ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାର ରାୟ ସମସ୍ତଙ୍କ ପାଇଁ ନୂଆ ସକାଳ ଆଣିଛି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଏଣିକି ଦେଶର ପ୍ରତ୍ୟେକ ନାଗରିକ ରାଷ୍ଟ୍ର ନିର୍ମାଣରେ ନିଜକୁ ସାମିଲ କରିବା ଆବଶ୍ୟକ । ସମସ୍ତଙ୍କୁ ସାଥିରେ ନେଇ ଓ ସମସ୍ତଙ୍କ ବିଶ୍ୱାସ ହାସଲ କରି ଆଗେଇବା ଦରକାର । ଅଯୋଧ୍ୟା ରାୟ ପ୍ରକାଶ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଆହ୍ୱାନ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଅଯୋଧ୍ୟା ମାମଲାକୁ ନେଇ ଲମ୍ବା ଇତିହାସ ରହିଛି । ଏହି ମାମଲାର ଫଇସଲା ଶୀଘ୍ର ହେଉ ବୋଲି ପୂରା ଦେଶ ଚାହୁଁଥିଲା । ତେଣୁ ସୁପ୍ରିମକୋର୍ଟରେ ପ୍ରତିଦିନ ଏହି ମାମଲାର ଶୁଣାଣି ହେଉ ବୋଲି ଦେଶବାସୀ ଇଚ୍ଛା ରଖିଥିଲେ । ଶେଷରେ ତାହା ହିଁ ହେଲା । ଦୀର୍ଘଦିନ ଧରି ଶୁଣାଣି ଚାଲିବା ପରେ ଆଜି ତାହାର ରାୟ ଆସିଛି । ଅନେକ ଦଶନ୍ଧି ଧରି ଚାଲିଆସୁଥିବା ନ୍ୟାୟିକ ପ୍ରକ୍ରିୟାର ଆଜି ସମାପନ ହୋଇଛି ।
ପୂରା ବିଶ୍ୱ ଜାଣିଛି ଯେ ଭାରତ ହେଉଛି ବିଶ୍ୱର ସବୁଠୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର । ସର୍ବୋଚ୍ଚ ଅଦାଲତଙ୍କ ରାୟ ପ୍ରକାଶ ପରେ ପ୍ରତ୍ୟେକ ବର୍ଗର ଲୋକ ଏହାକୁ ଖୋଲା ହୃଦୟରେ ସ୍ୱୀକାର କଲେ । ଭାରତର ପରମ୍ପରାକୁ ଏହା ପ୍ରତିପାଦନ କରୁଛି ବୋଲି ମୋଦି ମତବ୍ୟକ୍ତ କରିଛନ୍ତି । ସେ ଆହୁରି କହିଛନ୍ତି, ଆଯୋଧ୍ୟା ମାମଲାରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ସମସ୍ତ ପକ୍ଷକୁ ଶୁଣିଛନ୍ତି । ସମସ୍ତଙ୍କୁ କହିବା ପାଇଁ ଯଥେଷ୍ଟ ସମୟ ଦିଆଯାଇଛି । ସର୍ବସମ୍ମତିକ୍ରମେ ରାୟ ଆସିଥିବାରୁ ଦେଶ ପାଇଁ ଏହା ନିହାତି ଖୁସିର ବିଷୟ ।
ପରିବାରରେ ଛୋଟ ସମସ୍ୟା ଆସିଲେ, ଏହାର ପ୍ରତିକାର କରିବା ମୁସ୍କିଲ ହୋଇଥାଏ । ଆଜି ନଭେମ୍ବର ୯ ତାରିଖ । ଆଜି ତାରିଖରେ ବର୍ଲିନ୍ରେ ପାଚେରି ଭାଙ୍ଗିଥିଲା । ଦୁଇ ବିପରୀତ ଧାରା ଏକାଠି ହୋଇ ନୂଆ ସଂକଳ୍ପ ନେଇଥିଲେ । ଆଜି ନଭେମ୍ବର ୯ ତାରିଖରେ କରତାରପୁର କରିଡର୍ର ଶୁଭାରମ୍ଭ ହୋଇଛି । ଏଥିରେ ଉଭୟ ଭାରତ ଓ ପାକିସ୍ତାନର ଯୋଗଦାନ ରହିଛି । ତେଣୁ ଆମେ ଏକାଠି ହୋଇ ଆଗକୁ ବଢ଼ିବା ଆବଶ୍ୟକ ବୋଲି ଆଜିର ତାରିଖ ସୂଚାଉଛି ।
ଭବିଷ୍ୟତର ଭାରତ ପାଇଁ ଅନେକ କାମ କରିବାର ଅଛି । ଦେଶ ସାମ୍ନାରେ ଅନେକ ଆହ୍ୱାନ ରହିଛି । ଗନ୍ତବ୍ୟସ୍ଥଳ ଆହୁରି ଅନେକ ବାଟ ବାକି ରହିଛି । ଲକ୍ଷ୍ୟ ହାସଲ ପାଇଁ ପ୍ରତ୍ୟେକ ଭାରତୀୟ କାନ୍ଧରେ କାନ୍ଧ ମିଳାଇ ନୂଆ ଭାରତ ନିର୍ମାଣ କାର୍ଯ୍ୟରେ ଲାଗିପଡ଼ିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏହା ପୂର୍ବରୁ ମୋଦି ଏକାଧିକ ଟ୍ୱିଟ୍ କରି ଅଯୋଧ୍ୟା ରାୟ ନେଇ ମତପୋଷଣ କରିଥିଲେ । ଏହି ରାୟକୁ ନେଇ କେହି ନିଜର ହାର କିମ୍ବା ଜିତ୍ ହୋଇଛି ବୋଲି ଭାବିବା ଉଚିତ ନୁହେଁ ବୋଲି ସେ କହିଥିଲେ ।
Comments are closed, but trackbacks and pingbacks are open.