ନୂଆଦିଲ୍ଲୀ ପ୍ରବାସୀ ଓଡ଼ିଆ ଉତ୍ସବରେ ଧର୍ମେନ୍ଦ୍ରଙ୍କ ଆହ୍ୱାନ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଏକବିଂଶ ଶତାବ୍ଦୀ ଜ୍ଞାନ ଉପରେ ଆଧାରିତ ହେବ । ଏଥିପାଇଁ ସବୁ ଓଡ଼ିଆ ଏକାଠି ହୁଅନ୍ତୁ । ବଡ଼ କଳ୍ପନା କରନ୍ତୁ । ଓଡ଼ିଶାକୁ ବିଶ୍ୱରେ ପରିଚିତ କରାନ୍ତୁ । ସମସ୍ତେ ମିଶି ଓଡ଼ିଶାକୁ ଦୁନିଆ ପାଖକୁ ନେବାକୁ ପଡ଼ିବ । ଏଥିପାଇଁ ସମସ୍ତଙ୍କ ମନରେ ଆତ୍ମବିଶ୍ୱାସ ଦେବାକୁ ପଡ଼ିବ । ନୂଆଦିଲ୍ଲୀରେ ଆୟୋଜିତ ପ୍ରବାସୀ ଓଡ଼ିଆ ଉତ୍ସବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଆହ୍ୱାନ ଦେଇଛନ୍ତି ।
ସେ କହିଛନ୍ତି, ଓଡ଼ିଆ ଜାତିକୁ ବିଶ୍ୱରେ ପରିଚିତ କରିବା ଦାୟିତ୍ୱ କେବଳ ଦିଲ୍ଲୀ ଓ ଭୁବନେଶ୍ୱରରେ ଥିବା ସରକାରଙ୍କ ନୁହେଁ । ଓଡ଼ିଆ ଜାତି ଏହି ଦାୟିତ୍ୱ ନେଉ । ଓଡ଼ିଶାର ଛେନାପୋଡ଼, ଆରିସା ପିଠା, ପଖାଳ, ଆମ୍ବୁଲ, ସୋରିଷ ତରକାରୀ, ମାଛ, ସମ୍ବଲପୁରୀ ଶାଢ଼ୀ ଓ ଖୋର୍ଦ୍ଧା ଗାମୁଛା ଆମର ପରିଚୟ । ଏସବୁକୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ପଡ଼ିବ । ସବୁ ଓଡ଼ିଆ ଏକାଠି ହୋଇ ଏହାକୁ ବିଶ୍ୱ ଦରବାରରେ ପହଞ୍ଚାନ୍ତୁ । ତା’ ହେଲେ ଯାଇ ଓଡ଼ିଆ ପରିଚୟ ଲାଭ କରିବ । ଯେଉଁ ସମାଜ ଯେତେ ପ୍ରଗତିଶୀଳ, ସମ୍ବେଦନଶୀଳ ଓ ଭାବନାତ୍ମକ, ସେ ସେତେ ବଡ଼ ହୋଇପାରିବ । ଓଡ଼ିଶାକୁ ଦୁନିଆ ପାଖକୁ ନେବାକୁ ସେ ଉପସ୍ଥିତ ଜନତାଙ୍କୁ ଆହ୍ୱାନ ଦେଇଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତି, ସମୟ ବଦଳିବା ସହ ସମସ୍ତଙ୍କ ଭୂମିକା ଓ ଦାୟିତ୍ୱ ବଦଳିଛି । ଓଡ଼ିଆ ଲୋକେ ବିଭିନ୍ନ ପ୍ରାନ୍ତରୁ ଆସି ଦିଲ୍ଲୀରେ କୀର୍ତ୍ତି ସ୍ଥାପନ କରିଛନ୍ତି । ଆଜି ଏହାକୁ ବ୍ୟାପକ କରିବାର ଆବଶ୍ୟକତା ଅଛି । ଲେଖାପଢା ଓ ଜ୍ଞାନରେ ସର୍ବଭାରତୀୟସ୍ତରରେ ଓଡ଼ିଆ ଲୋକେ ସୁନାମ ଆଣିଛନ୍ତି ।
ସେ କହିଛନ୍ତି, ମାତ୍ର ୧୦୦ ଟଙ୍କା ଧରି ଅନେକ ଓଡ଼ିଆ ନିଜ ନିଜର ସ୍ୱପ୍ନକୁ ସାକାର କରିବା ପାଇଁ ଦିଲ୍ଲୀ ଆସିଥାନ୍ତି । ନିଜର ପ୍ରତିଭା, ବୌଦ୍ଧିକ କ୍ଷମତା, ସାଧୁତା ଓ କର୍ତ୍ତବ୍ୟ ନିÂା ବଳରେ ସେମାନେ ନିଜ ନିଜ କ୍ଷେତ୍ରରେ କଠୋର ପରିଶ୍ରମ ଦ୍ୱାରା ସଫଳତା ହାସଲ କରିଛନ୍ତି । ରାଜଧାନୀ ଦିଲ୍ଲୀରେ ପ୍ରଶାସନିକ, ଶିକ୍ଷା ଓ ବ୍ୟବସାୟ ସବୁ କ୍ଷେତ୍ରରେ ଅନେକ ଓଡ଼ିଆ ନିଜ ସାମର୍ଥ୍ୟ ବଳରେ ସୁନାମ ଅର୍ଜନ କରିପାରିଛନ୍ତି । ଆର୍ଥିକ ଦୂରାବସ୍ଥା କେବେହେଲେ ସେମାନଙ୍କ ରାସ୍ତାରେ ବାଧା ସୃଷ୍ଟି କରିନାହିଁ । ରାଜଧାନୀ ଦିଲ୍ଲୀରେ ପାଣି ପାଇପ୍ କାର୍ଯ୍ୟରେ ଲିପ୍ତ ଥିବା ଓଡ଼ିଆ ପ୍ଲମ୍ବରମାନଙ୍କ ପ୍ରସଙ୍ଗ ବିଶେଷ ଭାବେ ଉଲ୍ଲେଖ କରିଥିଲେ ।
ଓଡ଼ିଶାଙ୍କ କୀର୍ତ୍ତିକୁ ପ୍ରଂଶସା କରି ସେ କହିଛନ୍ତି, ଓଡ଼ିଆ ଲୋକଙ୍କ ପୁଞ୍ଜି ହେଉଛି ଚରିତ୍ର ଓ ବୌଦ୍ଧିକ କ୍ଷମତା । ଓଡ଼ିଆ ଲୋକଙ୍କ ଚରିତ୍ରରେ ପରିଶ୍ରମ, ସାଧୁତା ଓ ସମ୍ବେଦନଶୀଳତା ଅଛି । ଏହା ଆଜି ବସ୍ତୁବାଦୀ ଦୁନିଆରେ ଦୁଃର୍ମୂଲ୍ୟ । ଓଡ଼ିଆ ବିଶ୍ୱରେ ସମ୍ପନ୍ନତାର ଚରମ ସୀମାକୁ ଛୁଇଁଛି । ତେବେ ସମସ୍ତେ ନିଜ ନିଜ ଅଞ୍ଚଳ ପାଇଁ କିଛି କାମ କରନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି ।
ନୂଆଦିଲ୍ଲୀ ନିକଟସ୍ଥ ସେକ୍ଟର-୬୨ ନଏଡା ଇଣ୍ଟରନ୍ୟାସନାଲ ସେଣ୍ଟରଠାରେ ଅନୁÂିତ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସ୍ଥାନୀୟ ବିଜେପି ସାଂସଦ ମହେଶ ଶର୍ମା, ଭଦ୍ରକ ବିଜେଡି ସାଂସଦ ମଞ୍ଜୁଲତା ମଣ୍ଡଳ ଓ ଭଦ୍ରକ ବିଜେଡି ବିଧାୟକ ସଞ୍ଜିବ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରବାସୀ ଓଡ଼ିଆ ଉତ୍ସବ ସମାରୋହର କମିଟି ଅଧ୍ୟକ୍ଷ ମୀନକେତନ ମିଶ୍ର, ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାରର କାର୍ଯ୍ୟକାରୀ ଅଧ୍ୟକ୍ଷ ମୀନକେତନ ସାମଲ, ସମ୍ପାଦକ ପ୍ରୀତମ ନାୟକ, ଜାତୀୟ ସଂଯୋଜକ ପ୍ରବୀଣ ମହାନ୍ତି ଓ ଯୁଗ୍ମ ସମ୍ପାଦିକା ରୀତା ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ସ୍ୱାଗତ ଭାଷଣରେ ମୀନକେତନ ମିଶ୍ର ଓ ମୀନକେତନ ସାମଲ ରାଜଧାନୀ ଦିଲ୍ଲୀରେ ପ୍ରବାସୀ ଓଡ଼ିଆମାନଙ୍କ ସଫଳତା ସମ୍ବନ୍ଧରେ ବିଶେଷ ଭାବେ ଉଲ୍ଲେଖ କରିଥିଲେ । ଭଦ୍ରକ ବିଜେଡି ସାଂସଦ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ସଞ୍ଜିବ ମଲ୍ଲିକ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ପାଖାପାଖି ୫ ହଜାର ପ୍ରବାସୀ ଓଡ଼ିଆ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା । ଏହି ପ୍ରବାସୀ ଓଡ଼ିଆ ଉତ୍ସବରେ ସୋଆ ବିଶ୍ୱବିଦ୍ୟାଳୟ ଏବଂ ଓଏନ୍ଜିସି ସହସଂଯୋଗକ ଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଅନେକ ଓଡିଆଙ୍କୁ ସମ୍ମାନୀତ କରାଯାଇଥିଲା । କଳାକ୍ଷେତ୍ରରେ ପ୍ରଶାନ୍ତ ନନ୍ଦ, ଡାକ୍ତର ପବନ ଗୁପ୍ତା ଓ ଅଶୋକ ଚୌଧୁରୀ (ସ୍ୱାସ୍ଥ୍ୟ), ଶୁଭମ୍ ଷଡଙ୍ଗୀ (ଖେଳ), ଚିନ୍ମୟୀ ଦାସ (ସମାଜ ସେବା) ଏବଂ ଓଡ଼ିଆ ବନ୍ଧୁ ଭାବେ ରବି ପ୍ରଧାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବର୍ଦ୍ଧନା ଜଣାଇଥିଲେ । ପ୍ରବାସୀ ଓଡ଼ିଆ ଉତ୍ସବ ପକ୍ଷରୁ ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା । ଶେଷରେ ପ୍ରବାସୀ ଓଡ଼ିଆ ଉତ୍ସବ ପକ୍ଷରୁ ସାଧାରଣ ସମ୍ପାଦକ ପ୍ରୀତମ ନାୟକ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons