ଚନ୍ଦାହାଣ୍ଡି,(ବି.ବି.ନୁ୍ୟଜ): ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ପଞ୍ଚାୟତ ଗୌରଝରିଆ ଗାଁରୁ ନିଖୋଜ ଥିବା ଭାନର ମାଝି(୫୦)ଙ୍କୁ ମଙ୍ଗଳବାର ଉଦ୍ଧାର କରାଯାଇଛି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରୁ ପୁଲିସ ତାଙ୍କୁ ଉଦ୍ଧାର କରି ପରିବାର ଜିମା ଦେଇଛି ।
ସୂଚନା ଅନୁସାରେ, ଗତ ୭ ତାରିଖ ଶନିବାର ଦିନ ଭାନର ନିଜ ମାନସିକ ନିୟନ୍ତ୍ରଣ ହରାଇ ବାଇକ୍ ଯୋଗେ ଅନ୍ୟମନସ୍କ ଭାବେ କଣ୍ଟାବାଞ୍ଜି ବ୍ଲକ ସରଗିଗୁଡା ପଞ୍ଚାୟତ ସରଗୁଲିକୁ ପଳାଇ ଯାଇଥିଲେ । ସେଠାରେ ନିଜ ବାଇକ୍ ଉପରେ ବସି ରହିଥିଲେ । କାହା ସହ କିଛି ବି କଥାବାର୍ତ୍ତା ହେଉ ନଥିଲେ କି ପଚାରୁ ନଥିଲେ । ସ୍ଥାନୀୟ ଗ୍ରାମବାସୀ, ଗ୍ରାମରକ୍ଷୀ ତପୀ ଭୋଇ ଓ ୱାର୍ଡ ସଭ୍ୟ ଦୀପକ ପଟେଲ କଣ୍ଟାବାଞ୍ଜି ଟାଉନ୍ ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲଙ୍କୁ ସୂଚନା ଦେଇଥିଲେ । ପୁଲିସ ଭାନରଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା । ତାଙ୍କ ଡ୍ରାଇଭିଂ ଲାଇସେନ୍ସରୁ ତାଙ୍କ ଠିକଣା ଜଣାପଡିଥିଲା । ଚନ୍ଦାହାଣ୍ଡି ଥାନା ଅଧିକାରୀ ପ୍ରେମାନନ୍ଦ ସୁନାନୀଙ୍କୁ ଏହି ସୂଚନା ଦିଆଯାଇଥିଲା । ଭାନର ଘରକୁ ନଫେରିବାରୁ ତାଙ୍କ ସ୍ତ୍ରୀ ଛତିଶଗଡରେ ରହୁଥିବା ତାଙ୍କ ବଡଭାଇ ଶିବରାମ ମାଝି ଓ ପୁତୁରା ରକ୍ଷୀରାମ ମାଝିଙ୍କୁ ଜଣାଇଥିଲେ । ସେମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ । କୋଦଭ;ା ଗାଁର ସମାଜସେବୀ ତରୁଣ ସାହୁ ଏ ବିଷୟରେ ଜାଣିବା ପରେ ପୁଲିସ ସହାୟତାରେ କଣ୍ଟାବାଞ୍ଜିରେ ପହଞ୍ଚି ଭାନରଙ୍କୁ ଠାବ କରିଥିଲେ । ଭାନର ମାନସିକ ନିୟନ୍ତ୍ରଣ ହରାଇଥିବାରୁ କିଛି କହି ପାରୁ ନଥିବା ପରିବାର ଲୋକେ କହିଛନ୍ତି । ଭାନର ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ କହିଛନ୍ତି । କଣ୍ଟାବାଞ୍ଜି ଥାନା ଅଧିକାରୀଙ୍କୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି ।
Comments are closed, but trackbacks and pingbacks are open.