ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମଦୁଆଙ୍କୁ ଆଦୌ ମାଫ୍ କରାଯିବନି । ନୂଆ ମୋଟର ଯାନ ଆଇନରେ ମଦ୍ୟପ ଡ୍ରାଇଭରଙ୍କ ପ୍ରତି ସାମାନ୍ୟ କୋହଳ ମନୋଭାବ ପ୍ରଦର୍ଶନ କରାଯିବାର ପ୍ରଶ୍ନ ଉଠୁନି । ଗାଡ଼ି ଚଳାଇବା ସମୟରେ ନିଶା ସେବନ କରି ଧରାପଡ଼ିଲେ ଆଇନ ଅନୁସାରେ ଲାଇସେନସ୍ ରଦ୍ଧ ସହ ଜୋରିମାନା ଦେବାକୁ ହେବ । ଆବଶ୍ୟକସ୍ଥଳେ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ହେବ । ଏହା ସ୍ପଷ୍ଟ କରିଛନ୍ତି ସରକାର । ରାସ୍ତାରେ ଦ୍ରୁତ ଗତିରେ ଗାଡ଼ି ଚଳାଇଲେ, ହେଲମେଟ୍ ନ ଥିଲେ କିମ୍ବା ଅନ୍ୟ ଜୀବନକୁ ବିପଦ ଥିଲା ଭଳି ଗାଡ଼ି ଚଳାଇଲେ ମଧ୍ୟ ବରଦାସ୍ତ କରାଯିବନି । ନୂଆ ମୋଟର ଯାନ ଆଇନ ଅନୁସାରେ ଦଣ୍ଡିତ ହେବା ନିଶ୍ଚିତ । ତେବେ କେବଳ ଗାଡ଼ି କାଗଜପତ୍ର ନେଇ ଆସନ୍ତା ୩ ମାସ ଯାଏ କୋହଳ ମନୋଭାବ ପ୍ରଦର୍ଶନ କରିବାକୁ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କୁ ନିଦେ୍ର୍ଧଶ ଜାରି ହୋଇଛି ।
ସେପଟେମ୍ବର ପହିଲାରୁ ନୂଆ ପରିବହନ ଆଇନ ଲାଗୁ ହେବା ପରେ ମାତ୍ରାଧିକ ଜୋରିମାନା ଆଦାୟକୁ ନେଇ ଲୋକଙ୍କ ଅସନ୍ତୋଷ ରାଜରାସ୍ତାରେ ପ୍ରତିଫଳିତ ହୋଇଥିଲା । ଏହାକୁ ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ଗାଡ଼ିର ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ କରିବାକୁ ୩ ମାସ ମହଲତ ଦେବା ସହ ତ୍ୱରିତ ପ୍ରମାଣପତ୍ର ପ୍ରଦାନ ପାଇଁ ପରିବହନ ବିଭାଗକୁ ନିଦେ୍ର୍ଧଶ ଦେଇଥିଲେ । ପରିବହନ ବିଭାଗ ମଙ୍ଗଳବାର ଏ ନେଇ ସମସ୍ତ ଆରଟିଓମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛି । ଆଲୋଚନା ବେଳେ ପରିବହନ ବିଭାଗ ପ୍ରମୁଖ ସଚିବ ଜି. ଶ୍ରୀନିବାସ ନିଦେ୍ର୍ଧଶ ଦେଇଛନ୍ତି ଯେ, ଗାଡ଼ି ମଟର ଯାଞ୍ଚ ବେଳେ କାଗଜପତ୍ରକୁ ଗୁରୁତ୍ୱ ନ ଦେଇ ବିପଦଜନକ ଡ୍ରାଇଭିଂରେ ଜୋରିମାନା ଲଗାଅ । ଲୋକମାନେ କିଭଳି ଆରଟିଓ ଅଫିସରୁ ଠିକ୍ ସମୟରେ ଡ୍ରାଇଭିଂ ଲାଇସେନସ୍ ପାଇବେ ତାକୁ ନଜରରେ ରଖି ଛୁଟିଦିନରେ ଅଫିସ ଖୋଲା ରଖିବା, ଅଧିକ କାଉଣ୍ଟର ଖୋଲିବା ସହ ଅଧିକ ସ୍ଲଟ ରଖିବାକୁ ସଚିବ ନିଦେ୍ର୍ଧଶ ଦେଇଛନ୍ତି । ସପ୍ତାହରେ ଏଣିକି ସବୁଦିନ ଡ୍ରାଇଭିଂ ପରୀକ୍ଷା ନେବାକୁ କୁହାଯାଇଛି । ଆରଟିଓ ଅଧୀନରେ ଅଧିକ ପ୍ରଦୂଷଣ ସାର୍ଟିଫିକେଟ ପ୍ରଦାନ କେନ୍ଦ୍ର ଖୋଲିବାକୁ ମଧ୍ୟ ନିଦେ୍ର୍ଧଶ ଜାରି ହୋଇଛି ।
ନୂଆ ଆଇନ ଆସିବା ପରେ ଗାଡ଼ି କାଗଜପତ୍ରକୁ ନେଇ ଲୋକମାନେ ହଇରାଣ ହେଉଥିଲା ବେଳେ ଏଥିରେ ପରିବହନ କର୍ମଚାରୀମାନେ ସହଯୋଗ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରଦୂଷଣ ସାର୍ଟିଫିକେଟ୍ ପାଇଁ ସଚିବାଳୟ ଏବଂ ଅନ୍ୟ ବଡ଼ ବଡ଼ ସରକାରୀ ଅଫିସରେ କ୍ୟାମ୍ପ ପକାଇବାକୁ ନିଷ୍ପତ୍ତି ହୋଇଛି । ସରକାରୀ ଗାଡ଼ିଗୁଡ଼ିକ ଏଠାରେ ପ୍ରଦୂଷଣ ସାର୍ଟିଫିକେଟ ପ୍ରସ୍ତୁତ କରିବେ । ସରକାରୀ ଗାଡ଼ିଗୁଡ଼ିକ ମଧ୍ୟ ତୁରନ୍ତ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ବିଭାଗୀୟ ସଚିବମାନେ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ପରିବହନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଲୋକମାନଙ୍କୁ ସଡ଼କ ସୁରକ୍ଷା ନେଇ ଅଧିକ ସଚେତନ କରାଇବାକୁ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଡାକି ବ୍ୟାପକ ସଚେତନତା ଅଭିଯାନ ହାତକୁ ନେବାକୁ ଆରଟିଓମାନଙ୍କୁ ପରାମର୍ଶ ଦିଆଯାଇଛି । ଲୋକମାନେ କିଭଳି ସୁବିଧାରେ ପରମିଟ୍, ଗାଡି ବୀମା, ପ୍ରଦୂଷଣ ପ୍ରମାଣପତ୍ର ଆଦି ପାଇବେ ସେ ସଂପର୍କରେ ସୂଚନା ପ୍ରଦାନ ସହ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ଏପରିକି ସୂଚନା ଅନୁସାରେ, ଆରଟିଓମାନଙ୍କୁ ଡ୍ରାଇଭିଂ ଲାଇସେନସ୍ ଇସୁ୍ୟ ନେଇ ଟାର୍ଗେଟ୍ ମଧ୍ୟ ଦିଆଯାଇଛି । ଗାଡ଼ି କାଗଜପତ୍ର ନେଇ କୋହଳ ମନୋଭାବ ପ୍ରଦର୍ଶନ କର, ମାତ୍ର ବିପଦଜନକ ଡ୍ରାଇଭିଂକୁ ବରଦାସ୍ତ ନକରିବାକୁ ନିଦେ୍ର୍ଧଶ ଜାରି ହୋଇଛି ।
ଉଲ୍ଲେଖଯୋଗ୍ୟ, ନୂଆ ମୋଟର ଯାନ ଆଇନ ଲାଗୁ ପରେ ଲୋକଙ୍କ ମଧ୍ୟରେ କୋକୁଆଭୟ ଆରମ୍ଭ ହୋଇଥିଲା । କାଗଜପତ୍ର ପ୍ରସ୍ତୁତ କରିବାକୁ ସରକାର ସମୟ ଦିଅନ୍ତୁ ବୋଲି ଦାବି ହେଉଥିଲା । ଲୋକଙ୍କ ସମସ୍ୟାକୁ ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଆଇନକୁ ୩ ମାସ ପାଇଁ କୋହଳ କରିଛନ୍ତି । ଗାଡ଼ି କାଗଜପତ୍ର ନେଇ କଡ଼ାକଡ଼ି ଜୋରିମାନା ନକରି ଲୋକଙ୍କୁ ସଚେତନ କରାଇବାକୁ ପରିବହନ ବିଭାଗକୁ ନିଦେ୍ର୍ଧଶ ଦେଇଛନ୍ତି । ତେବେ ଲୋକମାନେ କାଗଜପତ୍ର ପ୍ରସ୍ତୁତ କରିବା ସହ ବିପଦଜନକ ଡ୍ରାଇଭିଂ ନ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ।
Comments are closed, but trackbacks and pingbacks are open.