ନିଜ ଦମ୍ରେ ଲଢ଼ିବୁ, ସରକାର ଗଢ଼ିବୁ:ଶିବରାଜ ସିଂ ଚୌହାନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଆମେ ଓଡ଼ିଶାରେ ଏକାକୀ ଚାଲିବୁ । ଏକା ଲଢ଼ିବୁ । ଆଉ ନିଜ ଦମ୍ରେ ସରକାର ବି ଗଢ଼ିବୁ । ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ରବିବାର ଏମିତି ରୋକ୍ଠୋକ୍ କଥା କହିଛନ୍ତି ।
ବିଜୁ ଜନତା ଦଳ (ବିଜେଡି) ସହ ବିଜେପିର ସମ୍ବନ୍ଧ କ’ଣ? ଉଭୟଙ୍କ ମଧ୍ୟରେ ଗଠବନ୍ଧନ ହୋଇଛି କି? ବିଜେଡି ଏନ୍ଡିଏରେ ସାମିଲ ହେବ କି? ଏମିତି ଅନେକ ଗୋଳମାଳିଆ ପ୍ରଶ୍ନର ସିଧା ସିଧା ଜବାବ୍ ଦେଇଛନ୍ତି ଶିବରାଜ । କହିଛନ୍ତି, ଏଥିରେ କିଛି ବି ଦ୍ୱନ୍ଦ୍ୱ ନାହିଁ ।
୩୭୦ ଧାରା ଉଚ୍ଛେଦକୁ ବିଜେଡିର ସମର୍ଥନ ପ୍ରସଙ୍ଗରେ ଶିବରାଜ କହିଛନ୍ତି, ବିଜେପି କାହାର ଶତ୍ରୁ ନୁହେଁ । ବିଜେଡି ଦେଶର ସ୍ୱାର୍ଥ ଓ ରାଜନୈତିକ ଶିଷ୍ଟାଚାର ଆଧାରରେ ଏହାକୁ ସମର୍ଥନ କରିଛି । କେବଳ ବିଜେଡି ନୁହେଁ ଅନେକ ବିରୋଧୀ ଦଳ ବି ଏଥିରେ ବିଜେପିର ସାଥ୍ ଦେଇଛନ୍ତି । ଦେଶ ଆଗରେ ଦଳ ବଡ଼ ନୁହେଁ । ବିଜେଡି ତା’ର କର୍ତ୍ତବ୍ୟ କରିଛି । ଏହାର ଅର୍ଥ ନୁହେଁ ଯେ ବିଜେଡି ଏନ୍ଡିଏରେ ସାମିଲ ହେବ । ବର୍ତ୍ତମାନ ସେଭଳି କୌଣସି ପ୍ରସ୍ତାବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ତା’ହେଲେ କେଉଁ ଆଧାରରେ ବିଜେଡି ଗତ ରାଜ୍ୟସଭା ନିର୍ବାଚନରେ ବିଜେପିକୁ ସମର୍ଥନ ଦେଲା ବୋଲି ସାମ୍ବାଦିକମାନଙ୍କ ଏକ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ ଶିବରାଜ ।
ତେବେ କଂଗ୍ରେସ ସହିତ ବିଜେଡିକୁ ବି ସମାଲୋଚନା କରିବାକୁ ପଛାଇ ନଥିଲେ ଶିବରାଜ । ଓଡ଼ିଶା ଗରିବ ଓ ପଛୁଆ ହେବା ପାଇଁ ସେ ଉଭୟ କଂଗ୍ରେସ ଓ ବିଜେଡିକୁ ଦାୟୀ କରିଥିଲେ । କହିଥିଲେ, ଓଡ଼ିଶାର ବିକାଶ ପାଇଁ ଏହି ଦୁଇ ଦଳ ପାଖରେ କିଛି ବି ଏଜେଣ୍ଡା ନାହିଁ । ଯେଉଁଥିପାଇଁ ସ୍ୱାଧୀନତାର ୭୦ ବର୍ଷ ପରେ ବି ମାତ୍ର ୩୧% ଜମିକୁ ଜଳ ସେଚିତ ହୋଇଥିବା ଦାବି କରାଯାଉଛି । ‘କାଳିଆ’ ଯୋଜନାରେ ବିଜେଡିକୁ କାଠଗଡ଼ାକୁ ଟାଣିଥିଲେ ଶିବରାଜ । ବିଜେଡି ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇଛି । କାଳିଆରେ ରାଜ୍ୟର ୫୭ ଲକ୍ଷ ଲୋକ ପଞ୍ଜୀକୃତ ହୋଇଛନ୍ତି । ମାତ୍ର ୯ ଲକ୍ଷ ହିତାଧିକାରୀଙ୍କ ଖାତାରେ କାଳିଆ ଟଙ୍କା ପହଞ୍ଚିଛିଥିବା କୁହାଯାଉଛି । ବାସ୍ତବ ତଥ୍ୟ ପଦାକୁ ଆସିବା ଦରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଉପରେ ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ । ବାସ୍ତବରେ କେତେ ହିତାଧିକାରୀ ଏଥିରେ ଉପକୃତ ହୋଇଛନ୍ତି ତା’ର ତାଲିକା ଦିଅନ୍ତୁ । ଅପରପକ୍ଷରେ କେଉଁ କାରଣରୁ କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନା ପାଇଁ ହିତାଧିକାରୀଙ୍କ ତାଲିକା ଦେଉନାହାନ୍ତି, ତାହା ସ୍ପଷ୍ଟ କରନ୍ତୁ ବୋଲି ଶିବରାଜ ପ୍ରଶ୍ନ କରିଛନ୍ତି ।
ଏହାଛଡ଼ା ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ଏ ଯାଏଁ ସାମିଲ ନ ହୋଇ କୋଟି କୋଟି ଓଡ଼ିଆଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବାରୁ ବଞ୍ଚିତ କରିଛି ବୋଲି ମଧ୍ୟ ଶିବରାଜ ଅଭିଯୋଗ ଆଣିଛନ୍ତି ।
କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ପୁଣି ଥରେ ସୋନିଆ ଗାନ୍ଧିଙ୍କୁ ଅଧ୍ୟକ୍ଷା ନିଯୁକ୍ତ କରିବା ପ୍ରସଙ୍ଗକୁ ସମାଲୋଚନା କରି ଶିବରାଜ କହିଛନ୍ତି, ଲୋକମାନେ ବଂଶବାଦକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ପରିବାରବାଦ ଓ ଜାତିବାଦ ରାଜନୀତି ଠାରୁ ମୁହଁ ଫେରାଇ ନେଇଛନ୍ତି । ରାଷ୍ଟ୍ରବାଦ ବିକାଶବାଦ ରାଜନୀତିକୁ ପସନ୍ଦ କରିଛନ୍ତି । ଉତ୍ତର ପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗରେ ଏହାର ନଗ୍ନ ପ୍ରମାଣ ଦେଖିବାକୁ ମିଳିଛି ।
ସେ କହିଛନ୍ତି, ଗତ ନିର୍ବାଚନରୁ କଂଗ୍ରେସ କିଛି ଶିଖିବାକୁ ଚାହୁଁନାହିଁ । କଂଗ୍ରେସ ନେତାଙ୍କ ବି କୌଣସି ଦମ୍ ନାହିଁ । ସେମାନେ ଏବେ ବି ପରିବାରବାଦ ରାଜନୀତିକୁ ଜାବୁଡ଼ି ଧରିଛନ୍ତି । ଏବେ ସେ (ଗାନ୍ଧି) ପରିବାରର କୌଣସି କରିସ୍ମା ନାହିଁ । ରାହୁଲ ଗାନ୍ଧି ଏବେ ରଣଛୋଡ୍ ଗାନ୍ଧି ହୋଇଯାଇଛନ୍ତି । ନିର୍ବାଚନ ହାରିବା ପରେ ପଦ ଛାଡ଼ି ପଳାଇଛନ୍ତି । ତେଣୁ ଏବେ କଂଗ୍ରେସ ପରିବାରବାଦରୁ ବାହାରକୁ ନଆସିଲେ ଉଧେଇ ପାରିବ ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons