ନୀଳଗିରିକୁ ପଶିଲେ ଝାଡ଼ଖଣ୍ଡ ହାତୀପଲ

Get real time updates directly on you device, subscribe now.

ନୀଳଗିରି,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଦେଖାଦେଇଛି ହାତୀ ଆତଙ୍କ । କୁଳଡିହା ହାତୀ ଉପଦ୍ରବ ପରେ ସୋମବାର ଭୋର ଝାଡ଼ଖଣ୍ଡ ହାତୀପଲ ନୀଳଗିରି ଅଞ୍ଚଳକୁ ପ୍ରବେଶ କରିଛନ୍ତି । ଏଣୁ ଅଞ୍ଚଳବାସୀଙ୍କ ନିଦ ହଜିଯାଇଛି । ହାତୀ ଉପଦ୍ରବ ନେଇ ପ୍ରଶାସନ ପକ୍ଷରୁ ଚିନ୍ତନ ବୈଠକ ବସିଥିବା ଜଣାପଡ଼ିଛି । କିଛିଦିନ ଧରି କୁଳଡିହା ଅଭୟାରଣ୍ୟରୁ ହାତୀପଲ ଆସି ବିଭିନ୍ନ ଅଞ୍ଚଳରେ ବ୍ୟାପକ ଫସଲ ହାନି ଘଟାଇ ଆସୁଥିଲେ । ଅକ୍ଟୋବର ୩୧ ତାରିଖରେ ଝାଡ଼ଖଣ୍ଡ ପାଇଲଟ ଦନ୍ତା ସର୍ଭେ କରିବାକୁ ଆସିଥିଲା । ଫେରିଯିବା ପରେ ଝାଡ଼ଖଣ୍ଡ ହାତୀ ଆସିବା ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଥିଲା । ଝାଡ଼ଖଣ୍ଡ ହାତୀପଲରେ ଥିବା ୪୨ଟି ହାତୀ ଗତକାଲି ମଧ୍ୟ ରାତ୍ରରେ ଯୁଗଳ ଅଞ୍ଚଳରୁ ଜାତୀୟ ରାଜପଥ ପାର ହୋଇ ନଡ଼ପୁର ସଂରକ୍ଷିତ ଜଙ୍ଗଲରେ ପହଞ୍ଚିଥିଲେ । ଏହାପରେ ବୁଢ଼ାବଳଙ୍ଗ ନଦୀ ପାର ହୋଇଥିଲେ । ଦୁର୍ଗାଦେବୀପୁର ଦେଇ ସୋନ ନଦୀ ନିକଟରେ ପହଞ୍ଚିଥିଲେ । ଏହାପରେ ନଦୀ ପାର ହୋଇ କାଠପାଳ, ପାଟଣା, ଅଯୋଧ୍ୟା ଗାଁ ପାଖ ଦେଇ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ସୋମବାର ଭୋର ସାଢେ଼ ୪ଟାରେ ପ୍ରବେଶ କରିଥିଲେ । ଆସିବା ରାସ୍ତାରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ନୀଳଗିରି ରେଞ୍ଜର ମନୱାର ଖାଁଙ୍କ ନେତୃତ୍ୱରେ ଏକ ଟିମ୍ ହାତୀଙ୍କ ଗତିବିଧି ଉପରେ ନଜର ରଖିଥିବା ବେଳେ ଚାଷୀକୁଳ ହତାଶ ହୋଇପଡ଼ିଛନ୍ତି । ସେହିପରି ଅନ୍ୟ ଗୋଟିଏ ହାତୀପଲ (୬୦ରୁ ଅଧିକ) ନୀଳଗିରି ମୁହାଁ ହୋଇ ରାସଗୋବିନ୍ଦପୁର ପରେ ଦେଉଳି ରେଞ୍ଜରେ ସୋମବାର ରାତିରେ ପହଞ୍ଚିବା ସୂଚନା ମିଳିଛି । ହାତୀପଲ ଆସିବା ଶୁଣି ଚାଷୀମାନେ ଧାନ ଫସଲ କାଟି ନେଉଛନ୍ତି । କେହି କେହି ଦରପାଚିଲା ଧାନ ମଧ୍ୟ କାଟି ନେଉଥିବା ଦେଖାଯାଇଛି । ଅଞ୍ଚଳବାସୀ ଆସବାବପତ୍ର ଓ ଫସଲ ସୁରକ୍ଷା ପାଇଁ ମଞ୍ଚା ବାନ୍ଧିଥିବା ଦେଖାଦେଇଛି । ତେବେ ଗ୍ରାମବାସୀମାନେ ଗାଁ ସହିତ ଫସଲ ସୁରକ୍ଷା ଦେବାକୁ ଦାବି କରିଛନ୍ତି । ଅପରାହ୍ନରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିଦେ୍ର୍ଧଶ କ୍ରମେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଏଥିରେ ନୀଳଗିରି ଉପଜିଲ୍ଲାପାଳ ଅଧ୍ୟକ୍ଷତା କରିଥିଲେ । ଡିଏଫଓ ବିଶ୍ୱରାଜ ପଣ୍ଡା, ତହସିଲଦାର ଅଶେଷ କୁମାର ନାୟକ, ନୀଳଗିରି ଆଇଆଇସି ପ୍ରଭଞ୍ଜନ ବେହେରା, ନୀଳଗିରି ରେଞ୍ଜର ମନୱାର ଖାଁଙ୍କ ଉପସ୍ଥିତିରେ ହାତୀ ମୁକାବିଲା ନେଇ ଆଲୋଚନା ହୋଇଥିଲା । ପରେ ଅଧିକାରୀମାନେ ହାତୀ ଉପଦ୍ରବ ଅଞ୍ଚଳରେ ବୁଲି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ଅପରାହ୍ନରେ ବହୁ ଅମାନିଆ ଯୁବକ ହାତୀ ଦେଖୁବାକୁ ରୁଣ୍ଡ ହୋଇଥିଲେ । ସନ୍ଧ୍ୟାରେ ହାତୀପଲ ଗୋପାଳପୁର ସଂରକ୍ଷିତ ଜଙ୍ଗଲରୁ ବାହାରି ଗୋପାଳପୁର, ଜଡ଼ିବାଲି, ମହିସାପଟ୍ଟା ଅଞ୍ଚଳରେ ବ୍ୟାପକ ଧାନ ଫସଲ ଖାଇବା ସହ ନଷ୍ଟ କରିଥିବା ଜଣାପଡିଛି । ଗାଁ ସୁରକ୍ଷା ପାଇଁ ପୁଲିସ ଓ ବନ କର୍ମଚାରୀ ନିୟୋଜିତ ଅଛନ୍ତି । ଖବର ଲେଖିବା ବେଳକୁ ହାତୀ ଆଖପାଖ ଗାଁକୁ ପଶିବାକୁ ଉଦ୍ୟମ କରୁଥିବା ମଧ୍ୟ ସୂଚନା ମିଳିଛି । ଘରେ ହାଣ୍ଡିଆ, ମାଦକ ଦ୍ରବ୍ୟ ନରଖିବା ଓ ହାତୀଙ୍କୁ କୌଣସି ବାଧା ନଦେବାକୁ ଡିଏଫଓ ଶ୍ରୀ ପଣ୍ଡା ନିବେଦନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons