ନୂଆ କାଶ୍ମୀରର ରୂପରେଖ:ଶ୍ରୀନଗରରେ ଚାଲିବ ମେଟ୍ରୋ ଟ୍ରେନ୍

Get real time updates directly on you device, subscribe now.

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କାଶ୍ମୀରବାସୀଙ୍କୁ ଅନେକ ସ୍ୱପ୍ନ ଦେଖାଇଥିଲେ । ଅନେକ ପ୍ରତିଶ୍ରୁତି ବି ଦେଇଥିଲେ । ଏବେ ସେ ସବୁକୁ ପୂରା କରିବା ପାଇଁ କେନ୍ଦ୍ର ସରକାର ରୂପରେଖ ପ୍ରସ୍ତୁତ କରୁଛନ୍ତି । ଜମ୍ମୁ-କାଶ୍ମୀରରେ ନୂଆ ଯୁଗ ଆରମ୍ଭ ବୋଲି ମୋଦି ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହାକୁ ବାସ୍ତବ ରୂପ ଦେବାକୁ ଏବେ ଯୋଜନାମାନ ତିଆରି କରାଯାଉଛି । ଜମ୍ମୁ-କାଶ୍ମୀର ଲୋକଙ୍କ ପାଇଁ ଯାହା ଏକଦା ସ୍ୱପ୍ନ ଥିଲା, ତାହା ଏବେ ସତ୍ୟରେ ପରିଣତ ହେବ ବୋଲି ଆଶା କରାଯାଉଛି ।
କେନ୍ଦ୍ର ସରକାର କାଶ୍ମୀର ପାଇଁ ଏବେ ପ୍ରଗତିର ବାଟ ଖୋଲି ଦେଇଛନ୍ତି । ଶ୍ରୀନଗରରେ ଚାଲିବ ମେଟ୍ରୋ ଟ୍ରେନ । କାଶ୍ମୀରରେ ଆଇଆଇଟି ଏବଂ ଆଇଆଇଏମ୍ ଭଳି ବଡ଼ ଶିକ୍ଷା ପ୍ରତିଷ୍ଠାନ ଖୋଲିବ । ଏହି ଅଞ୍ଚଳବାସୀ ପ୍ରଗତିର ପ୍ରକୃତ ବାସ୍ନା ପାଇବେ । ଏଭଳି ଅନେକ ବିକାଶ ଏଜେଣ୍ଡା ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର । ଅକ୍ଟୋବର କିମ୍ବା ନଭେମ୍ବରରେ ଏହି କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ନିବେଶକ ସମ୍ମିଳନୀ ଆୟୋଜିତ ହେବ, ଯାହାକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି ।
ଭାରତୀୟ ଶିଳ୍ପ ମହାସଂଘ(ସିଆଇଆଇ) କାଶ୍ମୀରର ପର୍ଯ୍ୟଟନ, ହୋଟେଲ ଶିଳ୍ପ, ଖାଦ୍ୟ ପାର୍କ ଆଦିକୁ ନେଇ ଏକ ନିବେଶ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛି । ଏଠାରେ ନିବେଶ ଏବଂ ପ୍ରଗତିକୁ ନେଇ ସିଆଇଆଇ ସବୁ ପ୍ରକାର ସହାୟତା ଯୋଗାଇଦେବ ବୋଲି କେନ୍ଦ୍ର ସରକାରଙ୍କୁ ପ୍ରତିଶ୍ରୁତି ଦେଇଛି । ବିଭିନ୍ନ ଶିଳ୍ପ ପ୍ରତିନିଧିମାନେ ଏହି ସମ୍ମିଳନୀରେ ଯୋଗ ଦେବେ । ତେବେ ସେଠାକାର ସ୍ଥିତିକୁ ଦେଖିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।
ଶନିବାର ଏ ନେଇ ହୋଇଥିବା ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତା କରିଥିଲେ । ଏଥିରେ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିବା ସିଆଇଆଇ ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ ପ୍ରକାଶ କରିଛନ୍ତି ।
ଶ୍ରୀନଗରରେ ମେଟ୍ରୋ ଟ୍ରେନ ଚାଲିବ । ୨୫ କିଲୋମିଟର ମଧ୍ୟରେ ଏହା ଚଳାଚଳ କରିବ । ଏହି ପ୍ରକଳ୍ପ ପାଇଁ ୫୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଶ୍ରୀନଗର ମେଟ୍ରୋ ୧୩୦୦ ନିଯୁକ୍ତି ଦେବ । ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ଖୁବ୍ଶୀଘ୍ର ଆରମ୍ଭ ହେବ ବୋଲି ଜମ୍ମୁ କାଶ୍ମୀର ଗଭର୍ଣ୍ଣର ସତ୍ୟ ପାଲ ମଲ୍ଲିକ ପ୍ରକାଶ କରିଛନ୍ତି । ପ୍ରଥମ ୫ ବର୍ଷରେ ଏହି ପକଳ୍ପରୁ ୧୪୬ କୋଟି ରାଜସ୍ୱ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି । କାଶ୍ମୀରରେ ଗୋଟିଏ ଲେଖାଏ ଆଇଆଇଟି ଏବଂ ଆଇଆଇଏମ୍ ସ୍ଥାପନ କରିବା ପାଇଁ ଯୋଜନା ରହିଥିବା ଜଣାଯାଇଛି ।
କାଶ୍ମୀରର ପର୍ଯ୍ୟଟନ ଚିତ୍ର ବେଶ୍ ମନୋରମ ହୋଇଥିବା ସତ୍ତେ୍ୱ ଧାରା ୩୭୦ ସେଥିରେ ବେଡ଼ି ସଦୃଶ ହୋଇଥିଲା । କେନ୍ଦ୍ର ସରକାର ଏହି ଧାରାକୁ ହଟାଇ ତାହାକୁ ଏବେ ଉନ୍ମୁକ୍ତ କରିଦେଇଛନ୍ତି । ଅପାର ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଜମ୍ମୁ-କାଶ୍ମୀର ଏବେ ବଲିଉଡ୍ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି । ବଲିଉଡ୍ର ଅନେକ ଚଳଚ୍ଚିତ୍ର ନିର୍ମାଣକାରୀ ସଂସ୍ଥା ଲଦାଖରେ ଏବେ ଡେରା ପକାଇଲେଣି ।
ଅନ୍ୟପକ୍ଷରେ ଧାରା ୩୭୦ ହଟିବାର ୫ ଦିନ ପରେ ସ୍ଥିତି ଏବେ ଠିକ୍ଠାକ୍ ରହିଛି । ଆଗକୁ ଏହା ଆହୁରି ସ୍ୱାଭାବିକ ହେବ । ୧୦-୧୨ ଦିନ ମଧ୍ୟରେ ଜମ୍ମୁ-କାଶ୍ମୀରର ଲୋକମାନେ ଏକ ଶାନ୍ତିପୂର୍ଣ୍ଣ ବାତାବରଣ ମଧ୍ୟରେ ସୁଖକର ଜୀବନ ନିର୍ବାହ କରିବେ । ମନ୍ତ୍ରୀ, ସରକାରୀ ଅଧିକାରୀ ଏବଂ ପୁଲିସ ସୂତ୍ରରୁ ମିଳିଥିବା ତଥ୍ୟଗୁଡ଼ିକରୁ ଏହି ମୋଟାମୋଟି ଚିତ୍ର ମିଳିଛି ।
ଜମ୍ମୁ-କାଶ୍ମୀରରେ ସମ୍ଭାବ୍ୟ ହିଂସା ଏବଂ ଆତଙ୍କୀ ହମ୍ଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିଲେ । ଅଧିକାଂଶ ଜିଲ୍ଲାରେ ଧାରା ୧୪୪ ଲାଗୁ କରିଥିଲେ । କିନ୍ତୁ ଏବେ ୧୦-୧୨ଟି ଜିଲ୍ଲାରେ ଏହାକୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି । ଖୁବ୍ଶୀଘ୍ର ସମଗ୍ର ଜମ୍ମୁ-କାଶ୍ମୀରରେ ଏହା ସମ୍ପୂର୍ଣ୍ଣ ହଟିଯିବ । ଲୋକମାନେ ବିନା ଭୟରେ ଯିବାଆସିବା କରିପାରିବେ । ସପ୍ତାହକ ପରେ ଜମ୍ମୁ-କାଶ୍ମୀରକୁ ଟ୍ରକ୍ ଟ୍ରକ୍ ବୋଝେଇ ହୋଇ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିବ ବୋଲି ଜଣାପଡ଼ିଛି ।
ସେପଟେ ପାକିସ୍ତାନ ଥର୍ ଏକ୍ସପ୍ରେସକୁ ରୋକିବ ବୋଲି ଯେଉଁ ଘୋଷଣା କରିଥିଲା, ସେଥିରୁ ଓହରିଯାଇଛି । ଥର୍ ଏକ୍ସପ୍ରେସ୍କୁ ଶନିବାର ଅପରାହ୍ନ ୩ଟା ୧୦ରେ ସବୁଜ ପତାକା ଦେଖାଯାଇଥିଲା । ୩ଟା ୧୫ରେ ଏହା ପାକ୍ ଅଭିମୁଖେ ବାହାରିଥିଲା । ରାଜସ୍ଥାନର ଯୋଧପୁରରୁ ପାକିସ୍ତାନ ଯାଉଥିବା ଏହି ଟ୍ରେନ୍ରେ ୧୬୫ ଯାତ୍ରୀ ଥିଲେ । ଏମାନଙ୍କ ମଧ୍ୟରେ ଥିବା ୮୧ ଯାତ୍ରୀ ପାକିସ୍ତାନରେ ଥିବା ସେମାନଙ୍କ ସମ୍ପର୍କୀୟଙ୍କୁ ସାକ୍ଷାତ୍ କରିବାକୁ ଯାତ୍ରା କରୁଛନ୍ତି । ସେହିଭଳି ଭିସା ଅବଧି ସମାପ୍ତ ହୋଇଯିବାରୁ ୮୪ ପାକ୍ ନାଗରିକ ନିଜ ଦେଶକୁ ଫେରୁଥିବା ଜଣେ ଭାରତୀୟ ରେଳବାଇ ଅଧିକାରୀ ସୂଚନା ଦେଇଛନ୍ତି । କିନ୍ତୁ ଲାହୋର-ଦିଲ୍ଲୀ ବସ୍ ସେବା ବନ୍ଦ କରିଛି ପାକ୍ ।
ଜମ୍ମୁ-କାଶ୍ମୀରରେ ସ୍ଥିତି ସ୍ୱାଭାବିକ ଥିବା ଆଜି ଜାତୀୟ ନିରାପତ୍ତା ଉପଦେଷ୍ଟା (ଏନ୍ଏସ୍ଏ) ଅଜିତ୍ ଡୋଭାଲଙ୍କ ଗସ୍ତରୁ ସ୍ପଷ୍ଟ ଦେଖିବାକୁ ମିଳିଛି । ଡୋଭାଲ ଆଜି ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲା ଗସ୍ତ କରି ସେଠାକାର ଲୋକଙ୍କ ସହ କଥା ହୋଇଛନ୍ତି । ଏହି ଅବସରରେ ସେ କିଛି ବ୍ୟବସାୟୀ ଏବଂ ସ୍ଥାନୀୟ ଲୋକଙ୍କ ସହ ଭାବବିନିମୟ କରିଛନ୍ତି । ଏହା ପୂର୍ବରୁ ଅଗଷ୍ଟ ୬ ତାରିଖରେ ଅର୍ଥାତ୍ ଧାରା ୩୭୦ ଉଚ୍ଛେଦ ହେବାର ପରଦିନ ଡୋଭାଲ୍ ଶ୍ରୀନଗର ଭଳି ଏକ ସମ୍ବେଦନଶୀଳ ଅଞ୍ଚଳ ଗସ୍ତ କରିଥିଲେ । ଏହି ସମୟରେ ସେ ସ୍ଥାନୀୟ ଲୋକଙ୍କ ସହ କଥା ହେବା ସହ ସେମାନଙ୍କ ସହ ମିଶି ଭୋଜନ କରିଥିଲେ ।
ଜମ୍ମୁ-କାଶ୍ମୀରରେ ଧାରା ୧୪୪ ଲାଗୁ ହେବାକୁ କେନ୍ଦ୍ର କରି ୧୦,୦୦୦ ଲୋକ ଏହାର ପ୍ରତିବାଦ କରୁଥିବା ଖବରକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି । ଏହା ଏକ ମନଗଢ଼ା ତଥା ଗୁଜବ ଖବର ବୋଲି ସରକାର ସ୍ପଷ୍ଟ କରିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରାଳୟ କହିଛି ଯେ ଏହି ଖବର ପ୍ରକୃତରେ ପାକ୍ ଖବରକାଗଜ ଡନ୍ରେ ପ୍ରକାଶ ପାଇଥିଲା । ଇମ୍ରାନ୍ ସରକାର ଅପପ୍ରଚାର କରି ଭାରତକୁ ଘେରିବାକୁ ଉଦ୍ୟମ କରୁଛି । କିନ୍ତୁ ଏହା ସମ୍ପୂର୍ଣ୍ଣ ମିଥ୍ୟା । ଶ୍ରୀନଗର/ବାରାମୂଳାରେ ପାଖାପାଖି ୨୦ ଲୋକଙ୍କୁ ନେଇ ଏକ ଛୋଟମୋଟ ପ୍ରତିବାଦ କରାଯାଉଥିଲା । କିନ୍ତୁ ଧାରା ୩୭୦ ଉଚ୍ଛେଦ ସହ ସେମାନେ ଏହି ପ୍ରତିବାଦ କରିନଥିଲେ ।
ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ୍ ଶନିବାର ଇଦ୍ ପର୍ବ ପାଳନର ପ୍ରସ୍ତୁତି କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି । ଏହାସହ ବିଭିନ୍ନ ହସ୍ପିଟାଲରେ ଉପଲବ୍ଧ ଚିକିତ୍ସା ସେବା ଆଦିର ତଦାରଖ କରିଛନ୍ତି । ଲୋକମାନେ କୌଣସି ଭୟ ନ ରଖି ଶାନ୍ତିପୂର୍ଣ୍ଣ ଭାବେ ଇଦ୍ ପାଳନ କରିପାରିବେ ବୋଲି ମଲିକ୍ କହିଛନ୍ତି ।
ଜମ୍ମୁ-କାଶ୍ମୀର ଆଇଜି ଏସ୍ ପି ପାଣି କହିଛନ୍ତି, ସ୍ଥିତି ବର୍ତ୍ତମାନ ସମ୍ପୂର୍ଣ୍ଣ ଆୟତ୍ତରେ ରହିଛି । କୌଣସି ଗୋଟିଏ ହେଲେ ହିଂସା ଘଟଣାର ରିପୋର୍ଟ ହସ୍ତଗତ ହୋଇନାହିଁ । ଆମେ ୨୪ ଘଣ୍ଟା ନଜର ରଖିଛୁ । ଧାରା ୩୭୦ ହଟିବାକୁ ନେଇ ଲୋକମାନେ ଖୁସି ଅଛନ୍ତି । ତା’ଛଡ଼ା ସମସ୍ତ ଜରୁରିକାଳୀନ ସେବା ପ୍ରସ୍ତୁତ ହୋଇ ରହିଛି ।
କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ କିଶନ୍ ରେଡ୍ଡୀ କହିଛନ୍ତି, ଆଗାମୀ ୧୦-୧୨ ଦିନ ମଧ୍ୟରେ ସ୍ଥିତି ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ଜମ୍ମୁ-କାଶ୍ମୀରର ଅନେକ ସ୍ଥାନରେ ସିଆରପିସି ଧାରା ୧୪୪କୁ କୋହଳ କରାଯାଇଛି । ସ୍ଥିତି ସ୍ୱାଭାବିକ ହେଉଥିବାରୁ ଅନେକ ସ୍କୁଲ ଓ କଲେଜ ଖୋଲିଲାଣି ।
ଅପରପକ୍ଷରେ ଧାରା ୩୭୦ ହଟିବାକୁ ନେଇ ପାକ୍ ନିଜ କଠୋର ଆଭିମୁଖ୍ୟ ବଳବତ୍ତର ରଖିଛି । ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ନେତୃତ୍ୱରେ ଶନିବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଭାରତ ସହ ସମ୍ପର୍କ ଛିନ୍ନ ଘୋଷଣାକୁ ମଞ୍ଜୁରି ମିଳିଛି । ନିଷ୍ପତ୍ତି ସ୍ୱରୂପ ଭାରତ ସହ ପାକ୍ ଏବେ କୌଣସି କୂଟନୈତିକ ଓ ବାଣିଜ୍ୟ ସମ୍ପର୍କ ରଖିବ ନାହିଁ । ଭାରତ ପାଇଁ ଏହା ନିଜର ୩ଟି ଆକାର୍ଶ ମାର୍ଗ ବନ୍ଦ ରଖିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons