ଭୁବନେଶ୍ୱର, (ବି.ବି.ବୁ୍ୟରୋ): ବିଜେଡି ବିଧାୟକମାନେ ନିୟମିତ ବିଧାନସଭା ଆସୁଛନ୍ତି କି ନାହିଁ? କେତେବେଳେ ଗୃହକୁ ଆସୁଛନ୍ତି, ଆଉ କେତେବେଳେ ଯାଉଛନ୍ତି? ବିତର୍କରେ କିଭଳି ଅଂଶଗ୍ରହଣ କରୁଛନ୍ତି? କାହାର ପ୍ରଦର୍ଶନ କେମିତି? ଏଣିକି ଏ ସବୁର କଡ଼ା ଗଣ୍ଡା ହିସାବ ରଖିବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ବିଧାନସଭାରେ ବିଧାୟକଙ୍କ ଉପସ୍ଥାନ ଓ କାର୍ଯ୍ୟକଳାପ ଉପରେ ରହିବ ନବୀନଙ୍କ ନଜର । ଚଳିତ ଶୀତ ଅଧିବେଶନରୁ ବିଜେଡି ଏଭଳି ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ।
“ସମୟାନୁବର୍ତ୍ତୀ ହୁଅ । ନିୟମିତ ବିଧାନସଭାକୁ ଆସ । ବିତର୍କରେ ଭାଗ ନିଅ” । ବିଜେଡି ବିଧାୟକଙ୍କ ଉଦେ୍ଧଶ୍ୟରେ ଆଜି ଏଭଳି ଫତ୍ୱା ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଗିଦ୍ କରି ଜଣାଇ ଦେଇଛନ୍ତି, ବିଧାନସଭା ଗୃହ କାର୍ଯ୍ୟକୁ ହାଲୁକା ମନେକରି କେହି ଅନୁପସ୍ଥିତ ରହିପାରିବେନି । ମନଇଚ୍ଛା ଛୁଟି ନେଇ ରହିବା ଉପରେ ଏକରକମ ରୋକ୍ ଲଗାଇ ଦେଇଛନ୍ତି ନବୀନ । ବିଧାନସଭା ଚାଲିବାବେଳେ ୨ ଦିନରୁ ଅଧିକ ଦିନ ଛୁଟି ଚାହୁଁଥିବା ବିଧାୟକ ତାଙ୍କଠୁ ଅନୁମତି ନେବା ପାଇଁ ନବୀନ କହିଛନ୍ତି ।
ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ସକାଳେ ବସିଥିଲା ବିଜେଡି ବିଧାୟକ ଦଳ ବୈଠକ । ଏଥିରେ ବିଧାୟକଙ୍କୁ ସମୟାନୁବର୍ତ୍ତିତାର ପାଠ ପଢ଼ାଇଥିଲେ ନବୀନ । ସେ କହିଲେ, ଏଥର ଅଧିବେଶନ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ଅଧିବେଶନରେ ଅତିରିକ୍ତ ବଜେଟ୍ ପାରିତ ହେବା ସହ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆସିବ । ସମସ୍ତ ବିଧାୟକମାନେ ସମୟାନୁବର୍ତ୍ତୀ ହେବା ସହ ନିୟମିତ ବିଧାନସଭାକୁ ଆସିବାକୁ ପଡ଼ିବ । ବିଧାୟକଙ୍କ ଯା’ ଆସ ଉପରେ ନଜର ରଖିବା ପାଇଁ ଟେକ୍ନୋଲୋଜି ବ୍ୟବହାର ନେଇ ଦଳକୁ ପରାମର୍ଶ ଦେଇଛନ୍ତି ନବୀନ ।
ନବୀନ କଡ଼ା ଶବ୍ଦରେ ତାଗିଦ୍ କରି କହିଛନ୍ତି, ଏଥର ଗୃହରେ ବିଧାୟକମାନଙ୍କ ଉପସ୍ଥାନ ନେଇ ସେ ବେଶ୍ ଗୁରୁତ୍ୱ ଦେଉଛନ୍ତି । ତେଣୁ ପ୍ରତିଦିନ ସାଢେ଼ ୧୧ଟାବେଳେ ବିଧାୟକମାନଙ୍କ ଉପସ୍ଥାନ ନେଇ ସରକାରୀ ମୁଖ୍ୟ ସଚେତକ ତାଙ୍କୁ ରିପୋର୍ଟ ଦେବେ । ବିଶେଷ କରି ନୂଆ କରି ନିର୍ବାଚିତ ହୋଇଥିବା ବିଧାୟକମାନଙ୍କ କାର୍ଯ୍ୟକଳାପ ଉପରେ ନିଜେ ନଜର ରଖିବେ ନବୀନ କହିଛନ୍ତି ।
ଗୃହରେ ହେଉଥିବା ଆଲୋଚନା ଓ ବିତର୍କରେ ଅଂଶଗ୍ରହଣ କରିବାକୁ ଦଳର ବିଧାୟକମାନଙ୍କୁ ସେ ପରାମର୍ଶ ଦେଇଛନ୍ତି । ନବୀନ କହିଛନ୍ତି, ବିଧାୟକମାନେ ସକ୍ରିୟ ଭାବେ ଆଲୋଚନାରେ ଭାଗ ନେବା ଦରକାର । ରାଜ୍ୟ ସ୍ୱାର୍ଥ ପାଇଁ ବିରୋଧୀ ଦଳର ସକରାତ୍ମକ ସମାଲୋଚନାକୁ ସମସ୍ତେ ଉତ୍ସାହିତ କରିବା ଆବଶ୍ୟକ । ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ବିଜେଡି ସବୁବେଳେ ପ୍ରସ୍ତୁତ ରହିବା ଉଚିତ୍ । ଟେକ୍ନୋଲୋଜି ସହାୟତାରେ ବଳିÂ ତଥ୍ୟ ସଂଗ୍ରହ କରି ବିତର୍କରେ ଭାଗ ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।
ନବୀନ କହିଛନ୍ତି, ଓଡ଼ିଶାବାସୀ ହେଉଛନ୍ତି ଆମର ମାଲିକ । ପ୍ରତି ମୂହୂର୍ତ୍ତରେ ଆମେ ସେମାନଙ୍କ ସେବା କରିବା ଦରକାର । ପାଟକୁରା ଓ ବିଜେପୁର ଉପନିର୍ବାଚନ ପୁଣି ଥରେ ମନେ ପକାଇ ଦେଉଛି ଯେ, ରାଜ୍ୟବାସୀଙ୍କର ବିଜେଡି ପ୍ରତି ଅତୁଟ ଆସ୍ଥା ରହିଛି । ଏହାକୁ ମନରେ ରଖି କାମ କରିବାକୁ ହେବ । ସ୍ୱଚ୍ଛ ଓ ସମର୍ପିତ ଭାବ ନେଇ କଠିନ ପରିଶ୍ରମ କରି ଲୋକଙ୍କ ସେବା କରିବାକୁ ସେ ଆହ୍ୱାନ ଦେଇଥିଲେ ।
ଶେଷରେ ନବୀନ କହିଛନ୍ତି, ସାଂସଦମାନେ ପ୍ରତି ଦୁଇ ମାସରେ ଥରେ ରିପୋର୍ଟ କାର୍ଡ ଦାଖଲ କରୁଛନ୍ତି । ଠିକ୍ ସେହିଭଳି ଏଣିକି ବିଧାୟକମାନଙ୍କୁ ଦୁଇ ମାସରେ ଥରେ ନିଜ ନିଜ ରିପୋର୍ଟ କାର୍ଡ ଦେବାକୁ ହେବ । ରିପୋର୍ଟ କାର୍ଡ ଢାଞ୍ଚା ପ୍ରସ୍ତୁତି ପାଇଁ ଏକ କମିଟି ଗଠନ କରାଯାଇଛି । ଏହି କମିଟିରେ ବିଧାୟକ ତଥା ବରିÂ ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ, ଉଷା ଦେବୀ, ଅମର ପ୍ରସାଦ ଶତପଥୀ ଓ କିଶୋର ମହାନ୍ତିଙ୍କୁ ରଖାଯାଇଛି । ରିପୋର୍ଟ କାର୍ଡର ରୂପରେଖ, ପଦ୍ଧତି ଓ ବିଷୟବସ୍ତୁ ନେଇ ୧୦ ଦିନ ଭିତରେ କମିଟି ରିପୋର୍ଟ ଦାଖଲ କରିବେ ।
ନବୀନଙ୍କ ଏଭଳି ତାଗିଦ୍ ପରେ ଶାସକ ଦଳର ବିଧାୟକମାନେ ପୂର୍ବଠାରୁ ଅଧିକ ସତର୍କ ଓ ସଚେତନ ହୋଇପଡ଼ିଛନ୍ତି ।
Comments are closed, but trackbacks and pingbacks are open.