କଟକ,(ବି.ବି.ବୁ୍ୟରୋ): କ୍ୱାରେଣ୍ଟାଇନ୍ ଅବଧି ସରିଗଲା । ରିପୋର୍ଟ ବି ନେଗେଟିଭ୍ ଆସିଲା । ଘରକୁ ଯିବାକୁ ବାହାରିଲେ ଗୁଜରାଟରୁ ଆସିଥିବା ୪ ଯୁବକ । ହେଲେ ରାସ୍ତାରୁ ପୁଣି ପଛକୁ ଫେରିଲେ । ଘରେ ଅଲଗା ରୁମ୍ ନାହିଁ । ଶୌଚାଳୟ ସମସ୍ତଙ୍କ ପାଇଁ ଗୋଟିଏ । ଗଲେ ରହିବେ କେଉଠି? ଯଦି ସଂକ୍ରମଣର ଲକ୍ଷଣ ଦିଶେ ତେବେ? ଏଭଳି ଅନେକ ପ୍ରଶ୍ନ ସେମାନଙ୍କ ମନକୁ ଘାରିଲା । ଆଉ ଗାଁକୁ ଯିବାକୁ ଇଚ୍ଛା ହେଲାନି । ଗାଁ ଲୋକଙ୍କ ସହାୟତା ଲୋଡ଼ିଲେ । ସବୁ କଥା କହି ଗାଁ ଠାରୁ ୧ କିଲୋମିଟର ଦୂରରେ ଥିବା ଏକ ପ୍ରାଇମେରୀ ସ୍କୁଲ୍ରେ ଆତ୍ମ-ସଙ୍ଗରୋଧ ବା ସେଲ୍ଫ କ୍ୱାରେଣ୍ଟାଇନ୍ରେ ରହିଲେ ।
ଯେଉଁଠି ପ୍ରବାସୀ ମାନେ ଓଡ଼ିଶା ଫେରିବା ପରେ ଉତ୍ପାତ କରୁଛନ୍ତି, ଯେଉଁଠି ଟ୍ରେନ୍ ଚେନ୍ ଟାଣି ଅଧାବାଟରେ ଡେଇଁ ପାର୍ ହୋଇଯାଉଛନ୍ତି, ଯେଉଁଠି କ୍ୱାରେଣ୍ଟାଇନ୍ ସେଣ୍ଟରରୁ ପାଚେରି ଡେଇଁ ଲୁଚି ପଳାଉଛନ୍ତି, ସେଠି ମାହାଙ୍ଗା ମୂଳବସନ୍ତ ଅଞ୍ଚଳର ଏହି ୪ ଯୁବକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ଯୁବକମାନେ ହେଲେ ଶ୍ରୀନାଥ ଘଡେ଼ଇ, ରାମଚନ୍ଦ୍ର ଘଡେ଼ଇ, ସୁଶାନ୍ତ କୁମାର ଘଡେ଼ଇ ଏବଂ ପରେଶ ଭୋଇ । ସମସ୍ତେ ଏକାସାଙ୍ଗରେ ଗୁଜରାଟରୁ ଫେରିଥିଲେ । ସେଠି ମୁର୍ବି ଜିଲ୍ଲାର ଏକ ଟାଇଲ୍ସ କମ୍ପାନୀରେ କାମ କରୁଥିଲେ । ଦୀର୍ଘ ବର୍ଷ ଧରି ସେଠି କାମ କରି ଯାହା ରୋଜଗାର ହେଉଥିଲା ସେଥିରେ ଚଳୁଥିଲେ ଏବଂ ଘରକୁ କିଛି ପଠାଉଥିଲେ । ତେବେ ଗତ ୩ ମାସ ଧରି ଗୁଜୁରାଟରେ କରୋନାର ଆତଙ୍କ ଦେଖିବାକୁ ମିଳିଲା । ବିଭିନ୍ନ ଜିଲ୍ଲାରେ ଆକ୍ରାନ୍ତ ବାହାରିବା ଯୋଗୁଁ ଏମାନେ ଭୟଭୀତ ହୋଇଯାଇଥିଲେ । ସେହିପରି ଟାଇଲ୍ସ କମ୍ପାନୀରେ ବି ଅନିର୍ଦ୍ଧିଷ୍ଟ ସମୟ ପାଇଁ ତାଲା ପଡ଼ିଗଲା । ତେବେ ମାସେ କାମଧନ୍ଦା ନକରି ବସି ରହିବାରୁ ଯାହା ଯେତିକି ପଇସା ଥିଲା ସେତକ ବି ସରିଗଲା । ଓଡ଼ିଶା ଫେରିବାକୁ ଚାହିଥିଲେ ବି କୌଣସି ସୁଯୋଗ ନଥିଲା । ଗାଡ଼ି, ମୋଟର ବନ୍ଦ ଥିଲା । ଟ୍ରେନ୍ ବି ଗଡୁନଥିଲା । ଏହି ସମୟରେ ହଠାତ୍ କିଛି ପ୍ରବାସୀଙ୍କୁ ନେଇ ଟ୍ରେନ୍ ଓଡ଼ିଶା ଆସୁଥିବା ଶୁଣିବାକୁ ପାଇଥିଲେ ଏମାନେ । ଓଡ଼ିଶା ଫେରିବାକୁ ସୁଯୋଗ ମିଳିଗଲା ।
୧୫ ତାରିଖରେ କଟକରେ ପହଞ୍ଚôଲେ ଏହି ୪ଯୁବକ । ମାହାଙ୍ଗା ବ୍ଲକ୍ ମୂଳବସନ୍ତ ଠାରେ ଥିବା ଏକ ସରକାରୀ କ୍ୱାରେଣ୍ଟାଇନ୍ରେ ରହିଲେ । ପରଦିନ ସ୍ୱାବ୍ ପରୀକ୍ଷା କରଗଲା । ୩ଦିନ ପରେ ରିପୋର୍ଟ ନେଗେଟିଭ୍ ଆସିଲା । ୭ଦିନ ପରେ ସେମାନଙ୍କୁ ସରକାରୀ କ୍ୱାରେଣ୍ଟାଇନ୍ର ଫେରିବାକୁ କୁହାଯାଇଥିଲା । କିନ୍ତୁ ୧୪ଦିନ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାକୁ କୁହାଯାଇଥିଲା । ବ୍ୟାଗ୍ ଧରି ଗାଁ ଅଭିମୁଖେ ବାହାରିଥିଲେ । କିନ୍ତୁ ଅଧା ରାସ୍ତାରେ ରହିଗଲେ । କାରଣ ଏହି ୪ ଯୁବକଙ୍କ ଘରେ ଏକାନ୍ତରେ ରହିବାକୁ କୌଣସି ସୁବିଧା ନ ଥିଲା । ଘରେ ବାପା, ମା’ ଏବଂ ଅନ୍ୟ ପରିବାରବର୍ଗଙ୍କ ସହିତ ଛୋଟ ପିଲା ରହୁଥିଲେ । ଗୋଟିଏ ଶୌଚାଳୟ ଥିଲା ଯାହା ସମସ୍ତେ ବ୍ୟବହାର କରୁଥିଲେ । କିନ୍ତୁ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାକୁ ହେଲେ ସ୍ୱତନ୍ତ୍ର ରୁମ୍, ଶୌଚାଳୟ ଭଳି ମୌଳିକ ସୁବିଧା ରହିବା ଦରକାର । ଏ ସବୁ ସୁବିଧା ନ ଥିବାରୁ ୪ ଯୁବକ ଗାଁ ଲୋକଙ୍କ ସହଯୋଗ ନେଇଥିଲେ । ଗାଁ ଲୋକମାନେ ମଧ୍ୟ ସେମାନଙ୍କୁ ସହାୟତା ଯୋଗାଇଦେଇ ନିକଟସ୍ଥ ପ୍ରାଇମେରୀ ସ୍କୁଲର ଚାବି ଦେଇଥିଲେ । ସେଠାରେ ଶ୍ରେଣୀଗୃହ, ନଳକୂଅ ଏବଂ ଶୌଚାଳୟ ବ୍ୟବସ୍ଥା ଥିବାରୁ କିଛି ଅସୁବିଧା ନାହିଁ । ସାମାଜିକ ଦୂରତ୍ୱ ରକ୍ଷା କରି ଆଜକୁ ୮ଦିନ ହେଲାଣି ଏମାନେ ସେଠାରେ ରହିଛନ୍ତି । ପରିବାର ଲୋକ ସେମାନଙ୍କୁ ଖାଇବାକୁ ଆଣି ଦେଉଛନ୍ତି । ଖାଦ୍ୟ ପଲିଥିନ୍ରେ ପୂରାଇ ସ୍କୁଲ୍ ଗେଟ୍ ପାଖରେ ରଖିଦେଇଯାଉଛନ୍ତି । ସେମାନେ ତାକୁ ଆଣି ଖାଉଛନ୍ତି । ଏନେଇ ଏହି ୪ ପ୍ରବାସୀ ଯୁବକ କହିଛନ୍ତି, ଗୁଜରାଟରୁ ଏତେ କଷ୍ଟରେ ଫେରିଛୁ । ଆମ ଭିତରେ ଯେ ସଂକ୍ରମଣ ନଥିବ ସେ କଥା କିଏ ଜାଣେ? ଯଦିଓ ରିପୋର୍ଟ ନେଗେଟିଭ୍ ଆସିଛି ତଥାପି ମନରୁ ଡର ଦୂରେଇ ଯାଇନି । ଆମେ ଚାହୁନାହୁଁ ଯେ ଆମ ମାନଙ୍କ ପାଇଁ ଆଉ କେହି ଅସୁବିଧାରେ ପଡ଼ନ୍ତୁ । ତେଣୁ ସ୍କୁଲ୍ ଘରେ ୧୪ ଦିନ ରହି ଘରକୁ ଯିବାକୁ ନିଷ୍ପତ୍ତି ନେଇଛୁ ।
Comments are closed, but trackbacks and pingbacks are open.