ନୂଆଦିଲ୍ଲୀ: ଦେଶ ସମ୍ମୁଖୀନ ହେଉଥିବା ସବୁଠାରୁ ବଡ ଆଭ୍ୟନ୍ତରୀଣ ସମସ୍ୟା ହେଉଛି ନକ୍ସଲ ମୁକାବିଲା । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଭାରତରେ ନକ୍ସଲଙ୍କର କୌଣସି ସ୍ଥାନ ନାହିଁ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ୧୦ ନକ୍ସଲ ପ୍ରଭାବିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଉଦ୍ବୋଧନ ଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଶାହ କହିଲେ ଯେ ବାମପନ୍ଥୀ ମାଓବାଦୀମାନେ ଗଣତାନ୍ତ୍ରିକ ପ୍ରତିଷ୍ଠାନର ଦୃଢ଼ ବିରୋଧୀ । ସେମାନେ ତଳସ୍ତରରୁ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ହିଂସା ଦ୍ୱାରା ଦମନ କରିବାକୁ ଚାହୁଁଛନ୍ତି । ଏଥିସହିତ ସେମାନେ ବିକାଶ ପ୍ରକ୍ରିୟାକୁ ବିରୋଧ କରୁଛନ୍ତି । ଦେଶର ଯେଉଁ ଅନୁନ୍ନତ ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି ତାକୁ ସେମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଲୋକଙ୍କୁ ବିଭ୍ରାନ୍ତ କରି ଭୁଲବାଟରେ ନେବା ହେଉଛି ସେମାନଙ୍କ ଉଦ୍ଦେଶ୍ୟ । ନୂଆ ଭାରତରେ ଦେଶର ସବୁ ଅଞ୍ଚଳର ବିକାଶ କରିବାକୁ ପ୍ରଧାନମନ୍ତ୍ରୀ ଚାହାନ୍ତି । ତେଣୁ ନକ୍ସଲ ହିଂସାକୁ ଦମନ କରିବାକୁ ପଡିବ । ଯେଉଁମାନେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପଥଭ୍ରଷ୍ଟ କରିବାକୁ ଚାହୁଁଛନ୍ତି ସେମାନଙ୍କ ବିରୋଧରେ ଲଢ଼େଇ ଚାଲିଛି ଏବଂ ଆଗକୁ ଜାରି ରହିବ । ଶାହ ଆହୁରି ମଧ୍ୟ କହିଛନ୍ତି ଯେ ବିଭିନ୍ନ ସ୍ତରରେ ପଦକ୍ଷେପ ଯୋଗୁ କିଛିବର୍ଷ ଭିତରେ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ହ୍ରାସ ପାଇଛି । ସରକାରୀ ରିପୋର୍ଟ ଅନୁସାରେ ୨୦୦୯ରେ ଦେଶରେ ୨,୨୫୮ ନକ୍ସଲ ହିଂସା ଘଟିଥିଲା ବେଳେ ୨୦୧୮ରେ ତାହା ୮୩୩କୁ ହ୍ରାସ ପାଇଛି । ସେହିଭଳି ୨୦୦୯ରେ ନକ୍ସଲ ହିଂସାରେ ୧୦୦୮ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୨୦୧୮ରେ ତାହା ୨୪୦ରେ ସୀମିତ ରହିଛି । ୨୦୧୦ରେ ଦେଶର ୯୬ଟି ଜିଲ୍ଲା ନକ୍ସଲ ପ୍ରଭାବିତ ତାଲିକାରେ ରହିଥିଲା । କିନ୍ତୁ ୨୦୧୮ରେ ତାହା ୬୦କୁ ଖସିଆସିଛି । ରାଜ୍ୟ ସରକାରମାନେ ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ କେନ୍ଦ୍ର ସହିତ ସମନ୍ୱୟ ରଖି କାର୍ଯ୍ୟ କରିବା ଫଳରେ ନକ୍ସଲ ସମସ୍ୟା ଦୂର ହୋଇପାରିବ ବୋଲି ଶାହ କହିଥିଲେ । ନକ୍ସଲ ହିଂସା କମିଥିଲେ ମଧ୍ୟ ଏହାକୁ ସମୂଳେ ନିପାତ କରିବା ଦରକାର । ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ କାର୍ଯ୍ୟ କରିବାକୁ ଶାହ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ନକ୍ସଲ ଦମନ କ୍ଷେତ୍ରରେ ସ୍ଥାନୀୟ ପୁଲିସର ପ୍ରମୁଖ ଭୂମିକା ରହିଛି । ତେଣୁ ପୁଲିସ ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ପଡିବ । କେନ୍ଦ୍ର ସରକାର ଏଥିପାଇଁ କରିଥିବା ଯୋଜନାକୁ କାର୍ଯ୍ୟକାରୀ ରାଜ୍ୟ ସରକାରମାନେ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ । ସେହଭଳି ମାଓବାଦୀଙ୍କୁ ମିଳୁଥିବା ପାଣ୍ଠି ଯୋଗାଣ ସ୍ରୋତକୁ ବନ୍ଦ କରିବା ଦିଗରେ ସଫଳ ପଦକ୍ଷେପ ନେଇଥିବା ରାଜ୍ୟମାନଙ୍କୁ ଶାହ ପ୍ରଶଂସା କରିଥିଲେ ।
Comments are closed, but trackbacks and pingbacks are open.