ନୟାଗଡ: ସାରା ଦେଶରେ କେରାନାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ତେବେ ଓଡିଶାରେ ମଧ୍ୟ କରୋନା କାୟା ମେଲାଇବା ଆରମ୍ଭ କଲାଣି। ଗତ ଦୁଇ ଦିନ ତଳେ ସ୍ୱାସ୍ଥ୍ୟ ବିଭାଗ ରାଜ୍ୟରେ ସମସ୍ତ ସନ୍ଦିଗ୍ଧ ସଂକ୍ରମିତଙ୍କ ଟେଷ୍ଟ୍ ନେଗେଟିଭ୍ ଆସିଥିବା କହିଥିବା ବେଳେ ଆଜି ନୟାଗଡ ଜିଲ୍ଲାରେ ଜଣେ କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି।
ନୟାଗଡର କରୋନା ସନ୍ଦିଗ୍ଧଙ୍କ ଘର ପତେଗଡ ଅଞ୍ଚଳରେ। ସେ କିଛିଦିନ ତଳେ ତାମିଲନାଡୁରୁ ଘରକୁ ଫେରିଥିଲେ। ତେବେ ଘରକୁ ଫେରିବା ପରେ ସେ ଅସୁସ୍ଥ ଅନୁଭବ କରିଥିଲେ। ଏପରିକି ତାଙ୍କଠାରେ କିଛି ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଥିଲା। ତେଣୁ ତାଙ୍କୁ କରୋନା ସନ୍ଦେହରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଟେଷ୍ଟ୍ ରିପୋର୍ଟ ଆସିବା ପରେ ହିଁ ସେ କରୋନାରେ ସଂକ୍ରମିତ ନା ନାହିଁ ଜଣାପଡିବ।
ପୂର୍ବରୁ କରୋନା ସନ୍ଦେହରେ ବିଭିନ୍ନ ମେଡିକାଲରେ ଭର୍ତ୍ତି ହୋଇଥିବା ସନ୍ଦିଗ୍ଧଙ୍କ ଟେଷ୍ଟ୍ ନେଗେଟିଭ ଆସିଥିଲା।
ସୂଚନାଯୋଗ୍ୟ, ଭାରତରେ କରୋନା କାୟା ବିସ୍ତାର କରି ଚାଲିଛି। ଏବେ ସୁଦ୍ଧା ୭୩ଟି ମାମଲା ସାମ୍ନାକୁ ଆସିଛି। ଏହାକୁ ନଜରରେ ରଖି ଦିଲ୍ଲୀରେ କରୋନାକୁ ମହାମାରୀ ଘୋଷଣା କରାଯିବା ସହ ମାର୍ଚ୍ଚ ୩୧ ଯାଏଁ ସ୍କୁଲ ଓ ସିନେମା ହଲ ବନ୍ଦ କରିଦିଆଯାଇଛି।
Comments are closed, but trackbacks and pingbacks are open.