ପ୍ୟାରିସ: ଲୋକସଭା ନିର୍ବାଚନରେ ଯେଉଁ ଜନାଦେଶ ମିଳିଛି ତାହା କେବଳ ସରକାର ଗଠନ ପାଇଁ ନୁହେଁ, ବରଂ ଏକ ନୂଆ ଭାରତ ଗଠନ ପାଇଁ ଉଦ୍ଦିଷ୍ଟ । ନୂଆ ଭାରତର ଫୋକସ୍ ହେବ ବ୍ୟବସାୟିକ କାରବାର ଓ ଜୀବନ ଧାରଣ ମାନ ସହଜ କରିବା । ଏଥିରେ ଦୁର୍ନୀତି କିମ୍ବା ପ୍ରିୟାପ୍ରୀତିର କୌଣସି ସ୍ଥାନ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।\nଫ୍ରାନ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଆଜି ପ୍ୟାରିସସ୍ଥିତ ୟୁନେସ୍କୋ ମୁଖ୍ୟାଳୟରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଥିଲେ । କହିଥିଲେ ନୂଆ ଭାରତରେ ଦୁର୍ନୀତି, ଆତଙ୍କବାଦ, ପରିବାରବାଦ ଓ ଲୋକଙ୍କ ଅର୍ଥ ଲୁଟ୍ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ପୂର୍ବରୁ ଭାରତରେ ଏଭଳି କେବେ ବି ଦେଖିବାକୁ ମିଳିନଥିଲା । ନୂଆ ସରକାର କ୍ଷମତାକୁ ଆସିବାର ୭୫ ଦିନ ଭିତରେ ଆମେ ଅନେକ ଐତିହାସିକ ପଦକ୍ଷେପ ନେଇଛୁ । ସ୍ପଷ୍ଟ ନୀତି ଓ ଠିକ୍ ଲକ୍ଷ୍ୟ ନେଇ ସରକାର କାର୍ଯ୍ୟ କରୁଛନ୍ତି । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ୩୫-ଏ ଉଚ୍ଛେଦ ସମ୍ପର୍କରେ ଉଲ୍ଲେଖ କରି ସେ କହିଲେ ଯେ ଭାରତରେ ଅସ୍ଥାୟୀର କୌଣସି ସ୍ଥାନ ନାହିଁ । ୧୨୫ କୋଟି ଜନସଂଖ୍ୟା ବିଶିଷ୍ଟ ମହାତ୍ମା ଗାନ୍ଧୀ, ଗୌତମ ବୁଦ୍ଧ, ରାମ ଓ କୃଷ୍ଣଙ୍କ ଏହି ଦେଶରେ ରହିଥିବା ଏକ ଅସ୍ଥାୟୀ ବ୍ୟବସ୍ଥା ଉଠାଇବାକୁ ପ୍ରାୟ ୭୦ ବର୍ଷ ସମୟ ଲାଗିଗଲା । ଭାରତ ଏବେ ବିକାଶର ଦ୍ରୁତପଥରେ ଅଗ୍ରସର ହେଉଛି । ଏହା ମୋଦିଙ୍କ ପାଇଁ ନୁହେଁ, ଭାରତର ଜନତାଙ୍କ ଭୋଟ ଯୋଗୁ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି ।
ତିନ୍ ତଲାକ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଲେ ଯେ, ଆମେ ତିନ୍ ତଲାକ ବ୍ୟବସ୍ଥାକୁ ହଟାଇଲୁ । କାରଣ ନୂଆ ଭାରତରେ ମୁସଲିମ ମହିଳାଙ୍କ ପ୍ରତି ହେଉଥିବା ଏଭଳି ଅନ୍ୟାୟକୁ ଆଦୌ ବରଦାସ୍ତ କରାଯିବ ନାହିଁ । ୨୦୩୦ ସୁଦ୍ଧା ଜଳବାୟୁ ପରିବର୍ତ୍ତନ ଲକ୍ଷ୍ୟ ପୂରଣ ଲାଗି ସମୟ ସୀମା ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ଭାରତ ଆଗାମୀ ଦେଢ଼ବର୍ଷ ଭିତରେ ଏହି ଲକ୍ଷ୍ୟ ହାସଲ କରିବ ବୋଲି ମୋଦି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଆଗାମୀ ୨୦୨୫ ସୁଦ୍ଧା ଭାରତ ଯକ୍ଷ୍ମାମୁକ୍ତ ହେବ ବୋଲି ସେ ଏହି ଅବସରରେ ଘୋଷଣା କରିଥିଲେ । ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ୧୯୫୦ ଓ ୧୯୬୦ ଦଶକରେ ଫ୍ରାନ୍ସର ମଣ୍ଟ ବ୍ଲାଙ୍କ ପାହାଡର ପାଦଦେଶରେ ଘଟିଥିବା ଦୁଇଟି ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ ଯାତ୍ରୀଙ୍କ ପାଇଁ ନିର୍ମିତ ଏକ ସ୍ମାରକୀ ଲୋକାର୍ପଣ କରିଥିଲେ । ଏହି ଦୁର୍ଘଟଣ।।ରେ ଭାରତର ପ୍ରସିଦ୍ଧ ବୈଜ୍ଞାନିକ ହୋମି ଜାହାଙ୍ଗୀର ଭାବାଙ୍କ ସମେତ ଶତାଧିକ ଭାରତୀୟଙ୍କର ମୃତ୍ୟୁ ଘଟିଥିଲା । \nତ୍ରିରାଷ୍ଟ୍ରୀୟ ଗସ୍ତରେ ଆସିଥିବା ମୋଦି ପ୍ରଥମ ଚରଣରେ ଗତକାଲି ଫ୍ରାନ୍ସରେ ଆସି ପହଞ୍ôଚବା ପରେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ ଓ ପ୍ରଧାନମନ୍ତ୍ରୀ ଏର୍ଡୱାର୍ଡ ଫିଲିପଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ଆଲୋଚନା କରିଥିଲେ । ଫ୍ରାନ୍ସ ଗସ୍ତ ସାରି ମୋଦି ଆଜି ୟୁଏଇ ଯାତ୍ରା କରିଛନ୍ତି । ସେଠାରେ ସେ ୟୁଏଇ ସରକାରଙ୍କ ପକ୍ଷରୁ ଘୋଷିତ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଜାୟେଦ’ ଗ୍ରହଣ କରିବେ । ଆବୁଧାବିର କ୍ରାଉନ ପ୍ରିନ୍ସ ଶେଖ ମହମ୍ମଦ ବିନ ଜାୟେଦ ଅଲ୍ ନାହ୍ୟାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ବିଦେଶରେ ଡିଜିଟାଲ କାରବାର ନେଟୱାର୍କକୁ ବ୍ୟାପକ କରିବା ଲାଗି ସେ ରୁପେ କାର୍ଡ ପ୍ରଚଳନର ଶୁଭାରମ୍ଭ କରିବେ । ଏହା ପରେ ମୋଦି ବାହାରିନ ଯିବେ । ସେଠାକାର ସମ୍ରାଟ ଶେଖ ହମାଦ ବିନ ଇସା ଅଲ ଖଲିଫାଙ୍କ ସହ ଆଲୋଚନା କରିବେ । ଉପସାଗରୀୟ ଦେଶର ସର୍ବପ୍ରାଚୀନ ଶ୍ରୀନାଥଜୀ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ଦେଖିବେ । ରବିବାର ସେଠାରୁ ପୁଣି ଫ୍ରାନ୍ସ ଫେରିବା ସହିତ ଜି-୭ ବୈଠକରେ ଯୋଗଦେବେ । ରବିବାର ଓ ସୋମବାର ଦୁଇଦିନ ଧରି ଜି-୭ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକ ଅବସରରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାର ସମ୍ଭାବନା ରହିଛି ।
Comments are closed, but trackbacks and pingbacks are open.