ନୂଆଦିଲ୍ଲୀ: ଭାରତର ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ବି.ଏସ୍. ଧନୋଆ ଆସନ୍ତା ଅକ୍ଟୋବରରେ ଅବସର ନେବେ । ତାଙ୍କ ସ୍ଥାନରେ ନିଯୁକ୍ତି ଦେବା ଲାଗି ସରକାର ନୂଆ ମୁଖ୍ୟ ଖୋଜିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ସ୍ୱାଭାବିକ ଭାବେ ବାୟୁସେନା ମୁଖ୍ୟ ଅବସର ନେବାର ଦୁଇ-ତିନି ମାସ ପୂର୍ବରୁ ସରକାର ନୂଆ ମୁଖ୍ୟ ଚୟନ କରିଥାନ୍ତି । ଠିକ୍ ଅନୁରୂପ ଭାବେ ଏହି ପଦବୀ ପାଇଁ ଏବେ ୪ ଜଣଙ୍କ ନାମ ଚୟନ କରାଯାଇଛି । ସେମାନେ ହେଲେ ଏୟାର ମାର୍ଶଲ ବାଲକ୍ରିଷ୍ଣନ ସୁରେଶ, ରଘୁନାଥ ନାମ୍ବିଆର, ହରଜିତ ସିଂହ ଆରୋରା ଓ ରାଜେଶ କୁମାର । ଖୁବଶୀଘ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ୪ ଜଣଙ୍କ ମଧ୍ୟରୁ ଜଣଙ୍କ ନାମରେ ମୋହର ମାରିବା ଲାଗି ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟିକୁ ପଠାଇବ ବୋଲି ସୂଚନା ମିଳିଛି ।
ଏହି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ୪ ଜଣଙ୍କ ନାମ ଚୟନ କରାଯାଇଥିଲେ ମଧ୍ୟ ମୁଖ୍ୟତଃ ଏୟାର ମାର୍ଶଲ ସୁରେଶ ଓ ଏୟାର ମାର୍ଶଲ ନାମ୍ବିଆରଙ୍କ ମଧ୍ୟରୁ ଜଣଙ୍କ ନାମ ଚୂଡାନ୍ତ ହେବାର ସମ୍ଭାବନା ରହିଛି । ସୁରେଶ ବର୍ତ୍ତମାନ ତ୍ରିଭେନ୍ଦ୍ରମସ୍ଥିତ ସଦର୍ଣ୍ଣ ଏୟାର କମାଣ୍ଡ୍ ଦାୟିତ୍ୱରେ ରହିଛନ୍ତି । ଏୟାର ଚିଫ ମାର୍ଶଲ ଧନୋଆ ଅବସର ନେବା ପରେ ସେ ଅନ୍ୟ ୩ ଅଫିସରଙ୍କ ଠାରୁ ବରିଷ୍ଠତମ ଅଧିକାରୀ ଭାବେ ପରିଗଣିତ ହେବେ । କେରଳରେ ଆସିଥିବା ପ୍ରଳୟଙ୍କରୀ ବର୍ଷା ଓ ବନ୍ୟା ବେଳେ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସମନ୍ୱୟ ରଖି ସେ ଉଚ୍ଚ ପ୍ରଶଂସିତ ହୋଇଥିଲେ । ତେବେ ସମ୍ବେଦନଶୀଳ ଦୃଷ୍ଟିରୁ ୩ଟି କମାଣ୍ଡ ମଧ୍ୟରୁ କୌଣସି ଗୋଟିକୁ ସେ ପ୍ରଭାବି ଭାବେ କମାଣ୍ଡିଂ କରିପାରିନାହାନ୍ତି । ଯାହାକି ତାଙ୍କ ନିଯୁକ୍ତି ପାଇଁ ପ୍ରତିକୂଳ ପ୍ରଭାବ ପକାଇପାରେ । ତେବେ ନିକଟରେ ଭାରତ ମହାସାଗର ଅଞ୍ଚଳରେ ଦେଶର ନିରାପତ୍ତା ବ୍ୟବସ୍ଥାକୁ ସୁନିଶ୍ଚିତ କରିବାରେ ସଦର୍ଣ୍ଣ କମାଣ୍ଡର ସଫଳତା ତାଙ୍କ ପାଇଁ ଅନୁକୂଳ ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଉଛି ।
କିନ୍ତୁ ତିନି ବାହିନୀର ମୁଖ୍ୟ ନିଯୁକ୍ତ କରିବା ବେଳେ କେବଳ ବରିଷ୍ଠତାକୁ ମାନଦଣ୍ଡ ଭାବେ ଗ୍ରହଣ କରାଯାଇନଥାଏ । ଯାହାର ଉଦାହରଣ ହେଉଛି ସେନାମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ନିଯୁକ୍ତିକୁ ନେଇ । ତାଙ୍କ ଠାରୁ ଆଉ ଦୁଇଜଣ ବରିଷ୍ଠତମ ଅଫିସର ଥିଲେ ମଧ୍ୟ ତାଙ୍କୁ ଭାରତୀୟ ସେନାର ନେତୃତ୍ୱ ନେବାର ସୁଯୋଗ ମିଳିଥିଲା । ସେହିଭଳି ଗତ ମେ ୩୧ରେ ଆଡମିରାଲ ସୁନୀଲ ଲାନ୍ବା ଭାରତୀୟ ନୌସେନାର ମୁଖ୍ୟ ପଦରୁ ଅବସର ନେବା ପରେ ତାଙ୍କ ସ୍ଥାନରେ ଆଡମିରାଲ କରମବୀର ସିଂହଙ୍କୁ ନିଯୁକ୍ତି ଦିଆଯାଇଥିଲା । ତାଙ୍କ ଠାରୁ ବରିଷ୍ଠ ଥିଲେ ଭାଇସ ଆଡମିରାଲ ବିମଳ ବର୍ମା । ପାରମ୍ପରିକ ଭାବେ ସେନାରେ କେବଳ ବରିଷ୍ଠତା ନୁହେଁ, ଦକ୍ଷ ଓ ଦୂରଦର୍ଶୀ ଅଫିସରଙ୍କୁ ହିଁ ନେତୃତ୍ୱ ନେବାର ଦାୟିତ୍ୱ ଦିଆଯାଇଥାଏ । ଅନେକ ସାମରିକ ଅଧିକାରୀ ଭାବିଥାନ୍ତି ଯେ ବରିଷ୍ଠତା ହିଁ ନେତୃତ୍ୱ ନେବାର ଏକ ପ୍ରମୁଖ ମାନଦଣ୍ଡ । କିନ୍ତୁ ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ଏଭଳି ମାନଦଣ୍ଡକୁ ସବୁବେଳେ ଗ୍ରହଣ କରାଯାଇନଥାଏ । ଆମେରିକା, ଫ୍ରାନ୍ସ, ଜର୍ମାନୀ, ଚୀନ ଏପରିକି ପାକିସ୍ତାନ ମଧ୍ୟ ଏହି ମାନଦଣ୍ଡକୁ ଗ୍ରହଣ କରିନଥାଏ । କିନ୍ତୁ ବ୍ରିଟେନରେ ଏହି ମାନଦଣ୍ଡ ସର୍ବଦା ପାଳନ କରାଯାଏ ।
ସେହିଭଳି କାର୍ଗିଲ ଯୁଦ୍ଧର ହିରୋ ଏୟାର ମାର୍ଶଲ ନାମ୍ବିଆର ମଧ୍ୟ ଏହି ପଦବୀ ପାଇଁ ଦୃଢ଼ ଦାବିଦାର ଅଛନ୍ତି । ସେ ବର୍ତ୍ତମାନ ଦିଲ୍ଲୀସ୍ଥିତ ୱେଷ୍ଟର୍ଣ୍ଣ କମାଣ୍ଡ ଦାୟିତ୍ୱରେ ଅଛନ୍ତି । ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ତାଙ୍କୁ ଇଷ୍ଟର୍ଣ୍ଣ କମାଣ୍ଡ୍ରୁ ୱେଷ୍ଟର୍ଣ୍ଣ କମାଣ୍ଡକୁ ସ୍ଥାନାନ୍ତର କରାଯାଇଥିଲା । ୱେଷ୍ଟର୍ଣ୍ଣ କମାଣ୍ଡ ରାଜସ୍ଥାନର ପାକିସ୍ତାନ ସୀମାଠାରୁ ଆରମ୍ଭ କରି ସିଆଚେନ ଗ୍ଲାସିୟର ପର୍ଯ୍ୟନ୍ତ ବାୟୁସେନାର ୪୦ ପ୍ରତିଶତ ଅଞ୍ଚଳ ନିୟନ୍ତ୍ରଣ କରିଥାଏ । ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନର ଆକ୍ରମଣ ଆଶଙ୍କାରେ ୱେଷ୍ଟର୍ଣ୍ଣ ସୀମାରେ ବାୟୁସେନା ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିଥିଲା । ବାୟୁସେନାର ମୁଖ୍ୟାଳୟରେ କାର୍ଯ୍ୟରତ ଥିଲା ବେଳେ ନାମ୍ବିଆର ରାଫେଲ ଯୁଦ୍ଧ ବିମାନ କିଣିବା ନେଇ ହୋଇଥିବା ଆଲୋଚନାରେ ସମ୍ପୃକ୍ତ ଥିଲେ । ବର୍ତ୍ତମାନ ଯୋଧପୁରସ୍ଥିତ ଦକ୍ଷିଣ-ପଶ୍ଚିମ ଏୟାର କମାଣ୍ଡ୍ ଦାୟିତ୍ୱରେ ଥିବା ଏୟାର ମାର୍ଶଲ ଆରୋରା ବୟସରେ ନାମ୍ବିଆରଙ୍କ ଠାରୁ ୬ ମାସ ଜୁନିଅର । ମିଗ-୨୧, ମିଗ-୨୯ ସମେତ ଅନ୍ୟ ସାମରିକ ହେଲିକପ୍ଟର ଉଡାଇବାରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି । ବାୟୁସେନା ମୁଖ୍ୟାଳୟରେ ଏୟାର ଅପରେସନର ମହାନିର୍ଦ୍ଦେଶକ ଭାବେ ସେ କାର୍ଯ୍ୟ କରିଛନ୍ତି । ମନୋନୀତି ତାଲିକାରେ ଥିବା ଚତୁର୍ଥ ତଥା ସବୁଠାରୁ ଜୁନିଅର ଅଫିସର ଏୟାର ମାର୍ଶଲ କୁମାର ପ୍ରୟାଗରାଜ ଠାରେ ଥିବା ସେଣ୍ଟ୍ରାଲ ଏୟାର କମାଣ୍ଡ ଦାୟିତ୍ୱରେ ଅଛନ୍ତି ।
Comments are closed, but trackbacks and pingbacks are open.