ନିର୍ଭୟା ମାମଲା:ଦୋଷୀ ପବନର ପିଟିସନ ଖାରଜ

Get real time updates directly on you device, subscribe now.

ନୂଆଦିଲ୍ଲୀ: ନିର୍ଭୟା ଗଣବଳାକ୍ରାର ଓ ହତ୍ୟା ଘଟଣାର ଅନ୍ୟତମ ଦୋଷୀ ପବନ ଗୁପ୍ତାର ପିଟିସନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି । ପବନ ତାର ପିଟିସନରେ ଦର୍ଶାଇଥିଲା ଯେ ୨୦୧୨ ଡିସେମ୍ବରରେ ଅପରାଧ ଘଟିବା ସମୟରେ ସେ ନାବାଳକ ଥିଲା ଓ ତାର ଏହି ଆବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ଏଥିସହ ଆସନ୍ତା ଫେବ୍ରୁଆରୀ ୧ ରେ ଦିଆଯିବାକୁ ଥିବା ଫାଶୀ କାର୍ଯ୍ୟକାରୀ ନ କରିବାକୁ ଜେଲ୍ କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଧଶ ଦେବାକୁ ସେ ଅନୁରୋଧ କରିଥିଲା ।
ବିଚାରପତି ଆର. ଭାନୁମତି, ଅଶୋକ ଭୂଷଣ ଓ ଏ.ଏସ୍. ବୋପାନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ପବନର ଦାବିରେ କିଛି ନୂଆ ତଥ୍ୟ ନାହିଁ । ଏହି କଥା କୋର୍ଟରେ ପୂର୍ବରୁ ଅନେକଥର ଉଠାଯାଇଛି । ପବନର ଦାବିକୁ ତଳକୋର୍ଟ ଓ ହାଇକୋର୍ଟ ଅଗ୍ରାହ୍ୟ କରିବା ନିଷ୍ପତ୍ତି ଠିକ୍ । ହାଇକୋର୍ଟଙ୍କ ଏହି ନିଷ୍ପତ୍ତିରେ ହସ୍ତକ୍ଷେପ କରାଯିବା ଉଚିତ ନୁହେଁ । ପବନର ଓକିଲ ଏ.ପି. ସିଂହ ଦର୍ଶାଇଥିଲେ କି ଅପରାଧ ସମୟରେ ପବନ ନାବାଳକ ଥିବା ବିଷୟ ସରକାରୀ ପକ୍ଷ କୋର୍ଟଙ୍କୁ ଜଣାଇ ନଥିଲେ । ସେ ପବନର ସ୍କୁଲ ଲିଭିଂ ସାର୍ଟିଫିକେଟର ପ୍ରମାଣପତ୍ର ଦେଖାଇ କହିଥିଲେ କି ତାର ଜନ୍ମତାରିଖ ୧୯୯୬ ଅକ୍ଟୋବର ୮ । ଅର୍ଥାତ ଅପରାଧ ଘଟିବା ସମୟରେ ତାର ବୟସ ମାତ୍ର ୧୬ ବର୍ଷ ଥିଲା । ତଳକୋର୍ଟ ଏହାକୁ ବିଚାରକୁ ନେଇନାହାନ୍ତି ଓ ସେଠାରେ ଅତି ତରବରିଆ ଭାବେ ବିଚାର କରାଯାଇଛି ।
ଏହାର ଉତ୍ତରରେ ଜଷ୍ଟିସ ଭୂଷଣ କହିଥିଲେ କି ପବନକୁ ଦୋଷୀ ସାବ୍ୟସ୍ତ କରାଯିବାର ବହୁ ଦିନ ପରେ ୨୦୧୭ ଫେବ୍ରୁଆରୀରେ ତାର ବୟସ କଥା ଉଠାଯାଇଥିଲା କାହିଁକି? ୨୦୧୮ ଜୁଲାଇରେ ସମୀକ୍ଷା ଆବେଦନର ଶୁଣାଣି ବେଳେ ପବନର ବୟସ ଉପରେ ମଧ୍ୟ ଶୁଣାଣି ହୋଇଥିଲା । ଆପଣ ଯଦି ଏଭଳି ବାରମ୍ବାର ଗୋଟିଏ ପରେ ଗୋଟିଏ ପିଟିସନ ଦାଖଲ କରିଚାଲିଥିବେ ତେବେ ମାମଲାର ବିଚାର ସରିବ ନାହିଁ ବୋଲି ଜଷ୍ଟିସ ଭୂଷଣ ପବନର ଓକିଲ ସିଂହଙ୍କୁ କହିଥିଲେ । ସେହିଭଳି ଜଷ୍ଟିସ୍ ଭାନୁମତି କହିଥିଲେ ଯେ ପବନ ନାବାଳକ ଥିବାର ଦାବି ତଳକୋର୍ଟ, ହାଇକୋର୍ଟ ଏପରିକି ସୁପି୍ରମକୋର୍ଟରେ ମଧ୍ୟ ପୂର୍ବରୁ ଉଠାଯାଇଛି ଓ ତାହା ଖାରଜ ହୋଇସାରିଛି । ତେଣୁ ବର୍ତ୍ତମାନର ପିଟିସନରେ କିଛି ନୂଆକଥା ନଥିବାରୁ ଏହାକୁ କୋର୍ଟ ଖାରଜ କରୁଛନ୍ତି ।
ସୂଚନାଯୋଗ୍ୟ, ଅପରାଧ ବେଳେ ନାବାଳକ ଥିବା ଦର୍ଶାଇ ପବନ କରିଥିବା ପିଟିସନ ହାଇକୋର୍ଟରେ ଖାରଜ ହେବା ପରେ ତାକୁ ସେ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲା । ପବନର ସବୁ ନାୟିକ ରାସ୍ତା ବନ୍ଦ ହୋଇସାରିଛି । ସେ ଏପର୍ଯ୍ୟନ୍ତ ରାଜକ୍ଷମା ଆବେଦନ କରି ନାହିଁ । ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ନିର୍ଭୟାଙ୍କ ମା କହିଛନ୍ତି ଯେ ଦୋଷୀମାନେ ଫାଶୀରୁ ବର୍ତ୍ତିବା ପାଇଁ ଗୋଟିଏ ପରେ ଗୋଟିଏ ପ୍ରୟାସ କରୁଛନ୍ତି । ମାତ୍ର ସେମାନଙ୍କ ସବୁ ପ୍ରୟାସ ବିଫଳ ହେବାରେ ଲାଗିଛି । ତେଣୁ ତୁରନ୍ତ ଜଣଙ୍କ ପରେ ଜଣଙ୍କୁ ଫାଶୀରେ ଝୁଲାଇବା ଲାଗି ସେ ଦାବି କରିଛନ୍ତି । ସେହିଭଳି ଦୋଷୀମାନେ ଗୋଟିଏ ପରେ ଗୋଟିଏ ପିଟିସନ ଫାଇଲ କରୁଥିବାରୁ ସୁପି୍ରମକୋର୍ଟ ଏ ଦିଗରେ ଗାଇଡ୍ଲାଇନ ଜାରି କରିବାକୁ ନିର୍ଭୟାଙ୍କ ପିତା ଦାବି କରିଛନ୍ତି । ସେ କହିଛନ୍ତି ଏହାଦ୍ୱାରା ପୀଡିତାଙ୍କୁ ତୁରନ୍ତ ନ୍ୟାୟ ମିଳିପାରିବ । ପୂର୍ବରୁ ପଟିଆଲା ହାଉସ୍ କୋର୍ଟ ପବନ ସମେତ ନିର୍ଭୟା ମାମଲାର ସମସ୍ତ ୪ ଦୋଷୀଙ୍କ ବିରୋଧରେ ଡେଥ୍ ୱାରେଣ୍ଟ (ବ୍ଲାକ୍ ୱାରେଣ୍ଟ) ଜାରି କରିସାରିଛନ୍ତି । ଫେବ୍ରୁଆରୀ ୧ ତାରିଖ ସକାଳ ୬ଟାରେ ତିହାର ଜେଲ୍ରେ ସମସ୍ତ ୪ ଦୋଷୀଙ୍କୁ ଫାଶୀଦେବାକୁ କୋର୍ଟ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons