜିଲ୍ଲା ଆଇନସେବା ପ୍ରାଧିକରଣର ସମ୍ପାଦିକା ଲଳିତା ମଞ୍ଜରୀ ପଟ୍ଟନାୟକ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା । ସେହି ସମୟରେ ଫାତିମାଙ୍କ ସହ ସେମାନଙ୍କର ଦେଖା ସାକ୍ଷାତ ହୋଇଥିଲା । ଜଣାପଡିଥିଲା, ଫାତିମା ତାଙ୍କ ସ୍ମୃତିଶକ୍ତି ଫେରି ପାଇଛନ୍ତି ବୋଲି । ପଚରାଉଚରା ବେଳେ ନିଜ ଘର ଠିକଣା କହିଥିଲେ ଫାତିମା । ପୂର୍ବ ଦିନର ଘଟଣାଗୁଡିକୁ ମନେ ପକାଇ ସେମାନଙ୍କ ଆଗରେ ବଖାଣିଥିଲେ ।
ଏହାପରେ ଫାତିମାଙ୍କୁ ତାଙ୍କ ପରିବାର ସହ ଭେଟାଇବା ଲାଗି ଉଦ୍ୟମ ଆରମ୍ଭ କରିଥିଲେ ଲଳିତା । ପ୍ରଥମେ ବିହାର ଜୟନଗର ଥାନା ଆଇଆଇସିଙ୍କ ସହିତ କଥାବାର୍ତ୍ତା ହୋଇଥିଲେ । ଫାତିମାଙ୍କ ପରିବାରର ଠିକଣା ଦେଇଥିଲେ । ଏହାପର ଗତ ୨୨ ତାରିଖରେ ପୁଅ ଏବଂ ସମ୍ପର୍କୀୟଙ୍କ ସହ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଫାତିମାଙ୍କ ଦେଖା ହୋଇଥିଲା । ସେମାନେ ପରସ୍ପରକୁ ଚିହ୍ନିଥିଲେ । ଗତ ୨୮ ତାରିଖରେ ଜିଲ୍ଲା ଆଇନସେବା ପ୍ରାଧିକରଣର ଯୋଜନା ମୁତାବକ ଫାତିମାଙ୍କ ପୁଅ ମହମ୍ମଦ ଦୁଃଖୀ ନଦାଫ ଓ ମଉସା ମହମ୍ମଦ ହଲିନ୍ ଆସି ପହଞ୍ଚିଥିଲେ କୋରାପୁଟରେ । ଆଇନସେବା ପ୍ରାଧିକରଣର ସମ୍ପାଦିକା ଏବଂ ପାରା ଲିଗାଲ୍ ସ୍ୱେଚ୍ଛାସେବୀ ସୋମନାଥ ମହାନ୍ତିଙ୍କ ନେତୃତ୍ୱରେ ଫାତିମାଙ୍କୁ ଭେଟିଥିଲେ ଦୀପ୍ତି ନିବାସରେ । ସେଠାରେ ସୃଷ୍ଟି ହୋଇଥିଲା ଭାବବିହ୍ୱଳ ପରିବେଶ । ୧୬ ବର୍ଷ ପରେ ମାଆ ଓ ପୁଅ ପରସ୍ପରକୁ ଦେଖି କୁଣ୍ଢାଇ ପକାଇଥିଲେ । ଖୁସିର ଲୁହରେ ଭିଜିଯାଇଥିଲା ମାଆର ପଣତକାନି । ପୁଅର ଆଖିରୁ ଆପେ ଆପେ ଗଡି ଆସିଥିଲା ଲୁହର ଧାର । ଏହାପରେ ପୁଅ ସହ ମାଆକୁ ବିହାର ପଠାଇବା ଲାଗି ଆରମ୍ଭ ହୋଇଥିଲା ଆଇନଗତ ପଦକ୍ଷେପ । ଆଜି ଫାତିମାଙ୍କୁ ଅଣାଯାଇଥିଲା ଜିଲ୍ଲା ଆଇନସେବା ପ୍ରାଧିକରଣ କାର୍ଯ୍ୟାଳୟକୁ । ସେଠାରେ ଆଇନ ଅନୁଯାୟୀ, ତାଙ୍କୁ ପରିବାରକୁ ହସ୍ତାନ୍ତର କରିବା ଲାଗି ପ୍ରସ୍ତୁତ ହୋଇଥିଲା କାଗଜପତ୍ର । ଏବେ ଫାତିମାଙ୍କ ବୟସ ୭୫ । ପୁଅ ମହମ୍ମଦ ନଦାଫଙ୍କ ବୟସ ୪୦ । ଫାତିମା ଯାହା କହିଥିଲେ, ତାଙ୍କ ପୁଅ ମଧ୍ୟ ସମାନ କଥା କହିଛନ୍ତି । ଏବେବି କୁଆଡେ଼ ତାଙ୍କର ୩ ଏକର ଜମି ଗ୍ରାମବାସୀଙ୍କ କବ୍ଜାରେ ରହିଛି । ଏହାକୁ ନେଇ କେସ୍ ଚାଲୁ ରହିଛି ।
ଆସନ୍ତା ଗୁରୁବାର ଦିନ ଘରକୁ ଫେରିବେ ଫାତିମା । ସପ୍ତାହକୁ କେବଳ ଏହି ଗୋଟିଏ ଦିନ ଭୁବନେଶ୍ୱରରୁ ତାଙ୍କ ଗାଁ ପାଖକୁ ଟ୍ରେନ୍ ଯାତାୟାତ କରୁଛି । ତେଣୁ ଫାତିମାଙ୍କୁ ଆଜି ସାଙ୍ଗରେ ଧରି ପରିବାର ଲୋକେ ଭୁବନେଶ୍ୱର ଯାଇଛନ୍ତି । ସେମାନଙ୍କ ସହ ପାରା ଲିଗାଲ୍ ସ୍ୱେଚ୍ଛାସେବୀ ସୋମନାଥ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ଗୋପୀନାଥ ସାହୁ ଏବଂ କୋରାପୁଟର ମହିଳା କନେଷ୍ଟଳ କର୍ମେଲା ବାର୍ଲା ପ୍ରମୁଖ ଯାଇଛନ୍ତି । ସେଠାକାର ଆଇନସେବା ପ୍ରାଧିକରଣ ଆଗରେ ଫାତିମାଙ୍କୁ ହାଜର କରାଇ କୋରାପୁଟ ଫେରିବେ । ଫାତିମାଙ୍କୁ କିଭଳି ଆଇନଗତ ସହାୟତା ମିଳିପାରିବ, ସେ ସମ୍ପର୍କରେ ସେଠାକାର ଆଇନସେବା ପ୍ରାଧିକରଣ ସହ ଆଲୋଚନା କରିବେ । ଯାହା ବି ହେଉ, ଉଭୟ ପ୍ରଶାସନ ଏବଂ ଆଇନସେବା ପ୍ରାଧିକରଣର ହସ୍ତକ୍ଷେପରେ ନିଜ ପରିବାରକୁ ଫେରିପାଇଛନ୍ତି ଫାତିମା । ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
Comments are closed, but trackbacks and pingbacks are open.