ରାୟଗଡ଼ା,(ବି.ବି.ନୁ୍ୟଜ୍): ଅର୍ଥାଭାବରୁ ନଷ୍ଟ ହୋଇଯାଉଛି ଜଣେ ସଫଳ ଶକ୍ତି ଉତ୍ତୋଳନକାରୀଙ୍କ ଭବିଷ୍ୟତ । ଆଗକୁ ବଢିବା ଲାଗି ବନ୍ଦ ହୋଇଯାଉଛି ସବୁ ରାସ୍ତା । ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ଶକ୍ତି ଉତ୍ତୋଳନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ରାୟଗଡ଼ାର ଝିଅ ସନ୍ତୋଷୀ ଭୀମାରାପୁ ରାସ୍ତାକଡ଼ରେ ଏବେ ପକୁଡ଼ି ବିକି ପରିବାର ଚଳାଉଛନ୍ତି । ସ୍ୱର୍ଣ୍ଣ ବିଜେତା ସନ୍ତୋଷୀଙ୍କ ଏଭଳି ସ୍ଥିତି ନେଇ ଜିଲ୍ଲାର କ୍ରୀଡାବିତ୍ମାନେ ଉଦ୍ବେଗ ପ୍ରକାଶ କରିଛନ୍ତି । ପେଟ ପାଇଁ ସମୟ ନଷ୍ଟ ହେଉଥିବାରୁ ସେ ଆଉ କ୍ରୀଡ଼ାକ୍ଷେତ୍ରରେ ଆଗକୁ ବଢ଼ି ପାରୁନଥିବା କହିଛନ୍ତି ।
ସନ୍ତୋଷୀଙ୍କ ଘର ସ୍ଥାନୀୟ ବିଦୁ୍ୟତ୍ କୋଲୋନି ନିକଟରେ । ୨୦୧୯ ମସିହାରେ ଶକ୍ତି ଉତ୍ତୋଳନ କ୍ଷେତ୍ରରେ ସେ ରାଜ୍ୟସ୍ତରରେ ସ୍ୱର୍ଣ୍ଣ ପଦକ ପାଇଥିଲେ । ଭୁବନେଶ୍ୱରରେ ଆୟୋଜିତ ପ୍ରତିଯୋଗିତାରେ ଏଭଳି ସଫଳତା ପାଇ ଜିଲ୍ଲା ପାଇଁ ଗୌରବ ଆଣିଥିଲେ । କିନ୍ତୁ ସରକାରୀ ପ୍ରୋତ୍ସାହନ ଅଭାବ ଏବଂ ପରିବାରର ଆର୍ଥିକ ଦୁଃସ୍ଥିତି ଯୋଗୁ ତାଙ୍କୁ ରାସ୍ତା କଡ଼ରେ ପକୁଡ଼ି ବିକିବା ଲାଗି ପରିସ୍ଥିତି ବାଧ୍ୟ କରିଥିବା ସେ କହିଛନ୍ତି । ୩୨୬ ନମ୍ବର ଜାତୀୟ ରାଜପଥର ଆମ୍ବଗୁଡ଼ା ଓ ବିଦୁ୍ୟତ କଲେନି ମଧ୍ୟବର୍ତ୍ତୀ ଅଞ୍ଚଳରେ ଏକ ଛୋଟ କୁଡ଼ିଆ କରି ଏହି ବେପାରକୁ ଆପଣାଇଛନ୍ତି ସନ୍ତୋଷୀ ।
କ୍ଷୋଭର ସହ ସନ୍ତୋଷୀ କହିଛନ୍ତି, ଅର୍ଥାଭାବରୁ ତାଙ୍କ ପାଠପଢ଼ା ଅଧାରେ ବନ୍ଦ ହୋଇଯାଇଛି । ଯୁକ୍ତ ଦୁଇ ପରେ ଆଉ ପଢିନପାରି ପାଠରେ ଡୋରି ବାନ୍ଧିଛନ୍ତି । ବିଭିନ୍ନ ପ୍ରତିବନ୍ଧକ ସତ୍ତେ୍ୱ ନିୟମିତ ଅଭ୍ୟାସ ଜାରି ରଖିଛନ୍ତି । ପ୍ରତିଦିନ ସକାଳୁ ଆମ୍ବଗୁଡ଼ା ସହିଦ ଲକ୍ଷ୍ମଣ ନାୟକ ଜିମ୍କୁ ଯାଇ ଶକ୍ତି ଉତ୍ତୋଳନ ଅଭ୍ୟାସ କରୁଛନ୍ତି । କିନ୍ତୁ କୌଣସି ପ୍ରତିଯୋଗିତାରେ ଆଉ ଭାଗ ନେଇପାରୁନାହାନନ୍ତି । ପ୍ରତିଯୋଗିତାରେ ଭାଗନେବା ଲାଗି ବାହାରକୁ ଯିବାପାଇଁ ପାଖରେ ସମ୍ବଳ ନାହିଁ । ତେଣୁ ଆବେଦନ କରୁ ନାହାନ୍ତି । ଯଦି ସୁଯୋଗ ମିଳେ, ତାହେଲେ ଜାତୀୟସ୍ତର ପ୍ରତିଯୋଗିତାରେ ଭାଗ ନେବେ ବୋଲି କହିଛନ୍ତି । ପରିବାରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ବାପା ନଥିବା ବେଳେ ମା ହିଁ ଏବେ ଘରର ମୁଖିଆ । ଏଭଳି ସ୍ଥିତିରେ ଘର ଚଳାଇବା ଲାଗି ବାଧ୍ୟହୋଇ ସେ ପକୁଡି ବିକୁଥିବା କହିଛନ୍ତି । ପରିବାରର ଭୋକିଲା ପେଟ କଥା ଚିନ୍ତା କରିବେ ନା କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢିବେ । ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହ ବିଚାରକୁ ନେବା ଦରକାର । ବାପଛେଉଣ୍ଡ ସଫଳ କ୍ରୀଡାବିତ ସନ୍ତୋଷୀଙ୍କୁ ପ୍ରୋତ୍ସାହନ ଯୋଗାଇବା ଆବଶ୍ୟକ । ନହେଲେ ସମୟ ସୁଅରେ ଏଭଳି ଯୁବା ପ୍ରତିଭାଙ୍କ ସବୁ ଆଶା ମଉଳିଯିବ ।
Comments are closed, but trackbacks and pingbacks are open.