ନୀତି ଆୟୋଗ ବୈଠକରେ ନବୀନଙ୍କ ଦାବି:ଓଡ଼ିଶାକୁ ଦିଅ ସ୍ୱତନ୍ତ୍ର ପାହ୍ୟା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଓଡ଼ିଶାର ଦୀର୍ଘବର୍ଷର ଦାବିକୁ ନୀତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ । ‘ଫୋନି’ ଭଳି ପ୍ରାକୃତିକ ଦୁର୍ବିପାକ ଗୋଟିଏ ରାଜ୍ୟକୁ କେତେ କ୍ଷତିଗ୍ରସ୍ତ କରେ ତା’ର ଉଦାହରଣ ରଖି ମୁଖ୍ୟମନ୍ତ୍ରୀ ଦୁର୍ବିପାକକୁ ସ୍ୱତନ୍ତ୍ର ପାହ୍ୟାର ମାପଦଣ୍ଡ ଭାବେ ଗ୍ରହଣ କରିବାକୁ ଦାବି ରଖିଛନ୍ତି । ଏପରିକି ଓଡ଼ିଶା ଭଳି ଯେଉଁ ରାଜ୍ୟଗୁଡ଼ିକ ବଡ଼ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି ସେଗୁଡ଼ିକୁ ‘ସ୍ପେଶାଲ ଫୋକସ୍ ଷ୍ଟେଟ୍’ ଭାବେ ସମାୟିକ ସମୟ ପାଇଁ ଘୋଷଣା କରାଯାଉ । ଏ ସମୟରେ ସ୍ୱତନ୍ତ୍ର ପାହ୍ୟାର ସମସ୍ତ ସୁବିଧା ସଂପୃକ୍ତ ରାଜ୍ୟକୁ ମିଳୁ । ନୀତି ଆୟୋଗ ବୈଠକରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ଏ ଦାବି ମଧ୍ୟ ନବୀନ ରଖିଛନ୍ତି ।
ଏହାଛଡ଼ା ଏକକ ନିର୍ବାଚନ, ମହିଳା ସଶକ୍ତିକରଣ, କୃଷି ଓ ଜଳସେଚନକୁ ସ୍ୱତନ୍ତ୍ର ଧ୍ୟାନ ସହ କୋଇଲା ରୟାଲଟି ୨୦ଧ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ପରିଷଦକୁ ଅନୁରୋଧ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ୫ମ ପରିଚାଳନା ପରିଷଦ ବୈଠକ ରାଷ୍ଟ୍ରପତି ଭବନରେ ବସିଥଲା । ଏ ବୈଠକରେ ଓଡ଼ିଶା ପକ୍ଷରୁ ଦାବି ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ପାଇଁ ଯୁକ୍ତି ବାଢ଼ିଥିଲେ । ବାତ୍ୟା ‘ଫୋନି’ ପାଇଁ ରାଜ୍ୟ ବହୁଳ ଭାବେ କ୍ଷତି ସହିଛି ବୋଲି କହିଥିଲେ । ସେ କହିଲେ, ଏ ବାତ୍ୟାରେ ଓଡ଼ିଶାର ଭିତ୍ତିଭୂମି, ସର୍ବସାଧାରଣ ସମ୍ପତ୍ତି, ଓ ଜୀବନଜୀବିକା ଛାରଖାର ହୋଇଯାଇଛି । ବାତ୍ୟା ପୂର୍ବରୁ ସାଢ଼େ ୧୫ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟର ଆର୍ଥିକ ବିକାଶରେ ପ୍ରତିବନ୍ଧକ ସାଜିଛି । ତେଣୁ ଓଡ଼ିଶାକୁ କେନ୍ଦ୍ର ‘ସ୍ପେଶାଲ ଫୋକସ୍ ଷ୍ଟେଟ୍’ ଘୋଷଣା କରିବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ।
ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ଧ ଆସନ ସଂରକ୍ଷଣ ଦିଗରେ ବିଧାନସଭାରେ ସଂକଳ୍ପ ପାରିତ କରିଥିଲା ବେଳେ ନବୀନ ନୀତି ଆୟୋଗ ବୈଠକରେ ଏ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ପ୍ରସ୍ତାବ ରଖି କହିଲେ, ସବୁ କ୍ଷେତ୍ରରେ ମହିଳାମାନଙ୍କ ସଶକ୍ତିକରଣ ପାଇଁ ଆମେ ସର୍ବାଧିକ ଫୋକସ କରିବା ଉଚିତ୍ । ବାରମ୍ବାର ଲୋକସଭା ଓ ବିଧାନସଭା ନିର୍ବାଚନକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନାପସନ୍ଦ କରିଛନ୍ତି । ଦୀର୍ଘଦିନ ନିର୍ବାଚନ ଆଚରଣ ବିଧି ଲାଗୁଦ୍ୱାରା ଉନ୍ନୟନମୂଳକ କାମ ବନ୍ଦ ରହୁଛି । ଏହା ବିକାଶ ରାସ୍ତାରେ ପ୍ରତିବନ୍ଧକ ବୋଲି ଦର୍ଶାଇ ଲୋକସଭା ସହ ବିଧାନସଭା ନିର୍ବାଚନ ଏକକ ଭାବେ ହେଉ ବୋଲି ପ୍ରସ୍ତାବ ରଖିଛନ୍ତି ।
ଆମ ଦେଶର ଭୌଗୋଳିକ ସ୍ଥିତି ଅନୁସାରେ ଆମକୁ କୃଷିକୁ ଅଗ୍ରାଧିକାର ଦେବାକୁ ହେବ । ଜଳସମ୍ପଦର ଠିକଣା ଆବଣ୍ଟନ ସହ ଶୁଷ୍କ ଅଞ୍ଚଳରେ ଦ୍ୱିତୀୟ ସବୁଜ ବିପ୍ଲବର ଆବଶ୍ୟକତା ଅଛି । କେନ୍ଦ୍ର ଏହାକୁ ଗମ୍ଭୀରତାର ସହ ବିଚାର କରିବାର ସମୟ ଅସିଛି ବୋଲି ନବୀନ କହିଥିଲେ । ଚାଷ କ୍ଷତିଗ୍ରସ୍ତ ହେଲେ ମିଳୁଥିବା ଇନପୁଟ ସବସିଡି ପରିମାଣ ପ୍ରତି ହେକ୍ଟର ପିଛା ୨୦ ହଜାର (ଜଳସେଚନ ଅଞ୍ଚଳ) ଓ ୧୦ ହଜାର (ଅଣ ଜଳସେଚିତ ଅଞ୍ଚଳ)କୁ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ବିକାଶ ପାଇଁ ସଡ଼କ ଓ ରେଳପଥ ନିର୍ମାଣକୁ ଫୋକସ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ ।
ସେ କହିଲେ, ପରିବେଶ ଓ ଆର୍ଥିକ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ଏକାଠି ହାତ ଧରାଧରି ହୋଇ ଚାଲିବାକୁ ପଡ଼ିବ । ପ୍ରକୃତ ହିତାଧିକାରୀଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚାଇବାକୁ ଢ଼ାଞ୍ଚାରେ ପରିବର୍ତ୍ତନ ଆଣିବାକୁ ହେବ । ସମୟ ବଦଳିଲାଣି । ଏଣିକି ଆମକୁ ବୈଜ୍ଞାନିକ ପଦ୍ଧତିରେ ସର୍ଭେ କରି ହିତାଧିକାରୀଙ୍କ କଲ୍ୟାଣ ପାଇଁ ନୂଆ ଯୋଜନା ଆପଣାଇବାକୁ ହେବ ।
ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ମୁଖ୍ୟମନ୍ତ୍ରୀ କହିଲେ, ପ୍ରଧାନମନ୍ତ୍ରୀ-କିଷାନ ଯୋଜନାରେ ଭୂମିହୀନ ଓ ଭାଗଚାଷୀ ପରିବାରଗୁଡ଼ିକୁ ସାମିଲ କରାଯାଉ । ଏହାଦ୍ୱାରା ଏ ପରିବାରଗୁଡ଼ିକ ଆର୍ଥିକ ସହାୟତା ପାଇପାରିବେ । ବୈଠକରେ ମୁଖ୍ୟମନ୍ତ୍ରୀ ଦାବି ରଖିଲେ, ଗତ ଏପ୍ରିଲ ପହିଲା ସୁଦ୍ଧା ଯେଉଁ ଜଳସେଚନ ପ୍ରକଳ୍ପଗୁଡ଼ିକ ଅସମ୍ପୂର୍ଣ୍ଣ ରହିଛି ସେଗୁଡ଼ିକୁ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ । ଜଳଛାୟା ପ୍ରକଳ୍ପ ସହ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ କେନ୍ଦ୍ର ପର୍ଯ୍ୟାପ୍ତ ପାଣ୍ଠି ବରାଦ କରୁ । ୨୦୨୨ ସୁଦ୍ଧା ରାଜ୍ୟ ସରକାର ସବୁ ପରିବାର ନିକଟରେ ପାଇପ ପାଣି ପହଞ୍ଚାଇବାକୁ ଟାର୍ଗେଟ୍ ରଖିଛି । ସ୍ୱଛ ଭାରତ ମିଶନରେ ଜଳଯୋଗାଣକୁ ଗୁରୁତ୍ୱ ଦିଆଯାଉ ବୋଲି ନବୀନ ପ୍ରସ୍ତାବ ଦେଇଛନ୍ତି ।
ସେ କହିଲେ, ଉପକୂଳ ଅଞ୍ଚଳରେ ଅଧିକରୁ ଅଧିକ ଜଳ ସଂରକ୍ଷଣ ପାଇଁ ବ୍ୟବସ୍ଥା କରିବା ସହ ଭୂତଳ ଜଳଉତ୍ସର ବିକାଶ ପାଇଁ କେନ୍ଦ୍ର ସ୍ୱତନ୍ତ୍ର ଭାବେ ନୂଆ ଯୋଜନା ଆଣୁ । ୧୦୦ କିମ୍ବା କମ୍ ଲୋକ ବାସ କରୁଥିବା ବସତିକୁ ଯୋଡ଼ିବାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୩ରେ ବ୍ୟବସ୍ଥା ରହୁ । ଏହାଦ୍ୱାରା ବହୁ ଗାଁକୁ ସବୁଦିନିଆ ରାସ୍ତା ନିର୍ମାଣ ହୋଇପାରିବ ।
ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନବୀନ ଆହୁରି ଦାବି କଲେ, କନ୍ଧମାଳ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ରେଳ ସଂଯୋଗ ପାଇଁ ଚାଲୁ ରହିଥିବା ପ୍ରକଳ୍ପକୁ ତ୍ୱରିତ କରାଯାଉ । ରେଳ ମନ୍ତ୍ରାଳୟ ଏହାକୁ ଧ୍ୟାନ ଦେଉ । ରାଜ୍ୟର ଯେଉଁ ପଞ୍ଚାୟତଗୁଡ଼ିକରେ ବ୍ୟାଙ୍କସେବା ପହଞ୍ଚିନି, ସେଠାରେ ଶୀଘ୍ର ବ୍ୟାଙ୍କ ସେବା ପହଞ୍ଚାଇବାକୁ କେନ୍ଦ୍ର ପଦକ୍ଷେପ ନେଉ । ଭାରତନେଟ୍ ପ୍ରକଳ୍ପକୁ ଅଗ୍ରାଧିକାର ଭିତ୍ତିରେ ଶୀଘ୍ର କାର୍ଯ୍ୟକାରୀ କରାଯାଉ । ଭାରତନେଟରେ ୩୦୦୩ ପଞ୍ଚାତୟରେ କାର୍ଯ୍ୟକାରୀ ହୋଇଛି ବୋଲି ରେକର୍ଡ କହୁଛି । ମାତ୍ର ବାସ୍ତବରେ ୧୨୦ ପଞ୍ଚାୟତ ଏହାର ସୁଫଳ ପାଉଛି । ମାଓ କାର୍ଯ୍ୟକଳାପ ହ୍ରାସ ପାଇଁ ବିକାଶ ହେଉଛି ବଡ଼ ଅସ୍ତ୍ର । ତେଣୁ କେନ୍ଦ୍ର ଏହାକୁ ଆଖିରେ ରଖି ଆଦିବାସୀ ଜିଲ୍ଲାଗୁଡ଼ିକରେ ରେଳ ଲାଇନ ବଢ଼ାଇବା ସହ ଭାରତନେଟ୍ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଥିଲେ । ରାଜ୍ୟ ରାଜକୋଷକୁ ଅଧିକ ରାଜସ୍ୱ ଭିଡିବାକୁ କୋଇଲା ରୟାଲଟି ୧୪ଧ ରୁ ୨୦ଧ କୁ ବୃଦ୍ଧି କରିବାକୁ ନବୀନ ଦାବି ରଖିଥିଲେ । ସଂଘୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ କେନ୍ଦ୍ର ରାଜ୍ୟର ଉପରୋକ୍ତ ଦାବିଗୁଡ଼ିକୁ ବିଚାର କରି ସହଯୋଗର ହାତ ବଢ଼ାଇବା ନେଇ ସେ ଆଶାବାଦୀ ବୋଲି ନବୀନ ଦର୍ଶାଇଥିଲେ ।
ବୈଠକରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ସଫଳତାକୁ ମଧ୍ୟ ସମସ୍ତଙ୍କ ଆଗରେ ରଖିଥିଲେ । ସେ କହିଲେ, ଇତିମଧ୍ୟରେ ଓଡ଼ିଶା ବିକାଶର ରାସ୍ତାରେ ବାଟ ଚାଲୁଛି । ଦିନ ଥିଲା ଏ ରାଜ୍ୟ ସବୁଠୁ ଗରିବ ରାଜ୍ୟ ଥିଲା । ମାତ୍ର ଆଜି ସମଗ୍ର ଦେଶରେ ଓଡ଼ିଶା ହିଁ ସର୍ବାଧିକ ଦାରିଦ୍ର‌୍ୟ ଦୂରୀକରଣ କରିପାରିଛି । ଆଗକୁ ରାଜ୍ୟରେ ଗରିବି ୫ଧରୁ କମକୁ ହ୍ରାସ ପାଇବା ମୋର ସ୍ୱପ୍ନ । କେନ୍ଦ୍ର ଏଥିରେ ସହଯୋଗ କରିବାକୁ ନବୀନ ଅନୁରୋଧ କରିଥିଲେ । ଖାଦ୍ୟର ଅଭାବ ଲାଗି ରହୁଥିବା ଓଡ଼ିଶା ଆଜି ଖାଦ୍ୟଶସ୍ୟରେ ବଳକା ରାଜ୍ୟ ଭାବେ ଗଣାଯାଉଛି । କେନ୍ଦ୍ରକୁ ଚାଉଳ ଯୋଗାଣରେ ରାଜ୍ୟର ସ୍ଥାନ ଶୀର୍ଷରେ । ଏପରିକି ଚାଷୀଙ୍କ ଆୟକୁ ମଧ୍ୟ ଆମେ ଦି’ଗୁଣା କରିପାରିଛୁ ।
ପ୍ରାକୃତିକ ଦୁର୍ବିପାକ ସମୟରେ ବେଶ୍ ଅସହାୟ ଥିବା ଓଡ଼ିଶା ଆଜି ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱ ମାନକ ସୃଷ୍ଟି କରିଛି । ସମଗ୍ର ବିଶ୍ୱ ପାଇଁ ଉଦାହରଣ ଛିଡ଼ା କରାଇଛି ବୋଲି ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ । ‘କାଳିଆ’ ଯୋଜନା ସଂପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ବୈଠକରେ ସୂଚନା ଦେଇ କହିଲେ, ଏ ଯୋଜନାରେ ୫୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସହ ୨୫ ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ସାମିଲ କରାଯାଇଛି । ଚାଷୀମାନେ ଖରିଫ ଓ ରବି ଦୁଇଟି ଋତୁରେ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପାଇବେ ।
ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ସପ୍ତାହେ କାଳ ଦିଲ୍ଲୀ ଗସ୍ତରେ ଯାଇଥିଲେ । ଏ ଅବସରରେ ସେ ୧୧ ରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ଦାବି କରିବା ସହ ଦୁର୍ବିପାକକୁ ସ୍ୱତନ୍ତ୍ର ପାହ୍ୟା ମାପଦଣ୍ଡ ଭାବେ ନେବାକୁ ଅନୁରୋଧ କରିଥିଲେ । ‘ଫୋନି’ ବେଳେ କେନ୍ଦ୍ରର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଏନଡିଆରଏଫରୁ ୫,୨୨୮ କୋଟି ଦେବା ସହ ୫ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଦେବାକୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଭେଟି ‘ଫୋନି’ ପୁନରୁଦ୍ଧାର ଓ ଥଇଥାନ ସଂପର୍କରେ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀ ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ଆଲୋଚନା କରିଥିଲେ । କେନ୍ଦ୍ର ସହଯୋଗରେ ରାଜ୍ୟ ବିକାଶ ପଥରେ ଆଗେଇବାକୁ ଚାହେଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାଛଡ଼ା ପ୍ରବାସୀ ଓଡ଼ିଆଙ୍କ ସମ୍ବର୍ଦ୍ଧନା ସଭାରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons