ରାଉରକେଲା,(ବି.ବି.ନୁ୍ୟଜ୍): ବର୍ଷେ ତଳୁ ନିଖୋଜ ଝିଅର ପତ୍ତା ମିଳୁ ନଥିଲା । ଇତି ମଧ୍ୟରେ ଆଶାଆଶଙ୍କାରେ ଥିବା ପରିବାର ଲୋକ ମନ ଭିତରେ କୋହକୁ ଚାପି ରଖି ଝିଅର ଅନ୍ତେଷ୍ଟି କ୍ରିୟା କରିବାକୁ ବସିଥିଲେ । ହେଲେ ଏହି ସମୟରେ ଆସିଥିବା ପୋଲିସ ପହଞ୍ଚି ଦେଇଥିବା ଖବର ଦୁଃଖ ପାହାଡ଼ ତଳେ ଚାପି ହୋଇ ରହିଥିବା ପରିବାର ସଦସ୍ୟଙ୍କ ମୁହଁରେଫୁଟାଇ ପାରିଛି ଚେନାଏ ହସ୍ । ଝିଅ ବଞ୍ଚିଥିବା ଖବର ପାଇ ପରିବାର ଲୋକଙ୍କ ଖୁସି ଆଉ ବନ୍ଧବାଡ଼ ମାନୁନି । ଏପରି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ଚାନ୍ଦିପୋଷ ଥାନା ଅନ୍ତର୍ଗତ ଚମ୍ପାଝରଣରେ ଘଟିଛି । ବର୍ଷେ ତଳୁ ଚମ୍ପାଝରଣର ଜଣେ ନାବାଳିକା ନିଖୋଜ ହୋଇଯାଇଥିଲେ । ରାତିରେ ଶୋଇଥିବା ବେଳେ ସକାଳୁ ଆଉ ଝିଅକୁ ପାଇଲେନି ପରିବାର ଲୋକ । ବହୁ ଆଡେ଼ ଖୋଜାଖୋଜି କରି ନୟାନ୍ତ ହୋଇପଡିଲେ । ତଥାପି ଝିଅ ଫେରିବ ବୋଲି ଆଶା ଛାଡ଼ି ନଥିଲେ । ହେଲେ କିଛି ଦିନ ପୂର୍ବେ ଝିଅ ମୃତ ବୋଲି ଘର ଲୋକ ଖବର ପାଇଲେ । ଏହାପରେ ମନ ଭିତରେ କୋହକୁ ଚାପି ରଖି ଝିଅର କ୍ରିୟାକ୍ରମ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । କିନ୍ତୁ ଇତି ମଧ୍ୟରେ ପୋଲିସ ଗାଁରେ ପହଞ୍ଚି ପରିବାର ଲୋକଙ୍କୁ ଦେଇଥିବା ଖବର ପାଇ ସେମାନଙକ ମଧ୍ୟରେ ପୁଣି ଥରେ ଝିଅ ଫେରିବ ବୋଲି ଆଶା ଉଜ୍ଜୀବିତ ହୋଇଛି । ଗୁରୁବାର ଖୋର୍ଦ୍ଧା ଶିଶୁ ମଙ୍ଗଳ ସମିତି ନାବାଳିକାକୁ ଉଦ୍ଧାର କରି ସୁନ୍ଦରଗଡ଼ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ରାମ ଚନ୍ଦ୍ର ବେହେରାଙ୍କୁ ଖବର ଦେଇଥିଲେ । ରାମଚନ୍ଦ୍ର ବେହେରା ଏ ବାବଦରେ ଚାନ୍ଦିପୋଷ ପୋଲିସକୁ ଖବର ଦେବାପରେ ପୋଲିସ ଗ୍ରାମରେ ପହଞ୍ଚି ଘର ଲୋକଙ୍କୁ ଫଟୋ ଦେଖାଇଥିଲେ । ଝିଅ ଜୀବିତ ଅଛି ବୋଲି ପରିବାର ଲୋକେ ପ୍ରଥମେ ବିଶ୍ୱାସ କରି ପାରିନଥିଲେ ମଧ୍ୟ ଉକ୍ତ ଫଟୋଟି ତାଭ୍କ ଝିଅର ବୋଲି ସ୍ପଷ୍ଟ କରିଥିଲେ । ଝିଅ କିପରି ଓ କେଉଁଠି ଥିଲା ସେ ନେଇ ପରିବାର ଲୋକେ କିଛି ଜାଣି ନଥିବା ବେଳେ ଏବେ ଝିଅର ଫେରିବା ବାଟକୁ ଅନାଇ ବସିଛନ୍ତି ।
Comments are closed, but trackbacks and pingbacks are open.