ନୀତି ଆୟୋଗର ମୁଖ୍ୟମନ୍ତ୍ରୀ କମିଟି ବୈଠକ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଏଣିକି ସାରା ରାଜ୍ୟ ପାଇଁ ଗୋଟିଏ କୃଷି ବଜାର ରହିବ । ସବୁଠି କୃଷିଜାତ ଦ୍ରବ୍ୟର ଦର ସମାନ ରହିବ । ଏହାଛଡ଼ା ରାଜ୍ୟରେ ବିଭିନ୍ନ କୃଷିଜାତ ଦ୍ରବ୍ୟ ପାଇଁ ସ୍ଥାପନ ହେବ ରପ୍ତାନି କ୍ଲଷ୍ଟର । ଭାରତୀୟ କୃଷିର କାୟା ପରିବର୍ତ୍ତନ ପାଇଁ ନୀତି ଆୟୋଗର କ୍ଷମତାସମ୍ପନ୍ନ ମୁଖ୍ୟମନ୍ତ୍ରୀ କମିଟି ବୈଠକରେ ଶୁକ୍ରବାର ଏଭଳି ନିଷ୍ପତ୍ତି ନିଆଯାଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଦନାଭିସ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କ ସମେତ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ଓ ସମସ୍ତ ନୀତି ଆୟୋଗ ସଦସ୍ୟ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କୃଷି ମନ୍ତ୍ରୀ ଡ. ଅରୁଣ ସାହୁ ଏହି ବୈଠକରେ ପ୍ରତିନିଧିତ୍ୱ କରିଥିଲେ ।
ବୈଠକ ଶେଷ ହେବାପରେ କୃଷିମନ୍ତ୍ରୀ ଡ.ସାହୁ କହିଛନ୍ତି, ସାରା ରାଜ୍ୟ ଗୋଟିଏ କୃଷି ବଜାର ପାଇଁ ନୀତି ଆୟୋଗ ମୁଖ୍ୟମନ୍ତ୍ରୀ କମିଟି ବୈଠକ ନିଷ୍ପତ୍ତି ନେଇଛି । ଫଳରେ ଏଣିକି ସାରା ରାଜ୍ୟର ବିଭିନ୍ନ ବଜାରରେ କୃଷିଜାତ ସାମଗ୍ରୀ ମୂଲ୍ୟ ସମାନ ରହିବ । ଫଳରେ କଳାବଜାରୀକୁ ରୋକାଯାଇପାରିବ । ସେହିଭଳି ବିଭିନ୍ନ ଅଞ୍ଚଳର ପ୍ରମୁଖ କୃଷିଜାତ ଦ୍ରବ୍ୟର ରପ୍ତାନି ଉଦ୍ଦେଶ୍ୟରେ ରପ୍ତାନି କ୍ଲଷ୍ଟର ସ୍ଥାପନ କରାଯିବ । ଉଦାହରଣ ସ୍ୱରୂପ କନ୍ଧମାଳ ହଳଦୀର ରପ୍ତାନି ପାଇଁ ସ୍ୱତନ୍ତ୍ର ରପ୍ତାନି କ୍ଲଷ୍ଟର ବିକାଶ ହେବ ।
କଣ୍ଟ୍ରାକ୍ଟ ଫାର୍ମିଂ ପାଇଁ ନୂଆ ଆଇନ ଆସିବ । ରିଲାଏନ୍ସ ଫ୍ରେସ୍ ଓ ଉଦ୍ୟାନ ଫ୍ରେସ୍ ଭଳି ସରକାର ଚାଷୀଙ୍କ ନିକଟରୁ ସିଧାସଳଖ ବିଭିନ୍ନ ଉଦ୍ୟାନ କୃଷି ସାମଗ୍ରୀ ସଂଗ୍ରହ କରି ବିକ୍ରୟ କରିବେ । ଅତ୍ୟାବଶକ ସାମଗ୍ରୀ ଆଇନ(ଏସ୍ମା) କୋହଳ କରାଯିବ । ଅଧିକ ଅମଳ କରୁଥିବା ଚାଷୀ ଯଦି ଅଧିକ କୃଷିଜାତ ସାମଗ୍ରୀ ହୋର୍ଡିଂ କରିବେ ତେବେ ତାଙ୍କୁ ଦଣ୍ଡିତ କରାଯାଇପାରିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ଡ. ସାହୁ କହିଛନ୍ତି । ଏହାଛଡ଼ା ଇ-ନାମ ୱେବ୍ସାଇଟ୍କୁ ଅଧିକ ସୁଦୃଢ଼ ଓ କ୍ରିୟାଶୀଳ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଏଣିକି ଏହି ୱେବ୍ସାଇଟ୍ରେ ଦେଶବ୍ୟାପୀ ଅନ୍ଲାଇନ୍ରେ କିଣା ବିକା ସହ ପେମେଣ୍ଟ ବ୍ୟବସ୍ଥା ହୋଇପାରିବ । ଏପରିକି କୃଷିକ୍ଷେତ୍ରରେ ଟେକ୍ନୋଲୋଜି ବ୍ୟବହାରକୁ ତ୍ୱରାନ୍ୱିତ କରି ଉତ୍ପାଦନ ବୃଦ୍ଧି ଉପରେ ମଧ୍ୟ ନୀତି ଆୟୋଗ ଗୁରୁତ୍ୱାରୋପ କରିଥିବା ଡ. ସାହୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons