‘ନୁ୍ୟ ଇଣ୍ଡିଆ’ ଗଠନ ପାଇଁ ରୋଡମ୍ୟାପ୍: ମୋଦି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କେନ୍ଦ୍ର ବଜେଟକୁ କ୍ରାନ୍ତିକାରୀ ବଜେଟ ଭାବେ ଅଭିହିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଗତ ୨୦୨୦-୨୧ ବଜେଟକୁ ପ୍ରଧାମନ୍ତ୍ରୀ ନାଗରିକ ଅନୁକୂଳ, ବିକାଶମୂଳକ ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ଦୂରଦୃଷ୍ଟିସଂପନ୍ନ ବଜେଟ୍ ବୋଲି ଦର୍ଶାଇଛନ୍ତି ।
ନିଜ ବଜେଟ୍ ପ୍ରତିକ୍ରିୟା ରଖି ମୋଦି କହିଛନ୍ତି, ଏ ବଜେଟ୍ ମଧ୍ୟବିତ୍ତ ପରିବାରଙ୍କୁ ଅଧିକ ସମୃଦ୍ଧ କରାଇବ । ଗରିବମାନେ ଉପରକୁ ଉଠିବେ । ଦେଶର ବିକାଶ ଧାରା ଆଗକୁ ମାଡ଼ି ଚାଲିବ । ଏ ବଜେଟ୍ରେ ଟିକସ ବ୍ୟସ୍ଥାକୁ ଅଧିକ ସଳର କରାଯାଇଛି । ଭିତ୍ତିଭୂମିର ଆଧୁନିକୀକରଣ ସହ ଶିଳ୍ପ ଓ ଉଦ୍ୟୋଗୀଙ୍କୁ ବଳୁଆ କରିବାକୁ ପ୍ରୋତ୍ସାହନ ବ୍ୟବସ୍ଥା ରହିଛି । ବଜେଟ୍ ଦେଶର ବିକାଶ ପ୍ରକ୍ରିୟାରେ ମହିଳାଙ୍କ ଭାଗିଦାରିତା ବଢ଼ାଇବ, ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ସହ ଆର୍ଟିଫିସିଆଲ ଇଣ୍ଟେଲିଜେନସ୍ ଓ ମହାକାଶ ଗବେଷଣାକୁ ନୂଆସ୍ତରକୁ ନେବାକୁ ପ୍ରୟାସ କରାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ବଜେଟରେ ଗାଁ ଗଣ୍ଡା ସହ ଚାଷ ଓ ଚାଷୀଙ୍କୁ ଫୋକସ୍ କରାଯାଇଛି । ଗରିବଙ୍କ ଉନ୍ନତି ସବୁଠାରୁ ଅଧିକ ଅଗ୍ରାଧିକାର ପାଇଛି । କେନ୍ଦ୍ର ସରକାରକୁ ନେଇ ଦେଶବାସୀଙ୍କର ରହିଥିବା ଆସ୍ଥା ଓ ଭରସା ମଧ୍ୟ ବଜେଟରେ ପ୍ରତିଫଳିତ ହୋଇଛି । ୨୦୨୨ ରେ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିଲା ବେଳେ ‘ନୁ୍ୟ ଇଣ୍ଡିଆ’ ନିର୍ମାଣ ପାଇଁ ବଜେଟ ରୋଡ ମ୍ୟାପ୍ ପ୍ରସ୍ତୁତ କରିଛି । ଗତ ୫ ବର୍ଷରେ ଆମ ସରକାର ମହିଳା, ଚାଷୀ, ଅନୁସୂଚିତ ଜାତି ଓ ଜନଜାତି ଏବଂ ତୃଣମୂଳସ୍ତରର ଲୋକଙ୍କ ବିକାଶ ପାଇଁ ବହୁ ପଦକ୍ଷେପ ନେଇଛି । ଆସନ୍ତା ୫ ବର୍ଷରେ ଆମେ ବିକାଶକୁ ସର୍ବାଧିକ ଗୁରୁତ୍ୱ ଦେଉଛୁ ।
୫ ଟ୍ରିଲିୟନ ଡଲାର ଅର୍ଥନୀତି ପାଇଁ ବଜେଟରେ କସରତ କରାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି କ୍ଷେତ୍ରରେ ସଂସ୍କାର ପାଇଁ ବଜେଟରେ ବ୍ୟବସ୍ଥା ରହିଛି । ପ୍ରଧାନମନ୍ତ୍ରୀ ମତ୍ସ୍ୟସଂପଦ ଯୋଜନା ସହ ଜାତୀୟ ପଣ୍ୟାଗାର ଗ୍ରୀଡ ସ୍ଥାପନ ଚାଷୀଙ୍କୁ ଯଥେଷ୍ଟ ସହାୟକ ହେବ । ଚାଷୀଙ୍କ ଆୟ ଦିଗୁଣା କରିବାକୁ ବଜେଟରେ ଧ୍ୟାନ ଦିଆଯାଇଛି । ପରିବେଶ ସୁରକ୍ଷା ସହ ଜଳ ସଂରକ୍ଷଣକୁ ବଜେଟରେ ଧ୍ୟାନ ଦିଆଯାଇଛି । ଯୁବକମାନଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବାକୁ ନୂଆ ନିଷ୍ପତ୍ତି ନିଆଯାଇଛି । ସ୍ୱପ୍ନର ନୂଆ ଭାରତ ଗଢ଼ିବାକୁ ବଜେଟ୍ରେ ଐତିହାସିକ ନିଷ୍ପତ୍ତିର ପ୍ରତିଫଳନ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons