ଓଡ଼ଗାଁ,(ବି.ବି.ନୁ୍ୟଜ୍): ରାଜ୍ୟର ୧୮ଟି ଜିଲ୍ଲାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲାରେ କେହି କରୋନା ରୋଗୀ ଚିହ୍ନଟ ହୋଇ ନଥିଲେ । ଶନିବାର ଜିଲ୍ଲାର ଓଡ଼ଗାଁ ବ୍ଲକର ଜଣେ ସୁରଟ ଫେରନ୍ତା କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ରେ ଥିବା ଏହି ଶ୍ରମିକଙ୍କ ସ୍ୱାବ ପରୀକ୍ଷା ରିପୋର୍ଟରୁଏହା ଜଣାପଡ଼ିଛି । ଓଡ଼ଗାଁ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଏହି କରୋନା ରୋଗୀଙ୍କୁ ଭୁବନେଶ୍ୱର ସମ୍ ହସ୍ପିଟାଲରେ ଥିବା ସ୍ୱତନ୍ତ୍ର କୋଭିଡ୍ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତିର୍ କରାଯିବ ବୋଲି ସିଡିଏମ୍ଓ ଡାକ୍ତର ଶ୍ୱେତ ମହାପାତ୍ର ସୂଚନା ଦେଇଛନ୍ତି ।
ଗତ ୪ ତାରିଖରେ ସୁରଟରୁ ଏକ ବସ୍ ଯୋଗେ ୪୬ ଜଣ ଶ୍ରମିକ ନୟାଗଡ଼ ଜିଲ୍ଲାକୁ ଫେରିଥିଲେ । ସେମାନଙ୍କ ମଧ୍ୟରେ ୪ଜଣ ମହିଳା ଓ ୪ ଜଣ ଛୋଟ ଛୁଆ ମଧ୍ୟ ରହିଥିଲେ । ପ୍ରଶାସନ ପକ୍ଷରୁ ସେମାନଙ୍କୁ ଓଡ଼ଗାଁ ବ୍ଲକ ହରିହରପୁର ପଞ୍ଚାୟତ ଅନ୍ତର୍ଗତ କରଡ଼ା କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରଖାଯାଇଥିଲା । ଗତ ୬ତାରିଖରେ ଏହି କେନ୍ଦ୍ରରୁ ୨୦ ଜଣଙ୍କ ସମେତ ଜିଲ୍ଲାରୁ ମୋଟ ୭୦ ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଥିଲା । ପରୀକ୍ଷା ପରେ ଆଜି କରଡ଼ା କ୍ୱାରେଣ୍ଟାଇନ୍ କେନ୍ଦ୍ରର ୨୦ଟି ସ୍ୱାବ ମଧ୍ୟରୁ ଜଣଙ୍କଠାରେ କରୋନା ଭୂତାଣୁ ରହିଥିବା ସୂଚନା ଦିଆଯାଇଛି । ଏହି କରୋନା ଆକ୍ରାନ୍ତଙ୍କ ବୟସ ୪୦ ବର୍ଷ । ଓଡ଼ଗାଁ ବ୍ଲକରେ ତାଙ୍କ ଘର ବୋଲି କୁହାଯାଇଛି ।
ପଡେ଼ାଶୀ ଜିଲ୍ଲା ଗଞ୍ଜାମରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ନୟାଗଡ଼ ଜିଲ୍ଲା ଆଶା ଓ ଆଶଙ୍କା ମଧ୍ୟରେ ଗତି କରୁଥିଲା । ଆଜି ନୟାଗଡ଼ ଜିଲ୍ଲାରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିବା ପରେ ଲୋକମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଓଡ଼ଗାଁ ବ୍ଲକ ଗଞ୍ଜାମ ଜିଲ୍ଲାର ସୀମାନ୍ତ ହୋଇଥିବାରୁ ଗଞ୍ଜାମର ବହୁ ଲୋକ ବିଭିନ୍ନ ସମୟରେ ଓଡ଼ଗାଁ ଅଞ୍ଚଳକୁ ଯାତାୟାତ କରିଥାନ୍ତି । ଏବେ କିଛି ଦିନ ହେଲା ଗଞ୍ଜାମ ଜିଲ୍ଲାର କେତେକ ଲୋକ ନୟାଗଡ଼ ଜିଲ୍ଲାର ସୀମାନ୍ତ ଅଞ୍ଚଳକୁ ପଶି ଆସି ସେମାନଙ୍କ ବନ୍ଧୁବାନ୍ଧବଙ୍କ ଘରେ ରହିଥିବା ଖବର ପାଇ ଜିଲ୍ଲାବାସୀଙ୍କ ମନରେ ଛନକା ପଶିଯାଇଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ନୟାଗଡ଼ ଜିଲ୍ଲାକୁ ସବୁ ଦିଗରୁ ସିଲ୍ କରିବାକୁ ଦାବି ହେଉଛି ।


Comments are closed, but trackbacks and pingbacks are open.